ଆସନ୍ତା ମାର୍ଚ୍ଚ ୬ରେ ଯୋଡ଼ାରେ ଅନୁଷ୍ଠିତ ହେବ କଂଗ୍ରେସର ଜିଲ୍ଲାସ୍ତରୀୟ ଜନଅଧିକାର ସମାବେଶ 

Spread the love
ଯୋଡ଼ା, ୫/୩/୨୬ (ସନ୍ଧାନ ନ୍ୟୁଜ ) ଆସନ୍ତା ମାର୍ଚ୍ଚ ୬ ତାରିଖରେ ଯୋଡ଼ା ସ୍ଥିତ ବନେଇକଳା ଦୁର୍ଗାପୂଜା ପଡିଆ ଠାରେ କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରୀୟ ଜନଅଧିକାର ସମାବେଶ ଅନୁଷ୍ଠିତ ହେବ। ଏନେଇ ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ସାଂସଦ ତଥା କଂଗ୍ରେସ ଆଦିବାସୀ ସେଲର ଅଧ୍ୟକ୍ଷ ଯସବନ୍ତ ନାରାୟଣ ସିଂ ଲାଗୁରୀ ସାମ୍ବାଦିକ ମାନଙ୍କୁ ଏନେଇ ସୂଚନା ଦେଇ କହିଥିଲେ ଯେ, ଖଣି ଅଞ୍ଚଳର ଜନସାଧାରଣ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ଠାରୁ ଅବହେଳାର ଶିକାର ହୋଇ ଆସୁଛନ୍ତି। ଏହି ଅଞ୍ଚଳରୁ ରାଜ୍ୟ ଓ ଜାତୀୟ ରାଜକୋଷକୁ ଅଧିକା ରାଜସ୍ବ ଦେଉଛି। ମାତ୍ର ଲୋକଙ୍କ ଜୀବନ ଧାରଣର ମାନରେ ପରିବର୍ତ୍ତନ ହୋଇନାହିଁ। ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଆଦି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି। ଖଣି ଅଞ୍ଚଳରେ ଦିନକୁ ଦିନ ବେକାରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖଣିରେ ନିଯୁକ୍ତି ମିଳୁନାହିଁ। ଯାନ୍ତ୍ରିକ ଖଣି ଚଳନ, ସ୍ଲରୀ ପାଇପ ଓ ରେଳ ଯୋଗେ ଖଣିଜ ପରିବହନ ବହୁଳ ପରିମାଣରେ ହେଉଛି। ଟ୍ରକ ଯୋଗେ ଖଣିଜ ପରିବହନକୁ ଖଣି କମ୍ପାନୀ ମାନେ ଆଦୌ ଗୁରୁତ୍ଵ ଦେଉ ନାହାନ୍ତି। ଫଳରେ ରୋଜଗାର ଆଶାରେ ଟ୍ରକ୍ ଋଣ କରିଥିବା ହଜାର ହଜାର ଖଣି ଅଞ୍ଚଳର ଯୁବକ ମାନେ ଟ୍ରକ୍ ଯୋଗେ ଖଣିଜ ପରିବହନ କାର୍ଯ୍ୟହରା ହେଉଛନ୍ତି। ଏଦିଗରେ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଖଣି ଅଞ୍ଚଳରେ ଆର୍ଥିକ ସଂକଟ ମଧ୍ୟରେ ଲୋକେ ଗତି କରୁଛନ୍ତି। ନିର୍ବାଚନ ସମୟରେ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ଫେଲ ମାରିଥିବା ନେଇ ସେ କହିଥିଲେ ଯେ, ସୁଭଦ୍ରା ଯୋଜନାରେ ବାର୍ଷିକ ୫୦ ହଜାର ଟଙ୍କା ଦେବା ପାଇଁ ଏବଂ ବାର୍ଦ୍ଧକ୍ୟ ଭତା ୩୦୦୦ ରୁ ୪୦୦୦ ଟଙ୍କାକୁ ବୃଦ୍ଧି କରିବା, ୩୦୦ ୟୁନିଟ ବିଦ୍ୟୁତ୍ ବିଲ୍ ଫ୍ରୀ କରିବା ପ୍ରଭୃତି ଦେଇଥିବା ପ୍ରତଶ୍ରୁତି ପାଳନ କରିବା ଦିଗରେ ସରକାର ଆନ୍ତରିକତା ଦେଖାଉନାହାଁନ୍ତି। ସୁପ୍ରିମକୋର୍ଟଙ୍କ କ୍ଲୀଅରାନ୍ସ ସତ୍ତ୍ୱେ ଖଣି ରାଜସ୍ୱ ସହିତ ଅତିରିକ୍ତ ସେସ ଆଦାୟ ପାଇଁ ସରକାର ଆନ୍ତରିକତା ନ ଦେଖାଉ ନାହାନ୍ତି। ସରକାର କର୍ପୋରେଟ ମାନଙ୍କର ସ୍ବାର୍ଥ ସାଧନ ପାଇଁ କାମ କରୁଛି। ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ସରକାର ଆଦୌ ଚିନ୍ତା କରୁନାହିଁ ।  ଖଣି ଅଞ୍ଚଳର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଓ ଓମବାଡିସିରେ ରହିଥିବା ଅର୍ଥକୁ ଖଣି ଅଞ୍ଚଳରେ ଖର୍ଚ୍ଚ କରାନଯାଇ ସରକାର ସୁଭଦ୍ରା ଯୋଜନାରେ ଖର୍ଚ୍ଚ କରୁଥିବା ଶୁଣିବାକୁ ମିଳୁଛି ବୋଲି ସେ ଅଭିଯୋଗ କରିବା ସହିତ ଖଣି ଟଙ୍କାକୁ ଖଣି ଅଞ୍ଚଳର ବିକାଶ କ୍ଷେତ୍ରରେ ଠିକ୍ ଭାବେ ଖର୍ଚ୍ଚ କରିବା ପାଇଁ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଥିଲେ। ଖଣି ଅଞ୍ଚଳବାସୀ ନିଜର ବଞ୍ଚିବା ଅଧିକାର କିପରି ପାଇବେ ସେ ନେଇ କଂଗ୍ରେସ ପକ୍ଷରୁ ଏହି ଜନଅଧିକାର ସମାବେଶରେ ସ୍ୱର ଉଠାଯିବ। ଲୋକଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ। ଏହି ସମାବେଶରେ କଂଗ୍ରେସର ପ୍ରଦେଶ କମିଟି ସଭାପତି ଭକ୍ତ ଦାସ, କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲୋଲୁ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଜୟଦେବ ଜେନାଙ୍କ ସହିତ ଜିଲ୍ଲା ସଭାପତି ମନୋଜ ଜେନା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଯୋଡ଼ା ନଗର କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ନାୟକ, ଯୋଡ଼ା ବ୍ଳକ ସଭାପତି ଚନ୍ଦ୍ରବୀର କୁମାର ମହାନ୍ତ ଉପସ୍ଥିତ ଥିଲେ।

Related Posts

About The Author

Add Comment