ଆଦିବାସୀ ପରିବାରର ଅଭିମନ୍ୟୁ ଇସ୍ରୋ ବୈଜ୍ଞାନିକ

Spread the love

ଫୁଲବାଣୀ, ୧୦/୧୦ (ସନ୍ଧାନ ନିଉଜ) : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାର ନିପଟ ମଫସଲ ଗାଁ ସିମ୍ବାଲି। ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତର ଏହି ଦୁର୍ଗମ ଗାଁର ଆଦିବାସୀ ଯୁବକ ଆଜି ଶ୍ରୀହରିକୋଟାସ୍ଥିତ ଇସ୍ରୋରେ ବୈଜ୍ଞାନିକ। ନିଷ୍ଠା, ଉଦ୍ୟମ ଓ ପରିଶ୍ରମ ବଳରେ ସୀମିତ ସମ୍ବଳ ମଧ୍ୟରେ ସଂଘର୍ଷ କରି ଦେଶ ତଥା ବିଶ୍ୱର ଏକ ପ୍ରମୁଖ ମହାକାଶ ଗବେଷଣା ସଂସ୍ଥାରେ ବୈଜ୍ଞାନିକ ଭାବେ ଅବସ୍ଥାପିତ ହୋଇପାରିଛନ୍ତି ସିମ୍ବାଲି ଗାଁର ସ୍ୱର୍ଗତଃ ଜପେଶ୍ୱର ମଲିକ ଓ ମା’ବୈଦେହୀ ମଲିକଙ୍କ ପୁଅ ଅଭିମନ୍ୟୁ ମଲିକ। ଇସ୍ରୋ ତରଫରୁ ଚନ୍ଦ୍ରଯାନ, ମଙ୍ଗଳଯାନ ସମେତ ମହାକାଶ ସମ୍ବନ୍ଧରେ ସଚେତନ କରିବାକୁ ପରିଭ୍ରମଣ କରୁଥିବା ଇସ୍ରୋ ବସରେ ଫୁଲବାଣୀ ଆସିଥିବା ଅବସରରେ ଆମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଏହି ପ୍ରତିଭାବାନ ଯୁବକଙ୍କ ଜଣକ ତାଙ୍କର ସଫଳତାର ଯାତ୍ରା ସମ୍ପର୍କରେ ସୂଚନା ଦେଇଛନ୍ତି।

ଅଭିମନ୍ୟୁଙ୍କ ସଫଳତାର ଯାତ୍ରା ଯେତିକି ହୃଦୟସ୍ପର୍ଶୀ ସେତିକି ଆହ୍ୱାନଭରା। ବାପା ଜଣେ ନାମମାତ୍ର ଚାଷୀ ଓ ମା’ ଜଣେ ଗୃହିଣୀ। ଗାଁ ସ୍କୁଲରେ ପଞ୍ଚମ ଯାଏଁ ପଢିବା ପରରେ ଖଜୁରିପଡା ବ୍ଲକ ରଣପାଟୁଳୀ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାନ୍ତି ଅଭିମନ୍ୟୁ। ଷଷ୍ଠ ଶ୍ରେଣୀରେ ଭଲ ନକରିବା ପରେ ଶିକ୍ଷକ ଶୁକମୁନୀ ନାଏକଙ୍କ ସଂସ୍ପର୍ଶରେ ଆସନ୍ତି। କ’ଣ କଲେ ତାହା ଯେପରି ଅନ୍ୟମାନଙ୍କ ପ୍ରେରଣା ହୋଇପାରିବ ଏବଂ କିଛି ଭଲ କରିବାକୁ ଚେଷ୍ଟା କରିବାକୁ ଶିକ୍ଷକ ନାଏକଙ୍କ ପରାମର୍ଶ ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇଥିଲା। ଶିକ୍ଷକଙ୍କ ପରାମର୍ଶ କ୍ରମେ ଦଶମ ଶ୍ରେଣୀରେ ଜିଲାରେ ପ୍ରଥମ ଶ୍ରଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଅଭିମନ୍ୟୁ। ସେଠାରୁ ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନ ପଢିବା ପରେ ବ୍ରହ୍ମପରୁ ୟୁସିପି ଇଞ୍ଜିନିୟରିଂ ସ୍କୁଲରେ ମେକାନିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିଲେ। ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର୍ସ ଇଣ୍ଡିଆ ମାଧ୍ୟମରେ କୋଲକାତାରେ ଡିଗ୍ରୀ ଶେଷ କରିବା ପରେ ଚେନ୍ନଇର ଭେଲଟେକ୍‍ ବିଶ୍ୱବିଦ୍ୟାଳୟରୁ ଏମ.ଟେକ୍‍ ଶିକ୍ଷା ସମାପ୍ତ କରିଥିଲେ। ଏହାରି ମଧ୍ୟରେ ୨୦୧୦ରେ ଇସ୍ରୋର ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୈଜ୍ଞାନିକ ଭାବେ ଶ୍ରହରିକୋଟାସ୍ଥିତ ସତୀଶ ଧାବନ ଅମହାକାଶ କେନ୍ଦ୍ରରେ ନିଯୁକ୍ତି ପାଇଥିଲେ ବୋଲି କହିଛନ୍ତି ଅଭିମନ୍ୟୁ। ଗାଁ ପ୍ରତି ତାଙ୍କର ଅନେକ କିଛି କରିବାର ଅଛି ଏବଂ ସାମାଜିକ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି।

Related Posts

About The Author

Add Comment