ଧାମରା, ୧୯/୧୧ (ସନ୍ଧାନ ନିଉଜ) : କିଶୋରୀ, ମହିଳା ଓ ମା’ ମାନଙ୍କ ମଧ୍ୟରେ ନବଜାତ ଶିଶୁଙ୍କ ଯତ୍ନ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ତୃଣମୂଳସ୍ତରର ସ୍ୱାସ୍ଥ୍ୟ ଓ ସମନ୍ୱିତ ଶିଶୁବିକାଶ ସେବା(ଆଇସିଡିଏସ) କର୍ମୀଙ୍କ ସହଯୋଗରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ନବଜାତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ନଭେମ୍ବର ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଉଛି । ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା ସୁପୋଷଣ କାର୍ଯ୍ୟକ୍ରମ ଅଧିନରେ ୮ଟି ଗ୍ରାମ ପଞ୍ଚାୟତର ୧୦୫ ଗ୍ରାମରେ କାର୍ଯ୍ୟରତ ସଙ୍ଗିନୀମାନେ ନବଜାତ ଶିଶୁ ଓ ଅପପୁଷ୍ଟିର ଶିକାର ୫ବର୍ଷରୁ କମ୍ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ନବଜାତ ସୁରକ୍ଷା ସପ୍ତାହ ଅବସରରେ ବାଗଚାଟି ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଙ୍ଗନବାଡି, ଆଶାକର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ୩୦୦ରୁ ଊଦ୍ଧ୍ୱର୍ ମହିଳା ସେମାନଙ୍କ ଶିଶୁଙ୍କ ସହ ଏଥିରେ ଅଂଶ ଗ୍ରହଣ କରିଥିଲେ । ଦୋସିଙ୍ଗା ପଞ୍ଚାୟତ ସମିତି ସଭ୍ୟ ନରେନ୍ଦ୍ର କୁମାର ମାଇତି, ୱାର୍ଡ ମେମ୍ବର ରାମ ଧଡା, ସିଆରସିସି ଧନପତି ମାନ୍ନା, ବାଗଚାଟି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଯୋଧ୍ୟା ଜେନା, ଡାକ୍ତର ସୁବଳ ସାମନ୍ତ ଏବଂ ଆଦାନୀ ଧାମରା ପୋର୍ଟ ସିଏସ୍ଆର ଟିମ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ, ସଂଗୀତ ଓ ଏକକ ଅଭିନୟ ଗ୍ରାମବାସୀଙ୍କ ଧ୍ୟାନ ଆକର୍ଷିତ କରିଥିଲା । କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଆଦାନୀ ଫାଉଣ୍ଡେସନ ପକ୍ଷରୁ ନବଜାତ ସୁରକ୍ଷା ସପ୍ତାହ ପାଳିତ
|
November 19, 2019 |
