ଉନ୍ନାଓ ଗଣଦୁଷ୍କର୍ମ ମାମଲା – ୭ ପୁଲିସ କର୍ମଚାରୀ ନିଲମ୍ବିତ

Spread the love

ଉତ୍ତରପ୍ରଦେଶ,୯/୧୨ (ସନ୍ଧାନ ନିଉଜ) : ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶ ସରକାର ଜଣେ ଥାନା ଅଧିକାରୀଙ୍କ ସମେତ ୭ଜଣ ପୁଲିସ କର୍ମଚାରୀଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି। ଏହି ୭ଜଣ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରାଯିବା ନେଇ ଗତକାଲି ସରକାର ନିର୍ଦ୍ଦେଶ ଦେଇଥିଲେ। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ବିହାର ପୁଲିସ ଷ୍ଟେସନ ଭାରପ୍ରାପ୍ତ ଅଧିକାରୀ ଅଜୟ ତ୍ରିପାଠୀ, ଦୁଇ ଜଣ ସବ ଇନ୍ସପେକ୍ଟର ଅରବିନ୍ଦ ସିଂହ ରଘୁବଂଶୀ ଏବଂ ଶ୍ରୀରାମ ତିୱାରୀ ଓ ଅନ୍ୟ ଚାରି ଜଣ କନଷ୍ଟେବଳ ଅଛନ୍ତି। ୯୦ ପ୍ରତିଶତ ପୋଡ଼ିଯାଇଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କର ଦିଲ୍ଲୀସ୍ଥିତ ସବଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଏହି ଘଟଣାର ଅପରାଧୀମାନଙ୍କୁ ରୋକିବା ନେଇ ସ୍ଥାନୀୟ ପୁଲିସ କର୍ତ୍ତବ୍ୟରେ ଅବହେଳା କରିଥିବା କାରଣରୁ ସେମାନଙ୍କ ବିରୋଧରେ ଏହି ନିଲମ୍ବନ ଆଦେଶ ଦିଆଯାଇଛି।

ଇତିମଧ୍ୟରେ ଉତ୍ତରପ୍ରଦେଶ ସରକାର ସମ୍ପୃକ୍ତ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ବାସଗୃହ ଯୋଗାଇ ଦିଆଯାଇଛି। ସେହି ପରିବାରର ଜଣକୁ ଚାକିରୀ ଦିଆଯିବ ବୋଲି ସରକାର କହିଛନ୍ତି।

Related Posts

About The Author

Add Comment