କଟକ, 12.02.2021 (ସନ୍ଧାନ ନିଉଜ୍) :- ଆସନ୍ତା ୧୫ତାରିଖରୁ ହାଇକୋର୍ଟରେ ସିଧାସଳଖ ଶୁଣାଣି ଆରମ୍ଭ ହେଉଛି । କିଭଳି ଭାବେ ସିଧାସଳଖ ଶୁଣାଣି ଚାଲିବ ସେଥିପାଇଁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଆଜି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍ (ଏସ୍ଓପି) ଜାରି କରାଯାଇଛି । ସିଧାସଳଖ ଶୁଣାଣି ବ୍ୟବସ୍ଥା ଆରମ୍ଭ ହେଉଥିଲେ ମଧ୍ୟ ପୂର୍ବପରି ଭିଡିଓ କନ୍ଫରେନ୍ସିଂରେ ଜରିଆରେ ଭର୍ଚୁଆଲ୍ ଶୁଣାଣି ମଧ୍ୟ ଜାରି ରହିବ ବୋଲି ହାଇକୋର୍ଟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ହାଇକୋର୍ଟରେ ଭର୍ଚୁଆଲ୍ ଓ ଫିଜିକାଲ୍ ଏଇଭଳି ଦୁଇ ପ୍ରକାର ଶୁଣାଣି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବାରୁ ଆଇନଜୀବୀମାନଙ୍କୁ ନିଜ ପସନ୍ଦର ବ୍ୟବସ୍ଥା ବାଛିବାକୁ କୁହାଯାଇଛି । ଜଣେ ଆଇନଜୀବୀ ଯଦି ଚାହିଁବେ ଭର୍ଚୁଆଲ୍ରେ କିମ୍ବା ଫିଜିକାଲ୍ ଶୁଣାଣିରେ ମାମଲା ପରିଚାଳନା କରିପାରିବେ । ତେବେ ସିଧାସଳଖ ଶୁଣାଣି ବ୍ୟବସ୍ଥାରେ କୋର୍ଟ ରୁମ୍ରେ ସର୍ବାଧିକ ୫ଜଣ ଆଇନଜୀବୀଙ୍କୁ ଏକକାଳୀନ ଉପସ୍ଥିତ ରହିବାକୁ ଅନୁମତି ମିଳିବ ବୋଲି କୁହାଯାଇଛି । ପ୍ରାୟ ୧୧ ମାସ ପରେ ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ଯାଉଛି ହାଇକୋର୍ଟ । ତେବେ କୋର୍ଟରେ ଭିଡ଼ ଏଡାଇବା ପାଇଁ ଏସ୍ଓପିରେ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ କରାଯାଇଛି । କରୋନା କଟକଣା ଅନୁସାରେ ହିଁ ସିଧାସଳଖ ଶୁଣାଣି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଉଭୟ ଭର୍ଚୁଆଲ୍ ଓ ଫିଜିକାଲ୍ ଶୁଣାଣି ପାଇଁ ଆଇନଜୀବୀମାନଙ୍କୁ ସୁଯୋଗ ଦିଆଯାଇଛି । ଆଇନଜୀବୀମାନେ ନିଜ ଇଚ୍ଛା ମୁତାବକ ବ୍ୟବସ୍ଥା ବାଛିବେ । ଯଦି ଜଣେ ଆଇନଜୀବୀ ନିର୍ଦ୍ଦିଷ୍ଟ ଭାବେ କୌଣସି ବ୍ୟବସ୍ଥା ଚଏସ୍ କରୁନାହାନ୍ତି ତେବେ ଭର୍ଚୁଆଲ୍ ମୋଡ୍ରେ ଶୁଣାଣି ହେବ ବୋଲି ଧରି ନିଆଯିବ । ଯଦି କେହି ଆଇନଜୀବୀ ଉପାନ୍ତ ଅଞ୍ଚଳରୁ ଭର୍ଚୁଆଲ୍ ମୋଡ୍ରେ କୌଣସି ମାମଲା ପରିଚାଳନା କରିବାକୁ ଚାହୁଁଥାନ୍ତି ଏହାପୂର୍ବରୁ କୋର୍ଟ ମାଷ୍ଟରଙ୍କ ନିକଟକୁ ନିଜର