ରାଉରକେଲା ୫/୯ (ସନ୍ଧାନ ନିଉଜ) : “ଆମକୁ ସୃଜନଶୀଳତାର ଏକ ସଂସ୍କୃତି ପ୍ରବର୍ତ୍ତନ କରିବାକୁ ହେବ । ସକ୍ରିୟ ରୂପେ ସମସ୍ୟାଗୁଡିକର ମୂଳ କାରଣଗୁଡିକୁ ଚିହ୍ନଟ କରି ଆମକୁ ସେଗୁଡିକର ମୂଳୋତ୍ପାଟନ କରିବାକୁ ହେବ,” ବୋଲି ‘ଉଦ୍ୟମ’ ର ତୃତୀୟ ଅଧିବେଶନରେ ସମବେତ ପ୍ରାୟ ୫୦୦ ଜଣ ଅଧିକାରୀଙ୍କୁ ଉଦବୋଧନ ଦେଇ ରାଉରକେଲା ଇସ୍ପାତ କାରଖାନାର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ ଉଲ୍ଲେଖ କରିଛନ୍ତି । ଏହି ଅଧିବେଶନ ଗୋପବନ୍ଧୁ ପ୍ରେକ୍ଷାଳୟଠାରେ ସେପ୍ଟେମ୍ବର ୩ ତାରିଖରେ ଆୟୋଜିତ ହୋଇଥିଲା। ଉଲ୍ଲେଖନୀୟ ଯେ, କାରଖାନାର ବିବିଧ କାର୍ୟ୍ୟଧାରା ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଭାବବିନିମୟ ଉଦ୍ଦେଶ୍ୟରେ ଶ୍ରୀ ଚଟ୍ଟରାଜଙ୍କ ଦ୍ଵାରା ପ୍ରାରମ୍ଭ ହୋଇଥିବା “ଉଦ୍ୟମ” ଏକ ମାନବ ସମ୍ବଳ ପ୍ରୟାସ ଅଟେ । ଏହି ତୃତୀୟ ଅଧିବେଶନର ଶୀର୍ଷକ ରହିଥିଲା, “ବ୍ୟୟ, ଲାଭାର୍ଜନ ଏବଂ ନଗଦ ରାଶି”। ଏହି ଅଧିବେଶନରେ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ରାଜ ବୀର ସିଂହ, କାର୍ୟ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଗୌତମ ବାନର୍ଜୀ ଏବଂ ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଡ଼ି କେ ମହାପାତ୍ର ମଞ୍ଚାସୀନ ଥିଲେ। ଏହି ଅବସରରେ ପ୍ରତ୍ୟେକ ବିଭାଗର କଷ୍ଟ ଲିଡରମାନେ ଉପସ୍ଥିତ ଥିଲେ।
ନିଜର ବକ୍ତବ୍ୟରେ ଶ୍ରୀ ଚଟ୍ଟରାଜ ପ୍ରତିକୂଳ ବଜାର ସ୍ଥିତି ଯୋଗୁଁ ଉପୁଜୁଥିବା ଆହ୍ଵାନଗୁଡିକର ପରିପ୍ରେକ୍ଷୀରେ ଉତ୍ପାଦନ ଖର୍ଚ୍ଚ ହ୍ରାସ ନିମନ୍ତେ ଉପଲବ୍ଧ ସୁଯୋଗଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । କର୍ମଚାରୀମାନଙ୍କୁ ନିଜନିଜ କାର୍ୟ୍ୟକ୍ଷେତ୍ରର ଅନୁଶୀଳନ କରି ସକ୍ରିୟ ଓ ଫଳପ୍ରଦ ବ୍ୟୟ ନିୟନ୍ତ୍ରଣ ପ୍ରୟାସ ଗ୍ରହଣ କରିବା ପାଇଁ ଆହ୍ଵାନ ଜଣାଇ ସିଇଓ ସ୍ପଷ୍ଟତା, ପ୍ରକ୍ରିୟା ସଂଶୋଧନ ଏବଂ ନିପୁଣ ନିଷ୍ପତ୍ତି ଗ୍ରହଣ ଉପରେ ଗୁରୁତ୍ଵାରୋପ କରିଥିଲେ । ସେ ମଧ୍ୟ ପରିବେଶ, ସୁରକ୍ଷା, ବିଦ୍ୟୁତ ଉପଯୋଗ ଏବଂ ବିତରଣ, ଶକ୍ତି ଓ ଜଳ ପ୍ରବନ୍ଧନ, ଅପଚୟ ଏଡେଇବା, ରକ୍ଷଣାବେକ୍ଷଣ, ଇନଭେଣ୍ଟୋରୀ ସୁବିନିଯୋଗ, ସହର ପ୍ରବନ୍ଧନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ସହିତ ଏହି ପ୍ରତ୍ୟେକ ବିଷୟ କିଭଳି କାରଖାନାର ପ୍ରଦର୍ଶନକୁ ସାମଗ୍ରିକ ରୂପେ ପ୍ରଭାବିତ କରୁଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବଜାରରେ ଦେଖାଦେଇଥିବା