ଇସଲାମ୍ବାଦ୍, ୧୧/୧୧ (ସନ୍ଧାନ ନିଉଜ) : ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।
ପୁଲିସ ମୁଖପାତ୍ର କଲୀମ କ୍ୟୁରେଶୀ ସୂଚନା ଦେଇ କହିଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀମାନେ ରାଜନପୁର ଜିଲାର ଅରବୀ ତବ୍ବା ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ଶିବିରରେ ଚଢାଉ କରିବାକୁ ଯାଉଥିଲେ, ସେତେବେଳେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ ଅଧିକାରୀ, ଗୁଇନ୍ଦା ବିଭାଗର ୨ ଜଣ ଅଧିକାରୀ ଏବଂ ଜଣେ ସୂଚନାଦାତା ରହିଛନ୍ତି। ଏପର୍ଯ୍ୟନ୍ତ କୌଣସି ସଙ୍ଗଠନ ଏହି ଅକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ।



