ନୂଆଦିଲ୍ଲୀ, ୩/୮ (ସନ୍ଧାନ ନିଉଜ) : ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା, ତାଙ୍କ ଖୁଡ଼ୀ ଓ ଓକିଲ ଯାଉଥିବା କାରକୁ ଧକ୍କା ଦେଇଥିବା ଟ୍ରକର ମାଲିକ ଦେବେନ୍ଦ୍ର ପାଲ ସିଂଙ୍କୁ ପଚରାଉଚରା ସମୟରେ ସେ ବୟାନ ମିଛ ବୟାନ ଦେଉଥିବା ସନ୍ଦେହ କରାଯାଉଛି।
ଗତ ଜୁଲାଇ ୨୮ ତାରିଖରେ ଉତ୍ତର ପ୍ରଦେଶର ରାୟବରେଲୀରେ ଦୁର୍ଘଟଣା ଘଟାଇଥିବା ଟ୍ରକର ନମ୍ବର ପ୍ଲେଟରେ କଳା ବୋଳା ଯାଇଥିବା ଦେଖାଯାଇଥିଲା। ଏପରି କାହିଁକି କରାଯାଇଥିଲା ବୋଲି ତଦନ୍ତକାରୀଙ୍କ ପ୍ରଶ୍ନରେ ଟ୍ରକ ମାଲିକ କହିଥିଲେ କି ସେ ଋଣ ନେଇଥିବା ଫାଇନାନ୍ସ କମ୍ପାନିର ମାସିକ କିସ୍ତି ଦେଇ ପାରି ନଥିବା ହେତୁ ଟ୍ରକର ନମ୍ବର ପ୍ଲେଟ୍ରେ କଳା ଲଗାଇ ଦେଇଥିଲେ। ଫଳରେ କମ୍ପାନି ଟ୍ରକଟିକୁ ଚିହ୍ନଟ କରି ଜବତ କରିପାରିବ ନାହିଁ।
ମାତ୍ର ଟ୍ରକ କିଣିବା ଲାଗି ଋଣ ଯୋଗାଇଥିବା ଫାଇନାନ୍ସ କମ୍ପାନି ଏହାକୁ ଅସ୍ୱୀକାର କରିଛି। କମ୍ପାନି ପକ୍ଷରୁ କୁହାଯାଇଛି କି ଟ୍ରକ୍ ମାଲିକ ମାସିକ କିସ୍ତି ଠିକ୍ ସମୟରେ ଦେଇ ନ ପାରିବା କଥା ଠିକ୍। କିନ୍ତୁ ଟ୍ରକ୍ ଜବତ କରିବାର କୌଣସି କାରଣ ନାହିଁ। ମାଲିକ କମ୍ପାନି ସହ ସଂପର୍କରେ ଥିଲେ ଓ ଧୀରେ ଧୀରେ କିସ୍ତି ପୈଠ କରୁଥିଲେ।
ଏଣୁ ଦୁର୍ଘଟଣା ଘଟାଇଥିବା ଟ୍ରକର ନମ୍ବର ପ୍ଲେଟରେ କାହିଁକି କଳା ବୋଳା ଯାଇଥିଲା ତାହା ପଛର ସତ୍ୟ ସାମ୍ନାକୁ ଆସି ପାରି ନାହିଁ।
ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଆଶିଷ କୁମାର ପାଲ୍ ଓ କ୍ଲିନର ମୋହନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହାପରେ ସିବିଆଇ ୭ ଦିନ ଲାଗି ଦୁହିଁଙ୍କୁ ପଚରାଉଚୁରା ଲାଗି ରିମାଣ୍ଡରେ ନେଇଛି।