ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ଶୀର୍ଷକରେ ଭାରତୀୟ ପାଇଲଟ୍‌ ଦ୍ୱାରା ଦୁର୍ଘଟଣା ଘଟିଛି ଲେଖି ଦୁଃଖପ୍ରକାଶ କଲା ଏହି ଅଗ୍ରଣୀ ଗଣମାଧ୍ୟମ

Spread the love

ନୂଆଦିଲ୍ଲୀ୩୧/୧୦(ସନ୍ଧାନ ନିୟୁଜ) : ଇଣ୍ଡୋନେସିଆର ଲାୟନ୍‌ ଏୟାର୍‌ ପାସେଞ୍ଜର ବିମାନ ଦୁର୍ଘଟଣା ଖବରର ଶୀର୍ଷକ ପାଇଁ ମଙ୍ଗଳବାର ଦୁଃଖପ୍ରକାଶ କରିଛି ଦେଶର ଅଗ୍ରଣୀ ଖବରକାଗଜ ସଂସ୍ଥା ‘ଟାଇମ୍ସ ଅଫ୍‌ ଇଣ୍ଡିଆ’। ଶୀର୍ଷକରେ ଲେଖାଯାଇଥିଲା ‘ଭାରତୀୟ ପାଇଲଟ୍‌ ଦ୍ୱାରା ଉଡ଼ାଯାଇଥିବା ବିମାନଟି ଜାଭା ସମୁଦ୍ରରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ୧୮୯ ଯାତ୍ରୀ ମୃତ’। ଏହି ଶୀର୍ଷକ ପଢ଼ି ବହୁ ଭାରତୀୟ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଶୀର୍ଷକରେ ଭାରତୀୟ ପାଇଲଟ୍‌ ବିମାନ ଚଳାଉଥିଲେ ବୋଲି ଲେଖିବାର କୌଣସି ପ୍ରୟୋଜନ ନ ଥିଲା ବୋଲି ବିଭିନ୍ନ ମହଲରେ ଆଲୋଚନା ହେବା ପରେ ପରଦିନ ‘ଟାଇମ୍ସ ଅଫ୍‌ ଇଣ୍ଡିଆ’ ଏକ ସ୍ପଷ୍ଟୀକରଣ ନୋଟ୍‌ ଦ୍ୱାରା ପାଠକଙ୍କ ନିକଟରେ ଦୁଃଖପ୍ରକାଶ କରିଛି ।

ସ୍ପଷ୍ଟୀକରଣରେ ଦର୍ଶାଯାଇଛି ଯେ ‘ଜଣେ ଭାରତୀୟଙ୍କ ପ୍ରତି ଅସମ୍ବେଦନଶୀଳ ହେବା ଆଦୌ ଉଦେଶ୍ୟ ନଥିଲା। ଆମର ଏହା ଏକ ଭାରତୀୟ ଖରରକାଗଜ ହୋଇଥିବାରୁ କୌଣସି ଭାରତୀୟଙ୍କର ଅନ୍ତର୍ଜାତୀୟ ସ୍ଥାନରେ କୌଣସି ପ୍ରକାର ସଂପୃକ୍ତି ଦେଖିଲେ ତାହାକୁ ଆମେ ସଂଯୋଗ କରି ଖବର ଦେବାକୁ ଉଦ୍ୟମ କରିଥାଉ। ଯଦିଓ ଏହା କିଛି ଭାରତୀୟଙ୍କୁ ଦୁଃଖୀ କରିଛି, ମାତ୍ର ଜଣେ ଭାରତୀୟ ପାଇଲଟଙ୍କର ସାହସିକତା, ତ୍ୟାଗକୁ ଦର୍ଶାଇବା ଲକ୍ଷ୍ୟରେ ଶୀର୍ଷକଟି ଲେଖାଯାଇଥିଲା। ଯଦି ବି ଏହା କାହାରି ଭାବନାକୁ କ୍ଷତି ପହଞ୍ଚାଇଛି ଶେଷର ଆମ ତରଫରୁ ଆମେ ଦୁଃଖପ୍ରକାଶ କରୁଛୁ।’

ବ୍ୟଙ୍ଗ କଳାକାର ଅତୁଲ ଖତ୍ରୀ ଶୀର୍ଷକଟିକୁ ପଢ଼ବା ପରେ ଟୁଇଟର୍‌ରେ ସମାଲୋଚନା କରିଥିଲେ। ପରଦିନ ସ୍ପଷ୍ଟୀକରଣ ପାଇବା ପରେ ସେ ସେହି ପୃଷ୍ଠାଟିକୁ ଟୁଇଟର୍‌ରେ ସେୟାର୍‌ କରି ତାଙ୍କ ପୋଷ୍ଟ୍‍ର ଉତ୍ତମ ଉତ୍ତର ମିଳିଛି ବୋଲି ପ୍ରକାଶ କରିଛନ୍ତି।

Related Posts

About The Author

Add Comment