ନୂଆଦିଲ୍ଲୀ, ୩୧/୦୮ (ସନ୍ଧାନ ନିଉଜ) ଆରପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା । ଏନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମସ୍ତିଷ୍କ ସର୍ଜରୀ ପରେ ସେ କୋମାରେ ଥିଲେ । ବ୍ରେନ୍ ସର୍ଜରୀ ପରେ ଫୁସ୍ଫୁସ୍ରେ ସଂକ୍ରମଣ ହୋଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିଲା । କରୋନାରେ ମଧ୍ୟ ସେ ଆକ୍ରାନ୍ତ ହୋଇଥିଲେ । ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
୧୯୩୫ ମସିହା ଡିସେମ୍ବର ୧୧ରେ ଜନ୍ମଗ୍ରହଣ କରିଥିଲେ ପ୍ରଣବ ମୁଖାର୍ଜୀ । ୨୦୧୨ରୁ ୨୦୧୭ ଯାଏଁ ଭାରତର ରାଷ୍ଟ୍ରପତି ହୋଇଥିଲେ ପ୍ରଣବ ମୁଖାର୍ଜୀ । ଦେଶର ୧୩ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ପ୍ରଣବ । ୧୯୬୯ରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ପ୍ରଣବ । ଏହାପରଠାରୁ ଲଗାତାର ୨୦୦୪ ପର୍ଯ୍ୟନ୍ତ ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ ପ୍ରଣବ । ୨୦୦୨ରୁ ୨୦୧୨ ଯାଏଁ ଲୋକସଭାର ସଦସ୍ୟ ରହିବା ସହ ୟୁପିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ପ୍ରଣବ । ୨୦୧୯ରେ ପ୍ରଣବଙ୍କୁ ଭାରତ ରତ୍ନ ସମ୍ମାନିତ କରାଯାଇଥିଲା ।