ବ୍ରହ୍ମପୁର, ୧୫/୧୨(ସନ୍ଧାନ ନିୟୁଜ) : ଉଜ୍ଜ୍ବଳା ଓ ଚିଟଫଣ୍ଡ ପ୍ରସଙ୍ଗ ନେଇ ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସୂର୍ଯ୍ୟଙ୍କ ନିର୍ବାଚନ ମଣ୍ଡଳିରେ ସୂର୍ଯ୍ୟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଦିଗପହଣ୍ଡି ନିର୍ବାଚନ ମଣ୍ଡଳି ଭୀଷ୍ମଗିରିରେ ବିଜେପିର ଜନ ପରାମର୍ଶ ଯାତ୍ରାରେ ଉଦବୋଧନ ଦେଇ ଚ୍ୟାଲେଞ୍ଜ କରିଛନ୍ତି ଧର୍ମେନ୍ଦ୍ର । “ଗାଁ ଠାକୁରଙ୍କ ମଣ୍ଡପ ଆଗରେ ମନ୍ତ୍ରୀ ଛିଡା ହୋଇ କହି ପାରିବେକି ଚିଟଫଣ୍ଡ ଦୁର୍ନିତିରେ ତାଙ୍କୁ ଏବଂ ତାଙ୍କ ପୁଅକୁ ସିବିଆଇ ଡାକିଛି କି ନାହିଁ ” ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ସେପଟେ ଏଲପିଜି ସବସିଡିକୁ ନେଇ ମଧ୍ୟ ଜବାବ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଖୋଦ ସୂର୍ଯ୍ୟ ପାତ୍ରଙ୍କ ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଏପ୍ରିଲରୁ ବର୍ତ୍ତମାନ ସୁଦ୍ଧା ସୂର୍ଯ୍ୟଙ୍କ ଘରକୁ 5ଟି ସିଲିଣ୍ଡର ଯାଇଛି । ଏବଂ ସେହି ୫ ଟି ସିଲିଣ୍ଡର ପାଇଁ ତାଙ୍କୁ ୧୮୫୦ ଟଙ୍କା ସବସିଡି ମଧ୍ୟ ମଳିଛି । ତେଣୁ ଯୋଗାଣ ମନ୍ତ୍ରୀ ଅଣୁଥିବା ଅଭିଯୋଗ ଗୁଡିକ ଭିତ୍ତିହୀନ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ କିଛିଦିନ ହେଲା ଉଜ୍ବଳା ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କ ମଧ୍ୟରେ ଚାଲିଛି ଟଣାଓଟାର । ମନ୍ତ୍ରୀ ସୂର୍ଯ୍ୟ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଉଜ୍ବଳା ଯୋଜନା ବିଫଳ ହୋଇଛି ଏବଂ ହିତାଧିକାରୀ ଗ୍ୟାସ ରିଫିଲିଂ କରିପାରୁନିଥିବା ଅଭିଯୋଗ ଆଣି ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲେ । ଅଭିଯୋଗକୁ ଭତ୍ତିହୀନ କହିବା ସହିତ ରାଜ୍ୟ ସରକାର ଏକ ପବିତ୍ର ଯୋଜନାର ଅପପ୍ରଚାର କରୁଛୁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିବା ସହ ସୂର୍ଯ୍ୟ ପାତ୍ରଙ୍କୁ କଡା ଜବାବ ଦେଇଥିଲେ