ଗଂଜାମ, ୧୯/୨(ସନ୍ଧାନ ନିଉଜ) ଓଡିଶା ରାଜନୀତିରେ ଗଂଜାମ ସବୁବେଳେ ଚର୍ଚ୍ଚାରେ । କାରଣ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା । 2000 ମସିହା ପରଠାରୁ ଏହି ଜିଲ୍ଲାରେ ବିଜେଡିର ସବୁବେଳେ ଦବଦବା ରହିଛି । 2019ରେ ମଧ୍ୟରେ ସେହି ଟ୍ରେଣ୍ଡ ବଳବତ୍ତର ରଖିବାକୁ ଚେଷ୍ଟା କରୁଛି ବିଜେଡି । କିନ୍ତୁ ଏଥିପାଇଁ ଦଳ ପକ୍ଷରୁ କିଛି କଠୋର ପଦକ୍ଷେପ ନିଆଯିବ । ଜନ ଅସନ୍ତୋଷର ଶିକାର ହେଉଥିବା ବିଧାୟକ ଏବଂ ଜନକଲ୍ୟାଣକାରୀ ଯୋଜନାରୁ ନିଜକୁ ଦୂରେଇ ରଖୁଥିବା ଲୋକ ପ୍ରତିନିଧିଙ୍କୁ ଆଉ 2019ରେ ଲଢିବାର ସୁଯୋଗ ଦେବେନି ମୁଖ୍ୟମନ୍ତ୍ରୀ ।
ଗଂଜାମ ଜିଲ୍ଲାରେ ରହିଛି 13ଟି ବିଧାନସଭା କ୍ଷେତ୍ର । ହିଂଜିଳି, ସାନଖେମୁଣ୍ଡି, ସୋରଡା, ଆସ୍କା, ଛତ୍ରପୁର, ଖଲିକୋଟ, କବିସୂର୍ଯ୍ୟନଗର, ପୋଲସରା, ଚିକିଟି, ଦିଗପହଣ୍ଡି, ବ୍ରହ୍ମପୁର, ଗୋପାଳପୁର ଓ ଭଂଜନଗର । ବିଧାନସଭା ଆସନ ଦୃଷ୍ଟିରୁ ଏହି ଜିଲ୍ଲାରୁ ସର୍ବାଧିକ ଲୋକପ୍ରତିନିଧି ନିର୍ବାଚିତ ହେଉଛନ୍ତି । ବର୍ତ୍ତମାନ 13ଟି ଯାକ ବିଧାନସଭା ଆସନ ବିଜେଡି ଦଖଲରେ ରହିଛି । 2009ରେ କିନ୍ତୁ ବିଜେଡି ଦୁଇ ଆସନ ହାରିଯାଇଥିଲା । ସିପିଆଇ ଆଉ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ପାଇଥିଲେ । ତେଣୁ 2014ର ବିଜୟ ଅଭିଯାନକୁ 2019ରେ ମଧ୍ୟ ଜାରି ରଖିବାକୁ ଏଥର ପ୍ରାର୍ଥୀ ଚୟନକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ।
ଏହିଦୃଷ୍ଟିରୁ ଏଥର 6ରୁ 7ଟି ଆସନରେ ନୂଆ ମୁହଁ ଦେବାକୁ ଚିନ୍ତା କରାଯାଉଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଆସନରୁ କ୍ରମାଗତ ଭାବେ ଜିତିଆସୁଥିବା ଭି. ସୁଜ୍ଞାନୀ ଦେଓ ଏଥର ଆଉ ନିର୍ବାଚନ ଲଢିବେ ନାହିଁ । ଗତ କିଛି ମାସ ହେଲା ସେ ଅସୁସ୍ଥ ଅଛନ୍ତି । ଅସୁସ୍ଥତା ଯୋଗୁଁ ଗତ ଗତ ବିଧାନସଭାର ବଜେଟ ଅଧିବେଶନରେ ଯୋଗ ଦେଇନଥିଲେ । ସେହିପରି ଆସିକା ଆସନକୁ ପ୍ରତିନିଧିତ୍ବ କରୁଥିବା ଦେବରାଜ ମହାନ୍ତି ମଧ୍ୟ 2019ରେ ଆଉ ବିଜେଡି ଟିକେଟରେ ଲଢିବାର ସମ୍ଭାବନା କମ । କାରଣ ତାଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ସେହିଭଳି ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମଧ୍ୟ ଏଥର ଆଉ ନିର୍ବାଚନ ଲଢିବେ ନାହିଁ । କାରଣ ସେ ମଧ୍ୟ ଗୁରୁତ୍ତର ଭାବେ ଅସୁସ୍ଥ ଥିବା ଜଣାପଡିଛି । ତେଣୁ ତାଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ଆଉ ଜଣଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା ଜଣାପଡିଛି ।