ମାନ୍ଦାବସ୍ଥା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ଚଟ୍ଟରାଜ କହିଥିଲେ ଯେ, “ପ୍ରତ୍ୟେକ ବିପର୍ୟ୍ୟୟ ଏହାର ବିଭୀଷିକା ଛାଡିଯାଇଥାଏ । ଏଥିନିମନ୍ତେ ପ୍ରସ୍ତୁତ ଥିବା ବ୍ୟକ୍ତି ମାନେ ଏଥିରୁ ନିଜକୁ ରକ୍ଷା କରିବାରେ ସକ୍ଷମ ହୁଅନ୍ତି ଏବଂ ପରବର୍ତ୍ତୀ ସମ୍ଭାବ୍ୟ ବିପର୍ୟ୍ୟୟ ନିମନ୍ତେ ପ୍ରସ୍ତୁତ ହୁଅନ୍ତି । ବଜାରରେ ଅନୁଭୂତ ବହୁ ଉତଥାନ ଓ ପତନରେ ଆମେ ନିଜକୁ ରକ୍ଷା କରିପାରିଛୁ, ସମ୍ପ୍ରତି ଦେଖାଦେଇଥିବା ଏହି ଆହ୍ଵାନକୁ ମଧ୍ୟ ଆମେ ସଠିକ ରୂପେ ମୁକାବିଲା କରିପାରିବ ଯଦି ଆମେ ସାମଗ୍ରିକ ଚିତ୍ରକୁ ସଠିକ ରୂପେ ହୃଦୟଙ୍ଗମ କରିବା ଏବଂ ସଠିକ ଆକଳନ ବଜାୟ ରଖିପାରିବା।” ସିଇଓ ପ୍ରତ୍ୟେକ ବିଭାଗର କଷ୍ଟ ଲିଡର ମାନଙ୍କ ସହିତ ସଂପୃକ୍ତ ବିଭାଗର ଉପଲବ୍ଧି ଏବଂ ସମ୍ଭାବନାଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ଚଟ୍ଟରାଜ ଏହି ଅଧିବେଶନରେ ସିଆଇଆଇ ପୂର୍ବାଞ୍ଚଳ ଜୋନ ଦ୍ଵାରା ଆୟୋଜିତ ୧୯ ତମ ଜାତୀୟ ସୁପରଭାଇଜରି ସ୍କିଲ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଲାଭ କରିଥିବା ଆରଏସପି ନୂତନ ପ୍ଳେଟ ମିଲ ବିଭାଗର ତିନି ଜଣିଆ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆରଏସପି ଦ୍ଵାରା ଲାଭ ହୋଇଥିବା ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଷ୍ଟାଣ୍ଡାର୍ଡ ଆଇଏସଓ ୪୫୦୦୧:୨୦୧୮ ପ୍ରମାଣପତ୍ରର ମଧ୍ୟ ସିଇଓ ଉନ୍ମୋଚନ କରିଥିଲେ ।
ଏଥିପୂର୍ବରୁ, ନିଜର ବକ୍ତବ୍ୟରେ ଶ୍ରୀ ରାଜ ବୀର ସିଂହ ସହରାଞ୍ଚଳ ସମ୍ପତ୍ତିଗୁଡିକରୁ ଅଧିକ ଆୟ ସନ୍ଦର୍ଭରେ ମତବ୍ୟକ୍ତ କରିଥିଲେ ।
ପ୍ରତ୍ୟେକ ୟୁନିଟର ପ୍ରତ୍ୟେକ ବର୍ଗର କର୍ମଚାରୀଙ୍କ ମଧ୍ୟରେ ବ୍ୟୟ ସଚେତନତା ସୃଷ୍ଟି ଉପରେ ଶ୍ରୀ ଗୌତମ ବାନାର୍ଜୀ ଗୁରୁତ୍ଵାରୋପ କରିଥିଲେ ।
ଶ୍ରୀ ଡ଼ି କେ ମହାପାତ୍ର ଇନପୁଟ ମେଟେରିୟାଲର ଆବଶ୍ୟକ ମୁତାବକ ସଠିକ ପରିମାଣ ଓ ନିପୁଣ କ୍ରୟ ଉପରେ ବିଶେଷ ଜୋରଦେଇଥିଲେ।
ବିତ୍ତ ଓ ଲେଖା ବିଭାଗର ଜିଏମ, ଶ୍ରୀ ପି ନିଗମ କାରଖାନାର ଆର୍ଥିକ ସ୍ଥିତି ଏବଂ ବ୍ୟୟ ନିୟନ୍ତ୍ରଣ ନିମନ୍ତେ ଉପଲବ୍ଧ ସମ୍ଭାବନା ଗୁଡିକଉପରେ ଏକ ଉପସ୍ଥାପନା ପ୍ରସ୍ତୁତ କରିଥିଲେ।
ବିତ୍ତ ଓ ଲେଖା ବିଭାଗର ଏଜିଏମ, ଶ୍ରୀ ଆର ଆର ଷଡଙ୍ଗୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ବିଭାଗର ଡ଼ିଜିଏମ, ଶ୍ରୀ ବି କେ ସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ଶ୍ରୀ ହରିଶ ଅଗ୍ରୱାଲ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ।
REPORT- S NAYAK