ବେତନଟୀ, 16/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ବେତନଟୀ ଓ ବଡ଼ସାହି ତହସିଲ ଅଞ୍ଚଳରୁ ବ୍ୟାପକ ମୋରମ ଓ ବାଲି ଚୋରାରେ ପଡୋଶୀ ଜିଲାକୁ ଚାଲାଣ ହେବା ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଓ ସେଥିନିମନ୍ତେ ବେତନଟୀର ତତ୍କାଳୀନ ତହସିଲଦାର ନିଲମ୍ବିତ ହୋଇଥିବା ଘଟଣା ଲୋକଙ୍କ ମନରୁ ଯାଇନଥିବା ବେଳେ ପୁଣିଥରେ ବାଲି ଚାଲାଣ ହେବା ଘଟଣା ଅଞ୍ଚଳବାସୀଙ୍କୁ ଚକିତ କରିଛି । ଏହି ଚୋରା ଚାଲାଣ ପଛରେ ପ୍ରଶାସନର ହାତ ରହିଛି ନା ମାଫିଆମାନେ ପ୍ରଶାସନକୁ ଖାତିର ନକରି ବାଲି ଚୋରା ଚାଲାଣକରି ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ବଡ଼ସାହି ଅଞ୍ଚଳରୁ । ଦୈନିକ ଡର ଓ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଥିବା ବେଳେ ସରକାରୀ କାର୍ଯ୍ୟ କରିବା ନିମନ୍ତେ ବାଲି ମିଳୁନାହିଁ, ଯଦି ବାଲି ମିଳୁଛି ଅଧୁକ ଦୀମରେ ଉପଭୋକ୍ତା ବାଲି କିଣିବାକୁ ବାଧ୍ୟ ହେଉଛନ୍ତି । ବାଲି ଓ ମୋରମ ଚାଲାଣ ଅଭିଯୋଗରେ ବାଲେଶ୍ଵର ଜିଲାର ଜଣେ ମାଫିଆ ହାଜତରେ ରହିଥିବା ବେଳେ ପୁଣି ଏହି ଅଞ୍ଚଳରୁ ବାଲି ଓ ମୋରମ ଚାଲାଣ ହେବା ପ୍ରଶାସନକୁ ସିଧାସଳଖ ଚ୍ୟାଲେଞ୍ଜ କରୁଥିବା ମାଫିଆ ଏବେ ସକ୍ରିୟ ହୋଇଉଠିଛନ୍ତି । ଗତ ଅଗଷ୍ଟ ମାସ ୧୮ ତାରିଖରେ ଉପଜିଲାପାଳଙ୍କ ପତ୍ରସଂଖ୍ୟା ୧୫୨/୧୮୮୨୦୨୦ରେ ବେତନଟୀ ତହସିଲର ଅଁଳା ପଞ୍ଚାୟତର । ମଧୁଖୁଣ୍ଟା ମୌଜାରେ ଥିବା ବାଉଁଶନାଳର ବାଲିଘାଟକୁ ୧୪୪ ଧାରା ଜାରି କରାଯାଇଥିଲା । ଏହି ଧାରା ବଳବତ୍ତର ଥିବାବେଳେ ମାଫିଆମାନେ ଦୈନିକ ଟ୍ରାକ୍ଟର ଯୋଗେ ବାଲି ଉଠାଇ ଅବାଧରେ ଅଧୁ ଦାମରେ ବିକ୍ରି କରିଥିବା ଜଣାଯାଇଛି । ଏତଦବ୍ୟତୀତ ଦୁର୍ଗାପୁର ନିକଟରୁ ମଧ୍ୟ ବାଲି ଦୈନିକ ଭୋର ସକାଳୁ ବାହାରକୁ ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଁଳାରେ ଗୋଟିଏ ଆରଆଇ ଅଫିସ ରହିଥିଲେ ମଧ୍ୟ ଭୋର ସକାଳୁ ବାଲି ଚୋରା ଚାଲାଣ ହେବା ସମସ୍ତଙ୍କୁ ଚକିତ କରିଛି । ଅଁଳା ବ୍ୟତୀତ ମେଦ୍ଦା, ଖୁଣ୍ଟାପୁର, ବୈଶିଙ୍ଗା, କେନ୍ଦୁଆ, ଗଡଦେଉଳିଆ ଅଞ୍ଚଳରେ ଆରଆଇ ଅଫିସ ଥିବାବେଳେ ବାଲି କିପରି ଚାଲାଣ ହେଉଛି ତାହା ତଦନ୍ତ ସାପେକ୍ଷ ବୋଲି ବିକାଶମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀ ପ୍ରକାଶ କରିଛନ୍ତି । ସେହିପରି ବାଲକା ଅଞ୍ଚଳରୁ ଦୈନିକ ମୋରମ ପଡୋଶୀ ଜିଲାକୁ ଚାଲାଣ ହେବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ବାଲକା ଅଞ୍ଚଳରୁ ମୋରମ ଚାଲାଣ ହେବା ଫଳରେ ସେ ଅଞ୍ଚଳରେ ଜଙ୍ଗଲ ଭିତରେ ଶହ ଶହ ପୋଖରୀ ସୃଷ୍ଟି ହୋଇଯାଇଛି । ବାଲକା ସଂରକ୍ଷିତ ଜଙ୍ଗଲଟି ଗଡଦେଉଳିଆ ପଞ୍ଚାୟତରେ ଥିବା ତଥା ପଡୋଶୀ ବାଲେଶ୍ୱର ଜିଲା ନିକଟବର୍ତ୍ତୀ ହୋଇଥିବାରୁ ମୋରମ ମାଫିଆ ସହଜରେ ଦଲାଲ ଓ କେତେକ ସରକାରୀ କର୍ମଚାରୀଙ୍କ ସହଯୋଗରେ ମୋରମ ଅବାଧରେ ପଡୋଶୀ ଜିଲାକୁ ଚାଲାଣ କରୁଛନ୍ତି । ଏହି ବାଲି ଚାଲାଣ ଅବାଧରେ ଚାଲିଥିବା ବେଳେ ଏ ସମ୍ପର୍କରେ ବେତନଟୀ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ମାଫିଆ ଅବାଧରେ ସେମାନଙ୍କ କାରବାର ଜାରି ରଖୁଛନ୍ତି । ଜଙ୍ଗଲ ବିଭାଗକୁ ଭକୁଆ ବନାଇ ଅବାଧରେ ସଂରକ୍ଷିତ ଜଙ୍ଗଲମାନଙ୍କୁ ଅବାଧରେ ଚୋରାରେ ଚାଲାଣ ହୋଇ କୃତ୍ରିମ ପୋଖରୀ ସୃଷ୍ଟି ହୋଇଥିବା ସ୍ଥାନ ମାନଙ୍କୁ ବନ ବିଭାଗ ମଧ୍ୟ ତଦନ୍ତ କରିବାକୁ ଦାବି ହେଉଛି ।