ଉତ୍ତର ପ୍ରଦେଶରେ ୨୫୦୦୦ ଗୃହରକ୍ଷୀଙ୍କ ଛଟେଇ ବିରୋଧରେ ଗଣ ପ୍ରତିବାଦ

Spread the love

ଭୁବନେଶ୍ୱର,  ୨୦/୧୦ (ସନ୍ଧାନ ନିଉଜ) : ତେଲେଙ୍ଗାନା ସରକାରଙ୍କ ଦ୍ୱାରା ୪୮୫୬୩ ପରିବହନ କର୍ମଚାରୀ ଓ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ୨୫୦୦୦ ଗୃହରକ୍ଷୀମାନଙ୍କୁ ବହିଷ୍କାର ନିର୍ଦ୍ଦେଶ ଅବିଳମ୍ବେ ରଦ୍ଦ କରିବା ଦାବିରେ ବିଭିନ୍ନ ଶ୍ରମିକ ସଂଗଠନ ଓ ମାନବିକ ଅଧିକାର ସଂଗଠନ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ଗଣପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ଘରୋଇକରଣ ବିରୁଦ୍ଧରେ ତେଲେଙ୍ଗାନା ପରିବହନ କର୍ମଚାରୀଙ୍କ ସଂଘର୍ଷ ଓ ସୁପ୍ରିମ କୋର୍ଟଙ୍କ ସମାନ କାମକୁ ସମାନ ଦରମା ରାୟ ଆଧାରରେ ନିଜର ଚାକିରୀର ସ୍ଥାୟିତ୍ୱ ଦାବି କରୁଥିବା ଉତ୍ତର ପ୍ରଦେଶ ଗୃହରକ୍ଷୀମାନଙ୍କ ଆନ୍ଦୋଳନକୁ ସଂହତି ଓ ସମର୍ଥନ ଜଣାଇ ଏହି ପ୍ରତିବାଦ ଆୟୋଜନ କରାଯାଇଥିଲା । ନିଜର ଅଧିକାର ପାଇଁ ଓ ଘରୋଇକରଣ ବିରୋଧରେ ସଂଗ୍ରାମ କରୁଥିବା ତେଲେଙ୍ଗାନା ରାଜ୍ୟ ପରିବହନ କର୍ମଚାରୀଙ୍କୁ ଓ ଉତ୍ତର ପ୍ରଦେଶର ଗୃହରକ୍ଷୀମାନଙ୍କର ଅଗଣତାନ୍ତ୍ରିକ ବହିଷ୍କାର ଆଦେଶକୁ ପ୍ରତିବାଦକାରୀମାନେ ତୀବ୍ର ଭର୍ତ୍ସନା କରିବା ସହିତ ତୁରନ୍ତ ସେମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତେଲେଙ୍ଗାନାର ପରିବହନ କର୍ମଚାରୀ ୟୁନିୟନ ଦ୍ୱାରା ଦାବିପତ୍ର ଦିଆଯିବାର ଏକମାସ ପର୍ଯ୍ୟନ୍ତ ମ୍ୟାନେଜମେଣ୍ଟ ଓ ରାଜ୍ୟ ସରକାର ୟୁନିୟନ କର୍ମକର୍ତ୍ତାଙ୍କ ସହିତ କୌଣସି ଆଲୋଚନା ନ କରିବାରୁ ଶ୍ରମିକମାନେ ବାଧ୍ୟ ହୋଇ ଧର୍ମଘଟ ଆରମ୍ଭ କରିଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚେନ୍ଦ୍ରଶେଖର ରାଓଙ୍କ ସରକାର ଏହି ଧର୍ମଘଟକୁ ବେଆଇନ୍ ଘୋଷଣା କରିବା ସହିତ ୪୮୫୬୩ କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି ଯାହା ରାଜ୍ୟ ସରକାରମାନଙ୍କର କର୍ପୋରେଟ ଦଲାଲୀର ଏକ କୁତ୍ସିତ ଉଦାହରଣ । ରାଜ୍ୟ ପରିବହନ କର୍ମଚାରୀଙ୍କ ଏହି ସଂଗ୍ରାମ ରାଜ୍ୟ ପରିବହନ ବ୍ୟବସ୍ଥାକୁ ଘରୋଇ ସଂସ୍ଥାମାନଙ୍କ ହାତରେ ଟେକିଦେବାର ହୀନ ଚକ୍ରାନ୍ତ ବିରୁଦ୍ଧରେ ଏକ ବଳିଷ୍ଠ ପ୍ରତିବାଦ ବୋଲି ସେମାନେ ବର୍ଣ୍ଣନା କରିଥିଲେ । ସଙ୍କଟ ସମୟରେ ଏହି ସଂଘର୍ଷରତ କର୍ମଚାରୀମାନଙ୍କ ଆନ୍ଦୋଳନକୁ ବିଭିନ୍ନ ଶ୍ରମିକ ସଂଗଠନ ଓ ମାନବିକ ଅଧିକାର ସଂଗଠନ ଦୃଢ ସମର୍ଥନ ଜ୍ଞାପନ କରିବା ସହିତ ଏହି ଶ୍ରମିକ ବିରୋଧୀ ଅଗଣତାନ୍ତ୍ରିକ କାର୍ଯ୍ୟ ବିରୋଧରେ ଏକତ୍ର ହେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । \nଏହି ଅବସରରେ ସେମାନେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି, ଶ୍ରମିକ ବିରୋଧୀ ଶ୍ରମ ସଂହିତା ବାତିଲ୍, ଠିକା ଶ୍ରମ ପ୍ରଥା ରଦ୍ଦ କରିବା, ଓଡ଼ିଶାର ସବୁ ଶିଳ୍ପ ପ୍ରତିଷ୍ଠାନରେ ଶ୍ରମ ଆଇନ୍କୁ କଡ଼ାକଡ଼ି ଭାବେ ଲାଗୁ କରିବା, ସମାନ କାମକୁ ସମାନ ଦରମା ଓ ସମସ୍ତ ଶ୍ରମିକମାନଙ୍କୁ ଉପଯୁକ୍ତ ସାମାଜିକ ନିରାପତ୍ତା ଯୋଗାଇ ଦେବାକୁ ଦାବି କରିଥିଲେ । ଏହି ଗଣ ପ୍ରତିବାଦରେ ଟ୍ରେଡ଼ ୟୁନିୟନ ସେଣ୍ଟର ଅଫ ଇଣ୍ଡିଆ ପକ୍ଷରୁ ସୁବଳ ଚରଣ ସାହୁ ଓ ସବ୍ୟସାଚୀ, ଟ୍ରେଡ଼ ୟୁନିୟନ କୋର୍ଡ଼ିନେସନ ସେଣ୍ଟର ପକ୍ଷରୁ ଆବାହକ ଜ୍ୟୋତିରଞ୍ଜନ ମହାପାତ୍ର ଓ ରାଜନାରାୟଣ ଡ଼ାଳୁଆ, ଇନ୍ସାଫ ତଥା ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ପକ୍ଷରୁ ନରେନ୍ଦ୍ର ମହାନ୍ତି, ଅଲ୍ ଇଣ୍ଡିଆ କାଉନ୍ସିଲ୍ ଅଫ୍ ଟ୍ରେଡ଼ ୟୁନିୟନ ସେଣ୍ଟର ପକ୍ଷରୁ ବଂଶୀଧର ପରିଡ଼ା, ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ହେନାରାଣୀ ବାରିକ ଓ ପ୍ରମିଳା ବେହେରା, ଅଲ୍ ଇଣ୍ଡିଆ ରିଭୋଲ୍ୟୁସନାରୀ ମହିଳା ସଂଗଠନ ପକ୍ଷରୁ ମୀନା ଭୋଇ, ଘରୋଇ ମହିଳା ଶ୍ରମିକ ସଂଘ ପକ୍ଷରୁ ମିନତୀ ଭୋଇ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ବିଚିତ୍ର ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ସେମାନେ ଶ୍ରମିକ ଓ ଶ୍ରମ ଅଧିକାର ଉପରେ ଉଭୟ ସରକାରୀ ଓ ଘରୋଇ ମାଲିକମାନଙ୍କର ନଗ୍ନ ଆକ୍ରମଣ ବିରୋଧରେ ଏକାଠି ହେବାକୁ ଓ ସେମାନଙ୍କର ଜୀବନ ଜୀବିକାର ନ୍ୟାୟସଙ୍ଗତ ଆନ୍ଦୋଳନକୁ ସମର୍ଥନ କରିବାକୁ ବ୍ୟାପକ ଜନସାଧାରଣ ଆଗେଇ ଆସିବାକୁ ନିବେଦନ କରିଥିଲେ ।

Related Posts

About The Author

Add Comment