ଆଣ୍ଠେଇଛି ଅନ୍ଧାରୀ ନାଳ ସେତୁ କାମ ; ପ୍ରତାରଣା ପାଲଟିଛି ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି

Spread the love

ବାରିପଦା, ୧୬/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଅନ୍ଧାରୀ ନାଳ ଉପରେ ସେତୁ କାମ ପାଇଁ ଶୁଭ ପଡ଼ିଛି । ୨୦୧୮ରେ ଏହି ସେତୁ କାମ ପାଇଁ ଶିଳାନ୍ୟାସ ହୋଇଥିଲା । ଏହାପରେ ସେତୁ କାମ ଆରମ୍ଭ ହୋଇଛି ସତ,ମାତ୍ର ଆଣ୍ଠେଇକି ପଡିଛି । ଭୂଇଁ ତଳୁ ଆଜି ଯାଏଁ ଉଠିପାରିନି । ବରଂ ପାଣି ଭିତରେ ବୁଡ଼ି କରି ରହିଛି । ପୂର୍ବ ପରି ସ୍ଥାନୀୟ ଲୋକେ ବୈଶିଙ୍ଗା-ମାଣତ୍ରୀ ପିଡବ୍ଲ୍ୟୂଡି ରାସ୍ତାରେ ଯା’ଆସ ପାଇଁ ଦହଗଞ୍ଜ ହେଉଛନ୍ତି । ହେଲେ କାମ ଶେଷ କରିଦେବା ଲାଗି ବାରମ୍ବାର ପ୍ରତିଶ୍ରୁତି ଦେଉଥିବା ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଏବେ ପ୍ରତାରଣା ପାଲଟିଛି ବୋଲି ଲୋକେ ଅଭିଯୋଗ ଉଠାଇଛନ୍ତି ।

  ସୂଚନା ଅନୁସାରେ ବୈଶିଙ୍ଗା-ମାଣତ୍ରୀ ପିଡବ୍ଲ୍ୟୂଡି ରାସ୍ତାରେ ବନ୍ୟା ବେଳେ ବୁଡି ଯାଉଛି । ଏଣୁ ବଡକ୍ଷୀରପଦାଠାରୁ ପାଟଳିପୁରା ରାସ୍ତା ଓ ଅନ୍ଧାରୀ ନାଳ ନିକଟରେ ବର୍ଷାଦିନେ ଯାତାୟାତରେ ପ୍ରତିବନ୍ଧକ ସାଜୁଛି । ଗତ ଅମପନ୍ ବାତ୍ୟା ପରେ ବୈଶିଙ୍ଗା – ମାଣତ୍ରୀ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ପ୍ରତିବାଦରେ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅବରୋଧ କରାଯାଇଥିଲା । ଏହାସହ ଶୀଘ୍ର କାମ ସାରିବା ପାଇଁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ସ୍ମାରକପତ୍ର ଦେଇଥିଲେ । ବିଭାଗୀୟ ଅଧିକାରୀ ସେତେବେଳେ ୧୦ ଦିନର ମହଲତ ମାଗିଥିଲେ । ମାତ୍ର ୧୫ ଦିନ ବିତିଯିବା ପରେ ମଧ୍ୟ କାମରେ ଅଗ୍ରଗତି ହୋଇପାରିଲା ନାହିଁ । ଇତି ମଧ୍ୟରେ ଦିନ ପରେ ଦିନ ଗଡି ଚାଲିଛି । ଏବେ ବର୍ଷାଦିନ ଆସିଗଲାଣି । ଉକ୍ତ ସେତୁ କାମରେ ବିଶେଷ ଅଗ୍ରଗତି ହୋଇ ନାହିଁ । ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଆଗାମୀ ଦିନରେ ଏକ ବଡଧରଣର ଆନ୍ଦୋଳନ ସାଙ୍ଗକୁ ଧାରଣ ଦିଆଯିବ ବୋଲି ଅଞ୍ଚଳବାସୀ ଖୋଲାଖୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସରକାରୀ ଅଧିକାରୀଙ୍କ ଅପାରଗତା ଯୋଗୁଁ ଉକ୍ତ ସେତୁ କାମ ଲଟକି ରହିଥିବା ଲୋକ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ କି , ବୈଶିଙ୍ଗା – ମାଣତ୍ରୀ ପିଡବ୍ମ୍ୟୁଡି ରାସ୍ତାଟି ରାଜ୍ୟ ରାଜପଥ ମାନ୍ୟତା ପାଇଛି । ଏହି ରାସ୍ତାର ଉଚ୍ଚତା ବୃଦ୍ଧି , ଅନ୍ଧାରୀ ନାଳ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ବହୁବାର ଦାବି ପରେ ୨୦୧୮ ମସିହାରେ ତତ୍କାଳୀନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ବିଧାୟକ ଗଣେଶ୍ୱର ପାତ୍ରଙ୍କ ଦ୍ୱାରା ଶିଳାନ୍ୟାସ ଦିଆଯାଇଥିଲା । ମାତ୍ର ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅପରିଣାମଦର୍ଶିତା ଯୋଗୁଁ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

Related Posts

About The Author

Add Comment