ଆର.ଏସ.ପି. ସେଲ ହକି ଏକାଡେମୀର ସିଲାନନ୍ଦ ଲାକ୍ରା ଭାରତୀୟ ଜୁନିୟର ହକି ଦଳରେ ସାମିଲ

Spread the love

ରାଉରକେଲା, ୩/୧୦ (ସନ୍ଧାନ ନିଉଜ) : ନବମ ସୁଲତାନ ଜୋହର କପରେ ଅଂଶଗ୍ରହଣ ନିମନ୍ତେ ଘୋଷିତ ଭାରତୀୟ ଜୁନିୟର ହକି ଦଳରେ ରାଉରକେଲା ଇସ୍ପାତ କାରଖାନାର ସେଲ ହକି ଏକାଡେମିର ପ୍ରାକ୍ତନ କ୍ୟାଡେଟ, ସିଲାନନ୍ଦ ଲାକ୍ରାଙ୍କ ଚୟନ ଖବର ଇସ୍ପାତ ସହର ଓ ରାଜ୍ୟ ପାଇଁ ବିପୁଳ ଖୁସି ଆଣିଦେଇଛି । ଏହି ଟୁର୍ଣ୍ଣାମେଣ୍ଟ ମାଲେସିଆ ଠାରେ ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଭାରତ ବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ, ଜାପାନ, ଅଷ୍ଟ୍ରେଲିଆ, ଗ୍ରେଟ ବ୍ରିଟେନ ଓ ଆୟୋଜକ ମାଲେସିଆ ଭାଗ ନେଉଛନ୍ତି। ସୂଚନାଯୋଗ୍ୟ ଯେ କ୍ରମାଗତ ତୃତୀୟ ବର୍ଷ ନିମନ୍ତେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ଭାରତୀୟ ଦଳରେ ସିଲାନନ୍ଦ ସ୍ଥାନ ପାଇଛନ୍ତି । ଏହି ପ୍ରତିଯୋଗିତାରେ ଭାରତ ୨୦୧୮ ମସିହାରେ ରୌପ୍ୟ ପଦକ ଏବଂ ୨୦୧୭ରେ କାଂସ୍ୟ ପଦକ ଲାଭ କରିଥିଲା।   ଉଲ୍ଲେଖନୀୟ ଯେ, ଫରୱାର୍ଡ ଲାଇନରେ ଖେଳୁଥିବା ସିଲାନନ୍ଦ, ୨୦୧୮ ମାର୍ଚ୍ଚ ମାସରେ ମାଲେସିଆର ଇପୋ ଠାରେ ଆୟୋଜିତ ୨୭ ତମ ସୁଲତାନ ଅଜଲାନ ସାହ ହକି ପ୍ରତିଯୋଗିତାରେ ଭାରତୀୟ ସିନିୟର ଜାତୀୟ ହକି ଦଳର ପ୍ରତିନିଧିତ୍ଵ ସହିତ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଇଂଲଣ୍ଡ ବିରୁଦ୍ଧରେ ନିଜ ଆନ୍ତର୍ଜାତୀୟ କ୍ୟାରିଅରର ପ୍ରଥମ ଗୋଲ ସ୍କୋର କରିଥିଲେ। ତାଙ୍କର ଗୋଲ ଜରିଆରେ ଭାରତ ଉକ୍ତ ମ୍ୟାଚକୁ ୧-୧ରେ ଅମୀମାଂଶିତ ରଖିବାରେ ସକ୍ଷମ ହୋଇଥିଲା। ଜୁଲାଇ ମାସରେ ବେଲଜିୟମ ଠାରେ ଅନୁଷ୍ଠିତ ୨୩ ବର୍ଷରୁ କମ ଷଡ ରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ଵ କରିଥିଲେ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲାର କାଲିଜାପଥର ଗ୍ରାମର ନିବାସୀ ଶ୍ରୀ କାର୍ଲସ ଲାକ୍ରା ଓ ଶ୍ରୀମତୀ ମେରି ଗ୍ରେସ ଲାକ୍ରାଙ୍କ ସୁପୁତ୍ର ସିଲାନନ୍ଦ ୨୦୧୫ ଅଗଷ୍ଟ ମାସରେ ସେଲ ହକି ଏକାଡେମୀରେ ଯୋଗଦେଇଥିଲେ। ସେ ଏକାଡେମୀ ଯୋଗଦେଇ ସେଲ ହକି ଏକାଡେମୀର ଭେଟେରାନ କୋଚ ଯଥା ଏନ.ଆଇ.ଏସ. (ଜାତୀୟ କ୍ରୀଡା ପ୍ରତିଷ୍ଠାନ) ମାନ୍ୟତାପ୍ରାପ୍ତ କୋଚ, ଶ୍ରୀ ରାଜୁ କାନ୍ତ ସାଇନି ଏବଂ ଆର.ଏସ.ପି.ର ହକି କୋଚ ତଥା ଭାରତୀୟ ଜୁନିୟର ହକି ଦଳର ପୂର୍ବତନ ଖେଳାଳୀ, ଶ୍ରୀ ପିଟର ତିର୍କୀଙ୍କ ଠାରୁ ଖେଳର ବିଭିନ୍ନ କୌଶଳ ଶିକ୍ଷା ଲାଭ କରିଛନ୍ତି।

Related Posts

About The Author

Add Comment