ରାଉରକେଲା, ୧୧/୦୯ (ସନ୍ଧାନ ନିଉଜ) : କରୋନା ମହାମାରୀ ବିିଭିଷୀକାକୁ ନେଇ ଲୋକେ ଘରେ ରହୁଛନ୍ତି, ସାନିଟାଇଜର ଅବା ସାବୁନରେ ହାତ ଧୋଇବା ସହ ମାସ୍କ ବ୍ୟବହାର କରୁଛନ୍ତି । ମାତ୍ର କରୋନା କାଳରେ ବସଷ୍ଟାଣ୍ଡ, ବସଷ୍ଟପ, ଦୋକାନ ପିଣ୍ଡାରେ ଆଶ୍ରୟ ନେଉଛନ୍ତି ଶହଶହ ନିରାଶୟ । ଏମାନଙ୍କ ପାଇଁ ମୁଣ୍ଡ ଗୁଂଜିବାକୁ ଛାତ ଖଣ୍ଡିଏ ନାହିଁ । ପ୍ରଶାସନର ଦୃଷ୍ଟି ଏଭଳି ନିରାଶ୍ରୟ ମାନଙ୍କ ଉପରେ ମଧ୍ୟ ପଡ଼ି ପାରୁନାହିଁ ।
ନିଜର ତିନି ଛୁଆଙ୍କୁ ବଂଚାଇବା ପାଇଁ ଏଭଳି ଏକ ପରିବାରର ସଂଘର୍ଷମୟ ଜୀବନ ସହ ଦେଖିବାକୁ ମିଳିଥିଲା ରାଉରକେଲା ବସଷ୍ଟାଣ୍ଡରେ । ପରିବାର କହିଲେ ଦମ୍ପତିଙ୍କ ସହ ତାଙ୍କର ତିନି ଛୁଆ । ବାପା ଦିନ ତମାମ ରିକ୍ସା ଚଳାଇ ଯାହା ଦୁଇ ପଇସା ରୋଜଗାର କରେ, ସେଥିରେ ପରିବାର ପାଇଁ ଦୁଇମୁଠା ଅନ୍ନ ଯୋଗାଡ଼ କରିବା ସହ ସ୍ତ୍ରୀ ଓ ତିନି ଛୁଆଙ୍କୁ ଆହାର ଯୋଗାଇ ଥାଏ । ମା’ ବିମଳା କୁଣ୍ଡୁଲା ଜଣଙ୍କ ମାନସିକ ସ୍ତରରେ ଟିକିଏ ଦୁର୍ବଳ ଥିବା ବେଳେ ଦୁଇ ମାସର ଛୁଆକୁ ଧରି ବସଷ୍ଟାଣ୍ଡର ଏକ କୋଣରେ ବସି ରହିଥାଏ । ଅନ୍ୟ ୨ ଛୁଆ ସହରର ଏଣେତେଣେ ଘୁରି ବୁଲି ଭିକ୍ଷାବୃତି କରନ୍ତି ବୋଲି ପ୍ରତ୍ୟକ୍ଷଦର୍ଶୀ କୁହନ୍ତି । କଥାରେ ଅଛି ଅରକ୍ଷିତଙ୍କୁ ଦଇବ ସାହା । ଗତ କିଛି ଦିନ ତଳେ ଏହି ଦୁଃଖୀ, ଦରିଦ୍ର, ନିଃସହାୟ ପରିବାରର କରୁଣ ଅବସ୍ଥା ଉପରେ ଦକ୍ଷିଣ ରାଉରକେଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୋପ ଅଫ ଲାଇଫ ଟିମର ସଦସ୍ୟ ମାନଙ୍କ ନଜର ପଡ଼ିଥିଲା । କାଳବିଳମ୍ବ ନକରି ଟିମ୍ର ମୁଖ୍ୟ ଦିଲ୍ଲୀପ କୁମାର ବାରିକଙ୍କ ନେତୃତ୍ୱରେ ଅନ୍ୟ ସଦଦ୍ୟ ମାନେ ଦେବଦୂତ ସାଜି ଏହି