ରାଉରକେଲା, ୨୬/୧୧/୨୦ (ସନ୍ଧାନ ନିଉଜ) : ଓଡ଼ିଆର ଧାର୍ମିକ ଭାବନା ସହିତ ଜଡ଼ିତ ପବିତ୍ର କାର୍ତିକ ପୂର୍ଣ୍ଣିମା ଆସିବାକୁ ଆଉ ମାତ୍ର ସପ୍ତାହରୁ କମ୍୍ ସମୟ ବାକି ରହିଲା । ହଜାର ହଜାର ବର୍ଷର ପରମ୍ପରା, ସାଧବ ପୁଅର ସମୃଦ୍ଧି ଓ ଐତିହର ପ୍ରତୀକ କାର୍ତିକ ବୋଇତ ବନ୍ଦାଣ ଉତ୍ସବ ହୁଏତ ଚଳିତ ବର୍ଷ ଅଟକି ଯିବ । ଶେଷ କାର୍ତିକ ପାହାନ୍ତାରୁ ଓଡ଼ିଆ ଓଡ଼ିଆଣୀ କଦଳୀ ପାଟୁକା ତିଆରି ଡଙ୍ଗା ଧରି ପୋଖରୀ ଅବା ନଦୀ ତୁଠକୁ ଯିବା ସମ୍ଭାବନା କ୍ଷୀଣ । ଚଳିତ ବର୍ଷ କରୋନାକୁ ନେଇ ଡଙ୍ଗା ଭସାକୁ ନେଇ ସମସ୍ତେ ଚିନ୍ତା ଓ ଦ୍ୱନ୍ଦରେ ରହିଛନ୍ତି । ପୂର୍ବରୁ କରୋନା ମହାମାରୀକୁ ନେଇ ସମସ୍ତ ପର୍ବ ପର୍ବାଣୀରେ ରୋକ ପ୍ରଶାସନ ପକ୍ଷରୁ ଲାଗିଥିବା ବେଳେ, କାର୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ ମାସକର ପୁଣ୍ୟ ଅର୍ଜନ କରିବା ଆଶା ବି ଏଥର ଆଶାରେ ରହିଯାଇ ପାରେ । ଯଦି ସରକାର ଡଙ୍ଗା ଭସାଲାଗି ଅନୁମତି ଦିଅନ୍ତି, ତେବେ ଦଳଗତ ଭାବେ ଡଙ୍ଗା ଭସାଇବା ଦୃଶ୍ୟ ଏଥର ଦେଖିବାକୁ ବୋଧହୁଏ ମିଳିନପାରେ । ସାଧାରଣତଃ ସହରର ତରକେରା, କୋଏଲ, ବ୍ରାହ୍ମଣୀ ନଦୀ ଘାଟ ସହ ବାସନ୍ତୀ କଲୋନୀର ଡିଏଭି ପୋଖରୀ ଘାଟକୁ ଡଙ୍ଗା ଭସାଇବାକୁ ଆସିଥାନ୍ତି । ମାତ୍ର ଚଳିତ ବର୍ଷ ଡଙ୍ଗା ଭସାଣ ଉପରେ ବୋଧହୁଏ ପ୍ରଶାସନ ପକ୍ଷରୁ ରୋକ ଲାଗି ପାରେ । ଅପରପକ୍ଷରେ ଡଙ୍ଗା ତିଆରି କରୁଥିବା କାରିଗର ମାନେ ମଧ୍ୟ ଚିନ୍ତାରେ ମଗ୍ନ ଅଛନ୍ତି । ବୋଇତ ବନ୍ଦାଣ ଉତ୍ସବରେ ସାଧବ ପୁଅ ମାନେ ସାତ ଦରିଆ ପାର ହୋଇ ବାଣିଜ୍ୟ ବ୍ୟବସାୟ କରିବାକୁ ସୂଦୂର ଦେଶକୁ ଯିବା ପରେ ବେପାର ସାରି ବୋଇତରେ ସାତ ସମୁଦ୍ର ପାର ହୋଇ ଭାରତ ଫେରି ଆସୁଥିଲେ । ଏହି ପରମ୍ପରାକୁ ଉଜ୍ଜିବୀତ କରି ରଖିବା ଉଦ୍ଦେଶ୍ୟରେ ଅନେକ କାରିଗର ସୋଲ, କଦଳୀ ପଟୁଆ, ଆଦିରେ ଡଙ୍ଗା ତିଆରି କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି । ମାତ୍ର ଚଳିତ ବର୍ଷ କରୋନା ଯୋଗୁ ଅଧିକ ମାତ୍ରାରେ ଡଙ୍ଗା ବିକ୍ରି ହେବ କି ନାହିଁ, ସେହି ଆଶଙ୍କାରେ ରହିଛନ୍ତି କାରିଗର ମାନେ । ପଂଚୁକ ଆରମ୍ଭ ହେବା ଦିନଠୁ ରାଉରକେଲାର ରାସ୍ତା କଡ଼ରେ ବିିଭିନ୍ନ ଡିଜାଇନର ସୋଲ ଡଙ୍ଗା, କଦଳୀ ପଟୁଆ ଡଙ୍ଗାର ଆସର ଦେଖିବାକୁ ମିଳିଥାଏ । ସେହିପରି ପ୍ରତିବର୍ଷ ରାଉରକେଲାର ବିିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ବୋଇତ ବନ୍ଦାଣ ଉତ୍ସବ ଜାକଯମକରେ ପାଳନ କରୁଥିବାରୁ କାରିଗର ମାନେ ବଡ଼ ଆକାରର ଡଙ୍ଗା ତିଆରି କରିଥାନ୍ତି । ଯାହା ଦ୍ୱାରା କାରିଗର ମାନେ ଉପକୃତ ହୋଇଥାନ୍ତି । ମାତ୍ର ଚଳିତ ବର୍ଷ କରୋନାରେ ବନ୍ଧା ପଡ଼ିଛି କାର୍ତିକ ପୂର୍ଣ୍ଣିମା । ଏଥର ଶୁଭିବନି ଅ…. କା… ମା….. ବୈ ର ମିଳିତ ସ୍ୱର ।
ଏଥର ଶୁଭିବନି ଅ…. କା… ମା….. ବୈ ର ମିଳିତ ସ୍ୱର!
|
November 26, 2020 |
