ଏକ ନିଆର ଢଙ୍ଗରେ ଗ୍ରାମ ଗ୍ରାମ ବୁଲି ସ୍ୱାସ୍ଥ୍ୟ ସେବାକଲେ କବାଟ ବନ୍ଧ ମେଡିକାଲ ଅଫିସର ଡ଼ା ନିହାର ରଞ୍ଜନ କର :

Spread the love
ଜେନାପୁର/ ୨୭/୦୩/୨୧/ସନ୍ଧାନ ନିଉଜ୍ /ପ୍ରଶାନ୍ତ ସାମଲ) ସରକାରୀ ରୋଗୀ ସେବା ଡାକ୍ତରଖାନାରେ ହୁଏ। ଏବେ ଅନେକ ଡାକ୍ତରଖାନାରେ ଡାକ୍ତର ଅଭାବରୁ ତାହାବି ସମ୍ଭବ ହେଉନାହିଁ। କିନ୍ତୁ ନିଜ ସରକାରୀ ସେବାରୁ ସମୟ ବାହାରକରି ନିଶୁଳ୍କ ରୋଗୀ ସେବାର ନିଆରା ପ୍ରୟାସ ଦେଖିବାକୁ ମିଳିଛି ଜେନାପୁର ଅଞ୍ଚଳରେ । ଜେନାପୁର ପଞ୍ଚାୟତର ବ୍ରହ୍ମପୁର ଦଳିତ ସାହିରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ନେଇ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ନିହାର ରଞ୍ଜନ କରଙ୍କ ସାହାଯ୍ୟ ଲୋଡ଼ିଥିଲେ ସ୍ଥାନୀୟ ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ ବେହେରା ଓ ସଭ୍ୟ ସୁଧାଂଶୁ ମହାନ୍ତି।
ସମସ୍ୟା ଥିଲା ତିନି ଜଣ ଆର୍ଥିକ ଅନଗ୍ରସର ବରିଷ୍ଠ ବ୍ୟକ୍ତିଙ୍କ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା। ଡାକ୍ତର ନିହାର କର ଖବର ପାଇ ଶୁକ୍ରବାର ସକାଳେ ଉକ୍ତ ଗ୍ରାମରେ ପହଁଞ୍ଚି ଚିକିତ୍ସା ପାଇଁ ପ୍ରୟାସ ରଖିଥିଲେ। ସମ୍ପୃକ୍ତ ରୋଗୀମାନେ ଆର୍ଥିକ ଅନଗ୍ରସର ହୋଇଥିବାରୁ ସେମାନେ କିପରି ନିଶୁଳ୍କ ଚିକିତ୍ସା ପାଇ ପାରିବେ ସେ ବ୍ୟବସ୍ଥା  କରିଥିଲେ। ଜଟିଳ ଚର୍ମରୋଗ ସୋରିଆସିସ ରୋଗରେ ପୀଡ଼ିତ ରୋଗୀ ଜଣକ ଡାକ୍ତରଙ୍କୁ ଘର ପାଖରେ ପାଇ ଆତ୍ମବିଶ୍ୱାସ ଓ ଖୁସି ଅନୁଭବ କରୁଥିବାର ଦେଖାଦେଇଥିଲା । ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ପରୀକ୍ଷା କରି ଚର୍ମ ରୋଗ ଭଲ ହେବାନେଇ ସମସ୍ତ ପ୍ରକାର ସହାୟତା ନିଜେ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଡା ନିହାର ରଞ୍ଜନ କର। ସେହିଭଳି ଗୁରୁତର ଚକ୍ଷୁ ସମସ୍ୟାରେ ଥିବା କାନ୍ଦ ଦଳେଇଙ୍କ ଏକ ଆଖି ଦୃଷ୍ଟି ଶକ୍ତି ହରାଇଥିବା ବେଳେ ଅନ୍ୟ ଆଖିଟି ଅସ୍ତ୍ରୋପଚାର କରିଛନ୍ତି ।  ତାଙ୍କର  ଆଖିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ  କରାଇବା ପାଇଁ ବ୍ୟବସ୍ଥା କରିବେ ବୋଲି ମଧ୍ୟ କହିଥିଲେ । ବ୍ରହ୍ମପୁର ଗାଁ ଦଳିତ ସାହିର ମହିଳା ମାନଙ୍କ ସହିତ ନବଜାତ ଶିଶୁର ଯତ୍ନ କିପରି ନିଆଯାଏ ଓ ପିଲାଙ୍କୁ ମା କ୍ଷୀର କେତେ ଜରୁରୀ ସେ ବିଷୟରେ ଆଲୋକପାତ କରିବା ସହ କୋଭିଡ ସମୟରେ ନବଜାତ ଶିଶୁର ଯତ୍ନ କିପରି ନିଆଯିବ ପରାମର୍ଶ ମଧ୍ୟ ଦେଇଥିଲେ। ଏହାପରେ ଏହି ଗ୍ରାମର ପାଞ୍ଚ ଜଣ ମାନସିକ ଓ ଶାରୀରିକ ଅକ୍ଷମ ପିଲାଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସୁରକ୍ଷା ପାଇଁ ପରାମର୍ଶ ଦେଇଥିଲେ।
ଡାକ୍ତର ନିହାର କରଙ୍କ ଏହି ନିଆରା ପ୍ରୟାସକୁ ଜେନାପୁର ଅଞ୍ଚଳରର ବୁଦ୍ଧିଜୀବୀ ଓ ସମାଜସେବୀ ମହଲରେ ଉଚ୍ଚ ପ୍ରଶଂସା କରିଥିଲେ। ଆଗକୁ ଏମିତି  ସ୍ୱାସ୍ଥ୍ୟ ସଚେତନତା ରେ ସାମିଲ ହେବାକୁ ଡାକ୍ତର କର ଏସଏନଏମ କୁ କହିଛନ୍ତି । ଏଭଳି ସେବା ମନବୃତ୍ତି ରଖିଲେ ବିଭିନ୍ନ  ଅଞ୍ଚଳରେ ଗରିବ, ନିରାଶ୍ରୟ ଓ ନିରକ୍ଷର ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ ନିଶ୍ଚିତ ଉର୍ଣ୍ଣତି ଆସିପାରିବ ବୋଲି ଡାକ୍ତର କର ମତ ଦେଇଥିଲେ ।

Related Posts

About The Author

Add Comment