ଉତ୍ତେଜନା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ବୈଠକ: ମାର୍ଚ୍ଚ ୧୪ରେ କରତାରପୁର କରିଡର ଖୋଲିବା ନେଇ ଆଲୋଚନା ହେବ

Spread the love

ନୂଆଦିଲ୍ଲୀ, ୬/୩ (ସନ୍ଧାନ ନିୟୁଜ) : ପୁଲଓ୍ଵାମାରେ ସିଆରପିଏଫ୍‌ଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଓ ଭାରତୀୟ ବାୟୁସେନାର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ଧୀରେ ଧୀରେ ଏହି ପରିସ୍ଥିତି ସୁଧୁରିବାକୁ ଲାଗିଛି। ଏହି କ୍ରମରେ କରତାରପୁର କରିଡରର ନିର୍ମାଣ ପରେ ଏହାକୁ ଖୋଲାଯିବା ନେଇ ନୀତିନିୟମ ସ୍ଥିର କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ବୈଠକ ମାର୍ଚ୍ଚ ୧୪ ତାରିଖରେ ଅଟାରି-ଓ୍ଵାଘା ସୀମାରେ ହେବ। ଏହି କରିଡର ଭାରତର ପଞ୍ଜାବସ୍ଥିତ ଡେରା ବାବା ନାନକ ସାହିବରୁ ପାକିସ୍ତାନର ଦରବାର ସାହିବ କରତାପୁରକୁ ଯୋଡ଼ିବ।

ଦୁଇ ଦେଶର ପ୍ରତିନିଧିମଣ୍ଡଳ ମଧ୍ୟରେ ଏହି ବୈଠକ ଅଟାରି-ଓ୍ଵାଘା ସୀମାରେ ଭାରତ ସୀମାରେ ଆୟୋଜିତ ହେବ। ଭାରତ ଏହି ବୈଠକରେ କରିଡରର ଅଲାଇନ୍‌ମେଣ୍ଟ ଉପରେ ଆଲୋଚନା କରିବାର ଯୋଜନା ବି ରହିଛି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୪ରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ସିଆରପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦର ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ। ଫଳରେ ଭାରତର ୪୦ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ପାକିସ୍ତାନ ଉପରେ ପ୍ରତିଶୋଧ ନେଇ ଆକାଶମାର୍ଗରୁ ଆକ୍ରମଣ କରି ବହୁ ଆତଙ୍କବାଦୀଙ୍କୁ ନିହତ କରିଥିବା ସୂଚନା ମିଳିଥିଲା। ଏହାପର ଦିନ ପାକିସ୍ତାନ ଭାରତ ଉପରେ ଆକାଶୀ ଆକ୍ରମଣ କରିଥିଲା । ଭାରତୀୟ ବାୟୁସେନା ପାକିସ୍ତାନର ଅତ୍ୟାଧୁନିକ ଏଫ୍‌-୧୬ ଯୁଦ୍ଧ ବିମାନକୁ ମାରି ଖସାଇ ଦେଇଥିଲା। ଏହାପରେ ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା  ବୃଦ୍ଧି ପାଇବାରେ ଲାଗିଥିଲା।

Related Posts

About The Author

Add Comment