ଆରପାରିରେ ରୋଜଗାରିଆ ପୁଅ, ଚିନ୍ତାରେ ପରିବାର

Spread the love

ରାଉରକେଲା, ୨୭/୦୭ (ସନ୍ଧାନ ନିଉଜ) : ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଦକ୍ଷିଣ ରାଉରକେଲାର ଅନନ୍ତ ନାରାୟଣ ଭୋଳ ଏବେ ଆର ପାରିରେ । ଯାହାକୁ ନେଇ ଏବେ ଚିନ୍ତାରେ ସମୂର୍ଣ୍ଣ ପରିବାର । କରୋନା ଗାଇଡ଼ ଲାଇନ ଯୋଗୁ  ପରିବାର ଓ ସ୍ଥାନୀୟ ବନ୍ଧୁ ପରିଜନ କରୋନା ଆକ୍ରାନ୍ତ ଯୁବକଙ୍କ ଶେଷ ଦର୍ଶନ ମଧ୍ୟ କରି ପାରିଲେ ନାହିଁ । ଯେଉଁ ମାଟିରେ ଦିନେ ଜନ୍ମ ନେଇଥିଲା ସାଧାରଣ ମଣିଷଟିଏ । ସମସ୍ତଙ୍କ ମଣିଷଙ୍କ ପରି ଇଛା ଥିଲା ନିଜ ଜନ୍ମ ଭୂମିର ମୁଠାଏ ମାଟି ଶେଷ ମୁହୁର୍ତରେ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ନେବାପାଇଁ ମାତ୍ର ଏହା ସମ୍ଭବ ହେଲା ନାହିଁ, ବିଧିର ବିଧାନ ଆଗରେ ହାରିଗଲା ମଣିଷ ପଣିଆର ସର୍ବସ୍ୱ । ସବୁଥାଇ ବର୍ତମାନ  ଅନନ୍ତଙ୍କୁ କାନ୍ଧ ଲଗାଇବା ପାଇଁ  ପାଖରେ ନଥିଲେ ଆତ୍ମିୟସ୍ୱଜନ ।
ଜୀବନ ଜୀବିକା ପାଇଁ କୋଲକତାର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ୪୧ ବର୍ଷିୟ ଯୁବକ ଅନନ୍ତ ନାରାୟଣ ଭୋଳ । ବର୍ଷ ତମାମ ସବୁ କିଛି ଠିକ୍‌ଠାକ ଚାଳୁଥିଲା, ମାତ୍ର କରୋନା ରୂପୀ କାଳ ରାକ୍ଷସ ତାଙ୍କୁ ଗ୍ରାସ କରିବା ପରେ ଶେଷରେ କଲିକତାରେ ଉଡ଼ି ଯାଇଥିଲା ତାଙ୍କ ପ୍ରାଣବାୟୁ । ଅନନ୍ତଙ୍କ ମୃତ ଶରୀର ଦକ୍ଷିଣ ରାଉରକେଲା ପହଂଚି ପାରିଲାନି! ପୁରା ଭୋଳ ପରିବାର ସ୍ତବ୍ଧ ହୋଇ ପଡ଼ିଛି ।  ମୂକ ପାଲଟି ଯାଇଛନ୍ତି ମା’ ମାଧବୀଲତା, ମୃତ ଅନନ୍ତଙ୍କ ପତ୍ନୀ ଜୟଶ୍ରୀ ଛାତିରେ କୋହକୁ ଚାପି ରଖି ଆଖିରୁ ଗଡ଼ାଇ ଚାଲିଛନ୍ତି ଲୁହ । ଅନନ୍ତଙ୍କ ୫ ବର୍ଷର କୁନି ପୁଅ ଦିବ୍ୟାଶୁଂ ଏବେ ହୋଇ ପଡ଼ିଛି ବାପ ଛେଉଣ୍ଡ । ସେପଟେ ଭାଇକୁ ଝୁରୁଛି ଭଉଣୀ ଅମ୍ବିକା । ଏହି ଦୁଃଖଦ ଘଟଣା ସମଗ୍ର ଦକ୍ଷିଣ ରାଉରକେଲାରେ ଶୋକର ଲହରୀ ଖେଳାଇ ଦେଇଛି ।