ନାମ, କେସ୍ ନମ୍ବର, କେସ୍ ସମ୍ପର୍କରେ ସବିଶେଷ ତଥ୍ୟ ଜଣାଇବାକୁ ପଡିବ । ଏଥିସହ ମାମଲାର ଶୁଣାଣି ପୂର୍ବରୁ ନିଜର ଫୋନ୍ ନମ୍ବର ମଧ୍ୟ ଦେବାକୁ ପଡିବ । ଏଥିପାଇଁ କଜ୍ ଲିଷ୍ଟରେ କୋର୍ଟ ମାଷ୍ଟରଙ୍କ ମୋବାଇଲ୍ ନମ୍ବର ପ୍ରଦାନ କରାଯିବ । ଯେଉଁ ମାମଲାର ଯେତେବେଳେ ସମୟ ଆସିବ ସେହି ମାମଲାକୁ ସେତେବେଳେ ଶୁଣାଣି କରାଯିବ । ଜାରି ହୋଇଥିବା ଏସ୍ଓପି ଅନୁସାରେ, ଆଇନଜୀବୀ, କ୍ଲର୍କ କିମ୍ବା କୌଣସି ପକ୍ଷ ଓଡିଶା ହାଇକୋର୍ଟ, ବାର୍ ଆସୋସିଏସନ୍ କିମ୍ବା ଆଇନଜୀବୀ ପରିଷଦ ଦ୍ୱାରା ଦିଆଯାଇଥିବା ପାସ୍ ଦେଖାଇ କୋର୍ଟକୁ ପ୍ରବେଶ କରିପାରିବେ । ପରେ ସେମାନେ ପ୍ରତ୍ୟେକ କୋର୍ଟ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରହିଥିବା ପ୍ରତୀକ୍ଷାଗୃହରେ ନିଜ ମାମଲାର ଶୁଣାଣିର ସମୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବେ । ଗୋଟିଏ ପକ୍ଷ ଲାଗି ଜଣେ ଆଇନଜୀବୀ ଏବଂ ଜଣେ କ୍ଲର୍କଙ୍କୁ ଅନୁମତି ଦିଆଯିବ । ବରିଷ୍ଠ ଆଇନଜୀବୀଙ୍କ ଲାଗି ଜଣେ ସହକାରୀ ଆଇନଜୀବୀ ସାଥୀରେ ଯାଇପାରିବେ । କୋର୍ଟ ପରିସରରେ ଭିଡ଼ କରିବାକୁ ଅନୁମତି ଦିଆଯିବ ନାହିଁ । ଯଦି କୌଣସି କେସ୍ରେ ମହକିଲଙ୍କ ଉପସ୍ଥିତିର ଆବଶ୍ୟକତା ରହିଥାଏ ତାହେଲେ ଅଦାଲତଙ୍କ ଅନୁମତି ନେଇ ସେମାନେ କୋର୍ଟରେ ଉପସ୍ଥିତ ହୋଇପାରିବେ । କୋର୍ଟ ରୁମ୍ ଭିତରେ ଏବଂ ବାହାରେ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । କେବଳ ୫ଟି କେସ୍ର ଆଇନଜୀବୀ ଏବଂ ସେମାନଙ୍କ ପକ୍ଷ କୋର୍ଟ ରୁମ୍ରେ ଉପସ୍ଥିତ ରହିପାରିବେ । ଗୋଟିଏ ସମୟରେ କେବଳ ୫ଜଣ ଆଇନଜୀବୀଙ୍କୁ କୋର୍ଟ ରୁମ୍ରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯିବ । କୋର୍ଟ ରୁମ୍ରେ ଉପସ୍ଥିତ ଥିବା ମସ୍ତଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସରକାରଙ୍କ ପକ୍ଷରୁ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଯାହାସବୁ ନିୟମ ଲାଗୁ କରାଯାଇଛି ସେସବୁ କଡାକଡି ଭାବେ ପାଳନ କରାଯିବ ବୋଲି ଏହି ଏସ୍ଓପିରେ କୁହାଯାଇଛି ।
ଆସନ୍ତା ୧୫ତାରିଖରୁ ହାଇକୋର୍ଟରେ ସିଧାସଳଖ ଶୁଣାଣି ଆରମ୍ଭ
|
February 12, 2021 |