ନୂଆଦିଲ୍ଲୀ, ୧୦/୯ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବତୀୟ ପାଳି ଶାସନର ପ୍ରଥମ ୧୦୦ ଦିନରେ ନିବେଶକମାନେ ବିପୁଳ ପରିମାଣର କ୍ଷତି ସହିଛନ୍ତି। ସେୟାର ବଜାରରେ ନିବେଶକମାନଙ୍କ ୧୪ ଲକ୍ଷରୁ ଅଧିକ କୋଟି ଟଙ୍କାର କ୍ଷତି ହୋଇଛି। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦ୍ବିତୀୟ ଥର ଶପଥ ଗ୍ରହଣ କରିବା ବେଳେ ସେୟାର ବଜାର ବହୁତ ଉତ୍ସାହିତ ଥିଲା। ନିବେଶକମାନଙ୍କ ମନୋବଳ ଦୃଢ଼ ଥିଲା। ମାତ୍ର କିଛି ଦିନ ଭିତରେ ସବୁ କିଛି ବଦଳିଗଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଜୁଲାଇ ୫ରେ ନିଜର ପ୍ରଥମ ବଜେଟ୍ ଘୋଷଣା କରିବା ପରଠାରୁ ନିବେଶକମାନଙ୍କ ଖରାପ ସମୟ ଆରମ୍ଭ ହୋଇଥିଲା। ଏହା ପରେ ସେୟାର ବଜାରରେ ହ୍ରାସର ଧାରା ଅବ୍ୟାହତ ରହିଛି। ନିବେଶକମାନେ ନିଜ ପାଖରେ ଥିବା ସେୟାରକୁ କମ୍ ଦାମ୍ରେ ବିକି ଦେଉଛନ୍ତି। ସେଥିପାଇଁ ସେମାନେ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିଛନ୍ତି। ସେୟାର ବଜାରରେ ପଞ୍ଜୀକୃତ ହୋଇଥିବା କଂପାନିଗୁଡ଼ିକ ମଧ୍ୟରୁ ମାତ୍ର ୧୪% କଂପାନିର ସେୟାର ନିବେଶକମାନଙ୍କୁ ଲାଭ ପହଞ୍ଚାଇଛି। ଅନ୍ୟ ସବୁ କଂପାନିର ନିବେଶକମାନେ କ୍ଷତି ସହିଛନ୍ତି। ଏନ୍ଡିଏ-୨ର ପ୍ରଥମ ୧୦୦ ଦିନରେ ଷ୍ଟକ ବଜାରରେ ପଞ୍ଜୀକୃତ ଥିବା ୨୬୬୪ଟି କଂପାନିର ମୋଟ ବଜାର ପୁଞ୍ଜି (ମାର୍କେଟ କ୍ୟାପିଟାଲାଇଜେସନ) ୧୪ ଲକ୍ଷ ୧୫ ହଜାର କୋଟି ଟଙ୍କା ହ୍ରାସ ପାଇ ୧୪୦ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ବଜେଟ୍ରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ) ଉପରେ ସର୍ଚାର୍ଜ ଲାଗୁ କରାଯିବା ପରେ ସେମାନେ ବିପୁଳ ପରିମାଣର ପୁଞ୍ଜି ଭାରତୀୟ ଷ୍ଟକ ବଜାରରୁ ପ୍ରତ୍ୟାହାର କରିନେଇଛନ୍ତି। ଚଳିତ ବର୍ଷ ଫେବ୍ରୁଆରିରୁ ମେ’ ମାସ ଭିତରେ ବିଦେଶୀ ନିବେଶକମାନେ ୮୩ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଥିଲେ। କିନ୍ତୁ, ଜୁଲାଇ ପରଠାରୁ ସେମାନେ ନିୟମିତ ଭାବେ ଇକ୍ବିଟି ବଜାରରୁ ୩୧,୭୦୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।
ଏନ୍ଡିଏ-୨ର ୧୦୦ ଦିନ: ନିବେଶକ ହରାଇଲେ ୧୪ ଲକ୍ଷ କୋଟି
|
September 10, 2019 |
