ଉଡ଼ିବ ଜେଟ୍‌ର ୪୦ ବିମାନ, ଲିଜ୍‌ରେ ନେଇ ଉଡ଼ାଇବେ ସ୍ପାଇସଜେଟ୍ ଓ ଏୟାର ଇଣ୍ଡିଆ

Spread the love

ନୂଆଦିଲ୍ଲୀ, ୨୨/୪ (ସନ୍ଧାନ ନିୟୁଜ) : ବିମାନ ବନ୍ଦର ଗୁଡ଼ିକରେ ପଡ଼ି ରହିଥିବା ଜେଟ୍ ଏୟାରୱେଜ୍‌ର ପ୍ରାୟ ୪୦ରୁ ୪୫ଟି ବିମାନ ଆସନ୍ତା କିଛି ଦିନ ମଧ୍ୟରେ ପୁଣି ଉଡ଼ାଣ ଆରମ୍ଭ କରିବା ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତା ସପ୍ତାହର ମଙ୍ଗଳବାର ସୁଦ୍ଧା ଏହି ଉଡ଼ାଣ ଆରମ୍ଭ ହୋଇପାରେ। ଅନ୍ୟତମ ଘରୋଇ ଏୟାରଲାଇନ ସ୍ପାଇସଜେଟ୍ ପକ୍ଷରୁ ଜେଟ୍‌ର ପ୍ରାୟ ୪୦ଟି ବିମାନ ଉଡ଼ାଣ ନେଇ ଯୋଜନା ଚାଲିଛି। ସ୍ପାଇସଜେଟ୍‌ ଜେଟ୍ ଏୟାରୱେଜ୍‌ର ବୋଇଂ ୭୩୭ ବିମାନକୁ ଉଡ଼ାଇପାରେ। ସେହିଭଳି ସରକାରୀ ଏୟାରଲାଇନ୍ ଏୟାର ଇଣ୍ଡିଆ ଜେଟ୍‌ର ୫ଟି ବୋଇଂ ୭୭୭ ବିମାନ ଉଡ଼ାଇବା ଯୋଜନା ରଖିଛି। ଏତଦ୍‌ବ୍ୟତୀତ ଏୟାର ଇଣ୍ଡିଆ କେତୋଟି ବୋଇଂ ୭୩୭ ବିମାନକୁ ଏହାର ଏୟାର ଇଣ୍ଡିଆ ଏକ୍ସପ୍ରେସ ପାଇଁ ମଧ୍ୟ ନେଇପାରେ। ତେଣୁ ଆସନ୍ତା ୧୦ ଦିନ ମଧ୍ୟରେ ପ୍ରାୟ ୪୦ରୁ ୫୦ଟି ବିମାନ ଉଡ଼ାଣ ଆରମ୍ଭ ହୋଇପାରେ। ଏହି ବିମାନ ଗୁଡ଼ିକୁ ଜେଟ୍ ଏୟାରୱେଜ୍ ଠାରୁ ସ୍ପାଇସ୍ ଜେଟ୍ ଏବଂ ଏୟାର ଇଣ୍ଡିଆ ୱେଟ୍ ଲିଜ୍ ଆକାରରେ ନେବାକୁ ଥିବାରୁ ଜେଟ୍ ପାଇଲଟ, କ୍ରିଉ ଏବଂ ମେଣ୍ଟେନାନ୍ସ ଆଦି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ନିଯୁକ୍ତି ଏବଂ ବେତନ ମିଳିଯିବ। କେବଳ ସେତିକି ନୁହେଁ, ଏବେ ବନ୍ଦ ହୋଇଯାଇଥିବା ଏସବୁ ବିମାନ ପୁଣି ଉଡ଼ିବା ଆରମ୍ଭ ହେଲେ ଭଡ଼ାରେ ଦେଖାଦେଇଥିବା ବୃଦ୍ଧିରେ ସ୍ଥିରତା ଆସିବ। ବିଶେଷକରି ଏୟାର ଇଣ୍ଡିଆର ସହାୟକ କମ୍ପାନି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏସବୁ ବିମାନକୁ ଲଣ୍ଡନ, ଦୁବାଇ ଏବଂ ସିଙ୍ଗାପୁର ମାର୍ଗରେ ଉଡ଼ାଇଲେ ସେସବୁ ମାର୍ଗରେ ବୃଦ୍ଧି ପାଇଥିବା ଭଡ଼ା ମଧ୍ୟ କମିବ।

ଜେଟ୍ ଏୟାରୱେଜ୍ ବନ୍ଦ ହେବା ଯୋଗୁ ଭାରତୀୟ ଆକାଶରେ ୭୫ଟି ବିମାନର ଉଡ଼ାଣ ବନ୍ଦ ହୋଇଯାଇଛି। ଅବଶ୍ୟ ଅନ୍ୟ ଏୟାରଲାଇନ୍ସ ଗୁଡ଼ିକ ୫୮ଟି ବିମାନ ଆଣିଛନ୍ତି। ତେଣୁ ଏବେ ବି ୧୭ଟି ବିମାନର ଅଭାବ ରହିଛି। ବେସାମରିକ ବିମାନ ଚଳାଚଳ ସଚିବ ପି ଏସ ଖରୋଲା କହିଛନ୍ତି, ଅନ୍ୟ ଏୟାରଲାଇନ୍ସ ଗୁଡ଼ିକ ଆସନ୍ତା ମେ’, ଜୁନ୍ ଏବଂ ଜୁଲାଇ ମାସରେ ୩୧ଟି ବିମାନ ସାମିଲ କରିବାର ଅଛି। ଗ୍ରୀଷ୍ମ ଋତୁରେ ବିମାନ ଯାତ୍ରା ଚାହିଦା ଅଧିକ ରହିଥିବାରୁ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏୟାରଲାଇନ୍ସଗୁଡ଼ିକୁ କୁହାଯାଇଛି।

Related Posts

About The Author

Add Comment