ଦକ୍ଷିଣ ରାଉରକେଲାରେ ବସବାସ କରୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଜୟ  କୁମାର ଭୋଳଙ୍କ କହିବା ଅନୁଯାୟୀ, ତାଙ୍କର ଏକ ମାତ୍ର ପୁଅ ଅନନ୍ତ ପରିବାର ପ୍ରତିପୋଷଣ ପାଇଁ କୋଲାକାତା ନିଉ ଟାଉନର ଟେକ ମହିନ୍ଦ୍ରା କମ୍ପାନୀରେ ଆସୋସିଏଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଜୁଲାଇ ଦ୍ୱିତୀୟ ସପ୍ତାହରେ ତାଙ୍କୁ ଥଣ୍ଡା ଜ୍ୱର ହୋଇଥିଲା । ସେ ନିୟମିତ ଔଷଧ ସେବନ କରୁଥିଲେ ମଧ୍ୟ ଗତ ୨୧ ତାରିଖ ଭୋର ପ୍ରାୟ ୫ଟା ସମୟରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେବାରୁ ଅନନ୍ତ ରାଉରକେଲାରେ ଥିବା ପରିବାରକୁ  ଜଣାଇଥିଲେ । ପରିବାର ଲୋକେ ଅନନ୍ତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତି ହେବା ସହ କୋଭିଡ଼ ଟେଷ୍ଟ କରିବାକୁ କହିଥିଲେ । ଅନନ୍ତ କୋଲାକାତାର ଆପାଲୋ ହସ୍ପିଟାଲ, ଆମ୍ରି ହସ୍ପିଟାଲ ଚିକିତ୍ସା ପାଇଁ ଯାଇଥିଲେ ମାତ୍ର ସେଠାରେ ଶଯ୍ୟା଼ ଅଭାବରୁ ତାଙ୍କୁ ଫେରାଇ ଦିଆଯାଇଥିଲା । ଶେଷରେ ଅନନ୍ତ କୋଲକାତା ମୁକୁନ୍ଦପୁର ଥାନା ଅନ୍ତର୍ଗତ ରବିନ୍ଦ୍ର ନାଥ ଟାଗୋର  ହସ୍ପିଟାଲରେ ଭର୍ତି ହେବାକୁ ଆମ୍ବୁଲାନ୍ସରେ ଯିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ପରେ ନ୍ୟୁଟ ଟାଉନ ଥାନା ଅଧିକାରୀ ଦକ୍ଷିଣ ରାଉରକେଲାରେ ରହୁଥିବା ଅନନ୍ତଙ୍କ ପରିବାରକୁ ଟେଲିଫୋନ ଯୋଗେ ମୃତ୍ୟୁଖବର ଜଣାଇବା ପରେ ଶବକୁ ମର୍ଗ ହାଉସରେ ରଖି ଦେଇଥିଲେ । ଉକ୍ତ ଦିନ ମୃତ ଅନନ୍ତଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଜୁଲାଇ ୨୨ରେ ସ୍ୱାବ ପରୀକ୍ଷାର ଫଳ  କରୋନା ପଜେଟିଭ ଆସିଥିଲା । ପୁଅ କରୋନା ଆକ୍ରାନ୍ତ ଜାଣିବା ପରେ ବିଜୟ ଶବକୁ ସେଠାରେ ସତ୍କାର କରିଦେବା ଲାଗି ନ୍ୟୁ ଟାଉନ ଥାନାଧିକାରୀଙ୍କୁ ଅନୁରୋଧ କରିଥିଲେ । ଅନନ୍ତ ସିନା ଚାଲିଗଲେ କିନ୍ତୁ ତାଙ୍କୁ ନିଶ୍ଚିତ ଭାବେ ଝୁରି ଚାଲୁଥିବ ଜନ୍ମ ମାଟି ଏବଂ ଆତ୍ମିୟ ସ୍ୱଜନ ।  ପରିବାର ଏବଂ ବନ୍ଧୁମାନଙ୍କ ଆଖିରୁ ଝୁରି ଚାଲିଥିବ ନିରବତା ଅବିଶ୍ରାନ୍ତର ଲୁହ!

Related Posts

About The Author

Add Comment