ନୂଆଦିଲ୍ଲୀ, ୧/୧0(ସନ୍ଧାନ ନିୟୁଜ) : ଭାରତ ଗସ୍ତରେ ଆସିଥିବା ଉଜ୍ବେକିସ୍ତାନ ରାଷ୍ଟ୍ରପତି ଶାବ୍କତ୍ ମିର୍ଜିୟୋୟେବଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ମିର୍ଜିୟୋୟେବ୍ କହିଛନ୍ତି, ଉଜ୍ବେକିସ୍ତାନର ଲୋକମାନଙ୍କ ହୃଦୟରେ ଭାରତ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ରହିଛି । ସେ କହିଛନ୍ତି ବର୍ତ୍ତମାନ ଭାରତ ଏକ ଦ୍ରୁତ ପ୍ରଗତି ହାସଲକାରୀ ରାଷ୍ଟ୍ର ଓ ବିଶ୍ୱ ସ୍ତରରେ ଏକ ଶକ୍ତିଶାଳୀ ରାଷ୍ଟ୍ରଭାବେ ଉଭା ହେଉଛି । ଶ୍ରୀ ମିର୍ଜିୟୋୟେବ୍ ରାଜଘାଟ ଯାଇ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ସ୍ମାରକୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା କରିଛନ୍ତି । ଏହି କଥାବାର୍ତ୍ତା ପରେ ଦୁଇ ଦେଶ ମଧ୍ୟରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବ । ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କୁ ମଧ୍ୟ ସାକ୍ଷାତ୍ କରିବେ । ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ତାଙ୍କର ସାକ୍ଷାତ୍ ଆଲୋଚନା ହୋଇଛି । ସୂଚନାଯୋଗ୍ୟ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ସମ୍ପର୍କ ପାରମ୍ପରିକ ଭାବେ ବନ୍ଧୁତାପୂର୍ଣ୍ଣ ଓ ଘନିଷ୍ଠ ରହିଆସିଛି । ୨୦୧୧ ମସିହାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭାଗିଦାରୀ ସମ୍ପର୍କକୁ ଉନ୍ନିତ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ଉନ୍ନୟନମୂଳକ ସହଯେଗ, ଶିକ୍ଷା, ପୁନଃ ନବୀକରଣ ଶକ୍ତି, ସଂଯୋଗ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ସହଯୋଗପାଇଁ ଗଠନମୂଳକ କଥାବାର୍ତ୍ତା ହୋଇଛି ।
ଉଜ୍ବେକିସ୍ତାନ ରାଷ୍ଟ୍ରପତିଙ୍କୁ ଭାରତରେ ଭବ୍ୟ ସ୍ୱାଗତ
|
October 1, 2018 |