ପରିବାରକୁ ଭେଟି ଶାନ୍ତି ଭବନ ଆଶ୍ରମରେ ରଖିବାକୁ ନେଇ ଯାଇଥିଲେ, ମାତ୍ର ବିନା କୋଭିଡ଼ ଟେଷ୍ଟରେ ଆଶ୍ରମରେ ଆଶ୍ରୟ ଦେବା ସମ୍ଭବ ନୁହେଁ ବୋଲି ଆଶ୍ରମ କର୍ତୃପକ୍ଷ ମନା କରିଦେବାରୁ ଏହି ନିରାଶୟ ପରିବାରକୁ ରେଳବାଇ କଲୋନୀର ଏକ କ୍ଲବ ଘରେ ଗୋଟିଏ ରାତି ରଖି ଖାଇବା ପିଇବା ବ୍ୟବସ୍ଥା କରାଯାଇଥିଲା । ଏହା ପରଦିନ ହୋପ ଅଫ ଲାଇଫ ଟିମର ସଦସ୍ୟ ମାନେ ପରିବାରର ସଦସ୍ୟ ମାନଙ୍କୁ ନେଇ ଆରଜିଏଚରେ କୋଭିଡ଼ ଟେଷ୍ଟ କରାଇଥିଲେ । ସମସ୍ତର ନମୂନା ନେଗେଟିଭ ଆସିଥିଲା । ଗୋଟିଏ ଦିନର ସଂଘର୍ଷ ପରେ ଦୁଇ ମାସର ଛୁଆ ସହିତ ମାନସିକ ସ୍ତରରେ ବିକଳାଙ୍ଗ ହୋଇ ପଡ଼ିଥିବା ମା’, ଅନ୍ୟ ଦୁଇ ଛୁଆଙ୍କୁ ଶାନ୍ତି ଭବନରେ ଆଶ୍ରୟ ମିଳି ପାରିଥିଲା । ଶାନ୍ତି ଆଶ୍ରମରେ ପୁରୁଷ ଲୋକ ରହିବାର ନିୟମ ନଥିବାରୁ ବାପା ଜଣଙ୍କୁ ବସଷ୍ଟାଣ୍ଡ ଫେରିବାକୁ ପଡ଼ିଥିଲା । ପ୍ରକାଶ ଥାଊକି, ଏହି ଅଭାଗୀ ମା’ବିମଲା କୁଣ୍ଡୁଲା ଜଣଙ୍କ ବସଷ୍ଟାଣ୍ଡରେ ନିଜ ଛୁଆକୁ ଜନ୍ମ ଦେଇଥିଲେ । ମା’ କ୍ଷୀର ଓ ଖାଦ୍ୟ ଅଭାବରୁ ଛୁଆଟି ଅପପୃଷ୍ଟି ରୋଗର ଶୀକାର ହୋଇଛି । ବସଷ୍ଟାଣ୍ଡରେ ଥିବା ପାଖ ଲୋକଙ୍କ କହିବା ଅନୁଯାୟୀ ସେହି ନବଜାତ ଶିଶୁକୁ କୌଣସି ଟୀକା ମଧ୍ୟ ପ୍ରଦାନ କରାଯାଇ ନଥିଲା । ହୋପ୍ ଅଫ ଲାଇଫ ଟିମର ମୁଖ୍ୟ ଦିଲ୍ଲୀପ ବାରିକ, ସୁବ୍ରତ କୁମାର ଲେଙ୍କା, ପ୍ରଣୟ ବିଶ୍ୱାଳ, ପ୍ରିୟଙ୍କା ସିଂ, ରାଜା ତିର୍କୀ, ଓ ବାପିନା ବେହେରାଙ୍କ ମହତ ଉଦ୍ୟମ ଫଳରେ ଏହି ନିରାଶୟ ପରିବାରକୁ ମିଳିଛି ଆଶ୍ରୟ । ଏହି ନିରାଶୟ ପରିବାର କେବେ ବସଷ୍ଟାଣ୍ଡ ନଫେରନ୍ତୁ ଏହାହିଁ ଇଶ୍ୱରଙ୍କ ଠାରେ କାମନା ।
ଏକ ପରିବାରର କରୁଣ କାହାଣୀ…
|
September 11, 2020 |