କେନ୍ଦୁଝର, ୨୩ା୬(ସନ୍ଧାନ ନୁ୍ୟଜ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଫୁଲଝରଠାରେ ଥିବା ଆର୍ଡେଣ୍ଟ ଷ୍ଟିଲ କାରଖାନାରେ ମାଓବାଦୀଙ୍କ ନାମରେ ୩କୋଟି ଟଙ୍କା ବଟି ମାଗିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନୟାକୋଟ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ନିକଟରୁ ୩ଟି ବନ୍ଧୁକ ଏବଂ ସେ ବ୍ୟବହାର କରୁଥିବା ଏକ ଟାଟାସୁମୋ ଗାଡିକୁ ମଧ୍ୟ ପୋଲିସ ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଏହି ଘଟଣାର ମୁଖ୍ୟ ନାୟକ ଯୋଡା ହୁଡିସାହିରେ ରହୁଥିବା ୰ଅବଦୁଲ ଇସାକଙ୍କ ପୁଅ ଅବଦୁଲ ଗଫର ଅହମ୍ମଦ ବାମେବାରୀ ଥାନା ଅନ୍ତର୍ଗତ ନଇବୁଗାକୁ ଆସୁଥିବା ଖବର ପାଇ ନୟାକୋଟ ପୋଲିସ ଜାଲ ବିଛାଇଥିଲା। ସେ ଅସ୍ତ୍ରଶସ୍ତ୍ର ସହ ଓଆର୍୦୯-ଏଚ୍-୩୧୯୧ ନମ୍ବର ବିଶିଷ୍ଟ ଏକ ନାଲି ଟାଟା ସୁମୋ ଗାଡିରେ ସେଠାରେ ପହଞ୍ଚିବା ପରେ ପୂର୍ବରୁ ଛପି ରହିଥିବା ପୋଲିସ ଅବଦୁଲ ଗଫରକୁ ଶୁକ୍ରବାର ସନ୍ଧ୍ୟାରେ କାବୁ କରି ନେଇଥିଲା। ତା’ ନିକଟରୁ ଟାଟା ସୁମୋ ଗାଡି, ତିନୋଟି ଦେଶୀ ବନ୍ଧୁକ ଏବଂ ଦୁଇଗୋଟି ମୋବାଇଲ ଫୋନ୍କୁ ମଧ୍ୟ ପୋଲିସ ଜବତ କରିଛି। ଏନେଇ ଶନିବାର ଦିନ କେନ୍ଦୁଝର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଅଭିଯୁକ୍ତକୁ ହାଜର କରାଯାଇଥିବାବେଳେ ଏହି ସାମ୍ବାଦିକ ସମ୍ମିଳନୀରେ ପୋଲିସ ମୁଖ୍ୟାଳୟ ଡିଏସ୍ପି ଶୁଭ୍ରାଂଶୁ ଶେଖର ମିଶ୍ର, ନୟାକୋଟ ଥାନା ଅଧିକାରୀ ବିରଞ୍ଚି ନାରାୟଣ ବାଗଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ଏହି ମାମଲାରେ ଝାରଖଣ୍ଡ ସିଂହଭୂମର ବାବୁଲୁ ସିଂ ଖୁଣ୍ଟିଆ, ଯୋଡା କୁଲଡୁଙ୍ଗର ଦୂର୍ଗାଚରଣ ମୁଣ୍ଡା, ଯୋଡା ବାଂଶପାଣିର ତ୍ରିଲୋଚନ ମୁଣ୍ଡା ଗତ ମେ ୧୭ତାରିଖରେ ଗିରଫ ହୋଇଥିଲେ।
Report – Nihar Jena