ଆରମ୍ଭ ହେଲା ଗୁପ୍ତ ଗୁଣ୍ଡିଚା ଯାତ୍ରା

Spread the love

ପୁରୀ, ୦୧/୧୦ (ସନ୍ଧାନ ନିଉଜ) – ଷୋଳପୂଜାର ନବମ ଦିନରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦୁର୍ଗାମାଧବଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା। ଆଗାମୀ ଦଶହରା ପର୍ଯ୍ୟନ୍ତ ଏହା ଚାଲୁରହିବ। ଏଥିପାଇଁ ଶ୍ରୀମନ୍ଦିରରେ ପାଳିତ ହୋଇଛି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ। ଏଥିପାଇଁ ରବିବାର ସକାଳଧୂପ ପରେ ଭଣ୍ଡାର ଘରେ ବିଜେ ହୋଇଥିବା ଦୁର୍ଗାମାଧବ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇଁ ଜୟବିଜୟ ଦ୍ୱାରଦେଇ ଝୁଲଣ ମଣ୍ଡପ ପାଖରେ ବିଜେ କରିଥିଲେ। ଶ୍ରୀମନ୍ଦିରରୁ ଏହି ରଥରେ ବିଜେ ଦୁର୍ଗାମାଧବ ବଡ଼ ଦେଉଳରୁ ନାରାୟଣୀ ମନ୍ଦିର ଅଭିମୁଖେ ଯାତ୍ରାକରିଥିଲେ। ଏକ ରଥାକୃତିର ବିମାନରେ ଦୁର୍ଗାମାଧବ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ଯାଇଥିଲେ। ଯାହାକୁ ଶ୍ରୀମନ୍ଦିର ପରଂପରାରେ ଗୁପ୍ତ ଗୁଣ୍ଡିଚା ଯାତ୍ରା କୁହାଯାଏ। ନାରାୟଣୀ ମନ୍ଦିରରେ ସ୍ୱତନ୍ତ୍ରୀ ପୂଜାର୍ଚ୍ଚନା ପରେ ଦୁର୍ଗାମାଧବ ଶ୍ରୀଜୀଉଙ୍କ ଚନ୍ଦନଲାଗି ବଢି ବଡ଼ସିଂହାର ବେଶ ବଢିବା ବେଳକୁ ଶ୍ରୀମନ୍ଦିରକୁ ଫେରିଥିଲେ। ଯାତ୍ରା ବେଳେ ମା ନାରାୟଣୀଙ୍କ ପୀଠରେ ଦୁର୍ଗାମାଧବଙ୍କୁ କର୍ପୁର ଜଳଲାଗି କରାଯିବା ସହ ଶିତଳ ଭୋଗ ଓ ବନ୍ଦାପନା କରାଯାଇଥିଲା। ବଡ଼ଦେଉଳରେ ସଂଧ୍ୟାଧୂପବଢି ଠକୁରଙ୍କ ରାତି ଚନ୍ଦନଲାଗି ବେଳେ ଦୁର୍ଗାମାଧବ ନାରାୟଣୀଙ୍କ ପୀଠରୁ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ଦୁର୍ଗାମାଧବଙ୍କ ଏହି ଗୁପ୍ତ ଗୁଣ୍ଡିଚା ଯାତ୍ରା ଦର୍ଶନରୁ ଅଲୁଭ୍ୟ ପୂଣ୍ୟ ପ୍ରାପ୍ତିହେବାର ଧର୍ମବିଶ୍ୱାସ ରହିଛି। ଦୁର୍ଗାମାଧବଙ୍କ ଏହି ଯାତ୍ରାକୁ ମଧ୍ୟ ଅନେକ ଶାକ୍ତ ଗୁଣ୍ଡିଚା ଯାତ୍ରା ଭାବେ ଅଭିହିତ କରିଥାନ୍ତି। ଦଶହରା ପର୍ଯ୍ୟନ୍ତ ଦୁର୍ଗାମାଧବଙ୍କ ଏହି ଗୁଣ୍ଡିଚା ଯାତ୍ରା ପ୍ରତ୍ୟହ ଜାରି ରହିବ। ପ୍ରଚଳିତ ପରଂପରାରେ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପାସନାର ଏହା ହେଉଛି ସ୍ୱତନ୍ତ୍ରତା ବୋଲି ମତ ଦିଅନ୍ତି ଗବେଷକ।

Report-Lal ananta singh

Related Posts

About The Author

Add Comment