ଭାବନଗର(ଗୁଜୁରାଟ)୨୪/୧୦(ସନ୍ଧାନ ନିୟୁଜ): ଦୁନିଆରେ ବେଳେ ବେଳେ ଏମିତି ଉଦାହରଣ ସୃଷ୍ଟି କଲା ଭଳି ଘଟଣା ଘଟିଥାଏ, ଯାହା ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିଯାଏ । ଠିକ୍ ସେଭଳି ଏକ ଘଟଣା ଘଟିଛି ଗୁଜୁରାଟର ଭାବନଗର ସହରରେ । ଲୋକମାନଙ୍କ ପାଖରେ ସବୁ କିଛି ଥାଇ ମଧ୍ୟ ସମାଜର ଲୋକମାନଙ୍କ ସହ ଲଢ଼ିବାର କ୍ଷମତା ନ ଥାଏ । କିନ୍ତୁ ଭାବନଗରରେ ରହୁଥିବା ଗଣେଶ ଯେଉଁ ସାହସ ଦେଖାଇଛନ୍ତି, ଯାହା ଏବେ ସମସ୍ତଙ୍କୁ ଅନୁପ୍ରାଣିତ କରିବାରେ ଲାଗିଛି । ୧୭ବର୍ଷ ବୟସରେ ତାଙ୍କ ଉଚ୍ଚତା ୩ ଫୁଟ୍ ଏବଂ ଓଜନ ୧୪କିଲୋ ହୋଇ ମଧ୍ୟ ଡ଼ାକ୍ତର ହେବା ସ୍ୱପ୍ନକୁ ଭାଙ୍ଗିବାକୁ ଦେଇ ନାହାନ୍ତି ଗଣେଶ ।
ସୂଚନା ମୁତାବକ, ଘରର ଅବସ୍ଥା ଭଲ ନଥିବା ସହ ଗଣେଶଙ୍କ ମାତା-ପିତା କ୍ଷେତରେ କାମ କରନ୍ତି । ଘରର ପରିସ୍ଥିତି ସୁଧାରିବା ପାଇଁ ଛୋଟ ବେଳୁ ଜଣେ ଡ଼ାକ୍ତର ହେବେ ବୋଲି ସେ ଭାବି ନେଇଥିଲେ । କିନ୍ତୁ ତାଙ୍କୁ ଏକ ଅଜବ ରୋଗ ହେବାରୁ ତାଙ୍କ ଉଚ୍ଚତା ବଢ଼ି ନଥିଲା । ଏହା ତାଙ୍କ ଡ଼ାକ୍ତର ହେବା ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ନିଟ୍ ପରୀକ୍ଷାରେ ୨୩୩ ର୍ୟାଙ୍କ ରଖି ମଧ୍ୟ ତାଙ୍କୁ ଡ଼ାକ୍ତରୀ ପାଠ ପଢ଼ିବାକୁ ଦିଆଯାଇ ନଥିଲା । ଉଚ୍ଚତା କମ ଥିବାରୁ ତୁମେ ବଡ଼ ବଡ଼ ଅସ୍ତ୍ରୋପଚାର କରି ପାରିବ ନାହିଁ ବୋଲି କହି ତାଙ୍କୁ କଲେଜରେ ଆଡ଼୍ମିସନ ମିଳି ନଥିଲା । ନିଜ ସ୍ୱପ୍ନକୁ ଭାଙ୍ଗୁ ଥିବାର ଦେଖି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗଣେଶ । କିନ୍ତୁ ସେଠାରେ ମଧ୍ୟ ହାଇକୋର୍ଟ ତାଙ୍କ ବିପକ୍ଷରେ ରାୟ ଶୁଣାଇଥିଲା ।
ହାଇକୋର୍ଟର ରାୟ ପରେ ଡ଼ାକ୍ତର ହେବା ଅସମ୍ଭବ ବୋଲି ଭାବୁଥିବା ବେଳେ ଜଣେ ବ୍ୟକ୍ତି ଗଣେଶଙ୍କୁ ତାଙ୍କ ଭଳି ଆଉ ଦୁଇ ଜଣ ମଧ୍ୟ ଏହି ଭଳି ମାମଲା ନେଇ ହାଇକୋର୍ଟକୁ ଆସିଥିଲେ ବୋଲି କହିଥିଲେ । ଏହି କଥା ଶୁଣି ସେ ଉକ୍ତ ଦୁଇ ଜଣଙ୍କୁ ଖୋଜିବା ସହ ସେମାନଙ୍କ ସହ ମିଶି ସୁପ୍ରିମକୋର୍ଟରେ ଏ ନେଇ ଅପିଲ କରିଥିଲେ । ଯାହା ପରେ ସୁପ୍ରିମକୋର୍ଟ ହାଇକୋର୍ଟର ରାୟକୁ ଖାରଜ କରି କୌଣସି ଛାତ୍ରର ଉଚ୍ଚତା ବା ଓଜନ କମ ହେଲେ ମଧ୍ୟ ତାକୁ ନିଜ କ୍ୟାରିୟର ଗଢ଼ିବାରେ କେହି ରୋକି ପାରିବେ ନାହିଁ ବୋଲି ରାୟ ଶୁଣାଇଥିଲେ ।