ରାଉରକେଲା,୭/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ) :ଏକ ଅନନ୍ୟ ପ୍ରୟାସର ଅଂଶ ସ୍ୱରୂପ ରାଉରକେଲା ଇସ୍ପାତ କାରଖାନାର ଇସ୍ପାତ ଜେନେରାଲ ହସ୍ପିଟାଲର ୬୬ ଜଣ ଡ଼ିଏନବି ଡାକ୍ତରୀ ଛାତ୍ର ଏବଂ ଇଣ୍ଟର୍ଣ୍ଣଙ୍କୁ ଇସ୍ପାତ କାରଖାନାର କାର୍ୟ୍ୟଧାରା ସମ୍ପର୍କରେ ଅବଗତ କରାଇବା ଲକ୍ଷ୍ୟରେ କାରଖାନା ପରିଦର୍ଶନ କାର୍ୟ୍ୟକ୍ରମରେ ସାମିଲ କରାଯାଇଥିଲା । ଇସ୍ପାତ ପ୍ରସ୍ତୁତିର କୌଶଳ ତଥା ଏଥିନିମନ୍ତେ ମେସିନ ପଛରେ ରହି ସଦାସର୍ବଦା କାର୍ୟ୍ୟରତ କର୍ମଚାରୀଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ସମ୍ପର୍କରେ ସଚେତନ କରିବା ନିମନ୍ତେ ସେମାନଙ୍କୁ କାରଖାନାର ବିଭିନ୍ନ ୟୁନିଟ ପରିଦର୍ଶନରେ ନିଆଯାଇଥିଲା। ଡାକ୍ତରମାନଙ୍କୁ ଶିଳ୍ପ ହାଜାର୍ଡ଼ ଜନିତ ଆକ୍ରାନ୍ତ ରୋଗୀ କର୍ମଚାରୀଙ୍କ ଆକାଂକ୍ଷା ଏବଂ ସ୍ନେହ ଶ୍ରଦ୍ଧା ସହ ରୋଗୀ ଚିକିତ୍ସା ପାଇଁ ଆଇଜିଏଚର ସ୍ଥାପନାର ଉଦ୍ଦେଶ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ସହିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ଏହି ଗସ୍ତ କାର୍ୟ୍ୟକ୍ରମର ଲକ୍ଷ୍ୟ ରହିଥିଲା। ଏହି ଗସ୍ତ କାର୍ୟ୍ୟକ୍ରମ ଗୁଡିକ ଆଇଜିଏଚ ଠାରେ ଓରିଏଣ୍ଟେସନ କାର୍ୟ୍ୟକ୍ରମର ଆୟୋଜନ ସହିତ ଆରମ୍ଭ ହୋଇଥିଲା। ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ଭାରପ୍ରାପ୍ତ ନିର୍ଦ୍ଦେଶକ, ଡକ୍ଟର ଏସ ଏସ ପତି ଏହି କାର୍ୟ୍ୟକ୍ରମଗୁଡିକରେ ଅଧ୍ୟକ୍ଷତା କରିଥିଲେ। ଏହି ଅଧିବେଶନଗୁଡିକରେ କାର୍ମିକ ବିଭାଗର ଡ଼ିଜିଏମ, ଶ୍ରୀ ଟି ଜି କାନେକର ଏବଂ ଆଇଜିଏଚର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଡାକ୍ତରମାନଙ୍କୁ ଇସ୍ପାତ ନିର୍ମାଣ ସହ ଯୋଡି ହୋଇରହିଥିବା ହାଜାର୍ଡ଼ ଏବଂ କାରଖାନା ପରିଦର୍ଶନ ସମୟରେ ଅନୁକରଣୀୟ ସୁରକ୍ଷା ନିୟମାବଳୀ ଗୁଡିକ ସମ୍ପର୍କରେ ଅବଗତ କରାଯାଇଥିଲା। କାର୍ମିକ ବିଭାଗର ଡ଼ିଜିଏମ, ଶ୍ରୀ ଟି ଜି କାନେକର କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।
ଇସ୍ପାତ ଜେନେରାଲ ହସ୍ପିଟାଲର ଡ଼ିଏନବି ଡାକ୍ତରୀ ଛାତ୍ର ଏବଂ ଇଣ୍ଟର୍ଣ୍ଣଙ୍କ ନିମନ୍ତେ ଇସ୍ପାତ କାରଖାନା ଗସ୍ତ କାର୍ୟ୍ୟକ୍ରମ ଆୟୋଜିତ
|
September 7, 2019 |



