ଆଠଶହ ବର୍ଷର ଶ୍ୟାମ ସୁନ୍ଦର ମନ୍ଦିର ଅବହେଳିତ

Spread the love

ଧର୍ମଶାଳା, ୦୬/୦୨/୨୧ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଲକ ର୍ମିଜାପୁର ପଞ୍ଚାୟତ ଅରଙ୍ଗାବାଦ ଗ୍ରାମରେ ରହିଛି ଶ୍ୟାମସୁନ୍ଦର ମନ୍ଦିର । ଯେଉଁ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରଭୁ ଶ୍ରୀ ଶ୍ୟାମସୁନ୍ଦର ରୂପରେ ପୂଜା ପାଆନ୍ତି । ମହାପ୍ରଭୁଙ୍କ ଅପାର କରୁଣା ରହିଥିବା ଆଖପାଖ ମୌଜାର ଶ୍ରଦ୍ଧାଳୁ ମାନଙ୍କର ପ୍ରଖଣ୍ଡ ବିଶ୍ୱାସ ରହିଛି । ପ୍ରଭୁଙ୍କ ନିକଟରେ ମାନସିକ କରି ଗୁଆଟିଏ ବସାଇ ଦେଲେ ସବୁ ମନସ୍କାମନା ପୂରଣ ହୁଏ । ଏଠାରେ ଥିବା ଚନ୍ଦନ ପୁଷ୍କରିଣୀରେ ସ୍ନାନ କଲେ ସାତ ଜନ୍ମର ପାପକ୍ଷୟ ହୁଏ ବୋଲି ଶ୍ରଦ୍ଧାଳୁ ମାନଙ୍କର ବଡ ବିଶ୍ୱାସ । ସାପ କାମୁଡିଲେ ସେତେ ବେଳେ ବାବାଙ୍କ ତୁଳସୀ ପାଇଲେ ଲୋକଟିଏ ଭଲ ହୋଇ ଯାଉଥିଲା ଓ ପରବର୍ତ୍ତୀ ସମୟରେ ପ୍ରଭୁଙ୍କ ନିକଟରେ ଅଧିଆ ପଡିଲେ ଓ ପୁଷ୍କରିଣୀ ପାଣି ଢାଳି ହେଲେ ଭଲ ହୋଇଯାଏ ବୋଲି ଶୁଣାଯାଏ । ବିଡମ୍ବନା ଯେ, ପୁରୀ ଜଗନ୍ନାଥ ମନ୍ଦିର ଭଳି ଏଠାରେ ରଥଯାତ୍ରାର ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥାଏ, କିନ୍ତୁ ରଥଯାତ୍ରା ହୁଏନି । ମନ୍ଦିର ପ୍ରତିଷ୍ଠା ଦିନରୁ ଆଜି ଯାଏ କେବେ ରଥଯାତ୍ରା ଏଠାରେ ହୋଇଥିବା ଶୁଣାଯାଏନିି ।
b                    ଲୋକକଥା ଅନୁଯାୟୀ, ୮ଶହ ବର୍ଷ ତଳେ ଜଣେ ଶ୍ୟାମ ବାବା ନାମକ ପଶ୍ଚିମା ବାବାଜି ଅରଙ୍ଗାବାଦ ଗ୍ରାମରେ ଏକ ଝୁମ୍ୁଡି ଘରେ ବସବାସ କରୁଥିଲେ । ସେ ଜଗନ୍ନାଥଙ୍କୁ ପାଖରେ ରଖି ପୂଜାର୍ଚ୍ଚନା କରୁଥିଲେ । ତାଙ୍କ ଦେହାନ୍ତ ପରେ ସ୍ଥାନୀୟ ପଟ୍ଟନାୟକ ବଂଶର ଜମିଦାର ଜଗନ୍ନାଥଙ୍କୁ ଉଦ୍ଧାର କରିଥିଲେ । ପରବର୍ତ୍ତୀ ସମୟରେ ସେଠାରେ ମନ୍ଦିର କାର୍ଯ୍ୟ ତ୍ୱାରନ୍ୱିତ ହୋଇଥିଲା । ପ୍ରଭୁଙ୍କ ସେବା ନିମନ୍ତେ ଅନ୍ୟ ଅଞ୍ଚଳରୁ ବ୍ରାହ୍ମଣ ଓ ମାଳି ଜାତିର ଲୋକମାନଙ୍କୁ ଏଠାକୁ ଅଣାଯାଇ ଥଇଥାନ କରାଯାଇଥିଲା । ଏଠାରେ ପୂଜା ପାଉଥିବା ଜଗନ୍ନାଥଙ୍କ ନାକ ଗଢନ ସୁନ୍ଦର ଓ ଶ୍ୟାମ ବାବାଙ୍କ ନାମକୁ ନେଇ ଏହାର ନାମ ଶ୍ୟାମସୁନ୍ଦର ମନ୍ଦିର ରଖାଯାଇଛି । ଆରମ୍ଭରୁ ଆଜିଯାଏ କେବେ ରଥଯାତ୍ରା ହୋଇନଥିବା ମନ୍ଦିର ପୂଜକ ନୃସିଂହ ଚରଣ ପଣ୍ଡା କହନ୍ତି । ବାର ପୁରୁଷ ବିତିଯାଇଥିବାରୁ ମନ୍ଦିରଟି ପ୍ରାୟ ୮୦୦ଶହ ବର୍ଷରୁ ଅଧିକ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ବଉଳମାଳିଆ ପଥର ଉପରେ ଦେଉଳ ନର୍ମିତ ହୋଇଛି । ମନ୍ଦିରର ଉଚ୍ଚତା ପ୍ରାୟ ୩୫ଫୁଟ ଓ ପ୍ରସ୍ତ ପ୍ରାୟ୨୫ ଫୁଟ୍ ହେବ । ଏହି ମନ୍ଦିରର ଗର୍ଭ ଗୃହ, ଭୋଗ ମଣ୍ଡପ, ନାଟ ମଣ୍ଡପ ଓ ସିଂହଦ୍ୱାର ଏହିପରି ଚାରି ଭାଗରେ ବିଭକ୍ତ । ପାଶ୍ୱର୍ ଦେବତା ବରାହ ବାମନ ଓ ପ୍ରଭୁ ନୃସିଂହ ରହିଛନ୍ତି । ଚାରି ଦିଗରେ ଚାରୋଟିଦ୍ୱାର ରହିଛି । ପୂର୍ବ ଦ୍ୱାର ବା ସିଂହଦ୍ୱାରରେ ଗଜସିଂହ, ଅରୁଣ ସ୍ତମ୍ଭ, ତୁଳସୀ ଚଉଁରା, ଉତ୍ତର ପାଶ୍ୱରେ ଚନ୍ଦନ ପୁଷ୍କରିଣୀ, ଚନ୍ଦନ ବେଦୀ, ମହାଗ୍ରହ ଶନିଦେବ ଓ ଲକ୍ଷ୍ମୀନାରାୟଣଙ୍କ ମନ୍ଦିର ଅବସ୍ଥିତ । ଦକ୍ଷିଣ ପାଶ୍ୱର୍ରେ ଝୁଲଣ ମଣ୍ଡପ, ଦୋଳ ବେଦୀ, ଚନ୍ଦନ(ଯାତ୍ରା) ମଣ୍ଡପ ଓ ଗ୍ରାମ ଦେବତୀ ମା ତିମିରାଶୁଣୀ ରହିଛନ୍ତି । ପଶ୍ଚିମ ପାଶ୍ୱର୍ରେ ଶ୍ରୀ ଜୀଉଙ୍କ ସେବକ ନିଯୋଗ ବ୍ରାହ୍ମଣ ଶାସନ ଓ ମନ୍ଦିର ବେଢାର ମଧ୍ୟ ସ୍ଥଳରେ ସ୍ନାନ ମଣ୍ଡପ ରହିଛି । ଶିଳ୍ପକଳା ଦୃଷ୍ଟିରୁ ମନ୍ଦିରର ଶୋଭା ଅତି ସୁନ୍ଦର । ଗର୍ଭ ଗୃହର ରତ୍ନ ସିଂହାସନରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ଶ୍ୟାମସୁନ୍ଦର । ମହାପ୍ରଭୁଙ୍କ ପ୍ରିୟବେଶ ବଡସିଂହାର, ପ୍ରିୟ ପୁଷ୍ପ ପଦ୍ମ ଓ ପ୍ରିୟ ମାଳ ତୁଳସୀରେ ପ୍ରଭୁଙ୍କୁ ପ୍ରତିଦିନ ସେବକ ମାନେ ସଜାଇ ଥାଆନ୍ତି ।
ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ୮ ଶହ ବର୍ଷର ଏହି ପ୍ରାଚୀନ ମନ୍ଦିର ଆଜି ଅବହେଳିତ ଓ ଅଲୋଡା ହୋଇ ରହିଥିବା ମନେହୁଏ । ମନ୍ଦିରର ଦେଖାଶୁଣା ଓ ରକ୍ଷଣାବେକ୍ଷଣ ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହୁଏ । ଏଠାରେ ଥିବା ଚନ୍ଦନ ପୁଷ୍କରିଣୀର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଏବେ ଦଳ ପଙ୍କ ଭର୍ତ୍ତି । ଶ୍ରଦ୍ଧାଳୁ ସ୍ନାନ କରିବା ପରିବର୍ତ୍ତେ ପାଣି ଟିକେ ଛିଞ୍ଚି ହୋଇ ପଡୁଛନ୍ତି କେବଳ ବିଧି ରକ୍ଷା ପାଇଁ । ମନ୍ଦିର ଟ୍ରଷ୍ଟର ଆୟ ସ୍ୱଳ୍ପ ଥିବାରୁ ସବୁଦିଗରେ ଅର୍ଥ ବ୍ୟୟ କରିବା ସମ୍ଭବ ହେଉନଥିବା ସ୍ଥାନୀୟ ଲୋକେ କହୁଛନ୍ତି । ବିଶେଷ ପର୍ବପର୍ବାଣି ଦିନ ମାନଙ୍କରେ ଏଠାରେ ବହୁ ଭିଡ ହୋଇଥାଏ । ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଆସୁଥିବାରୁ ଏଠାରେ ରାତ୍ରୀଯାପନ ପାଇଁ ଯାତ୍ରୀନିବାସ ଓ ଶୌଚାଳୟ ଇତ୍ୟାଦି ନିର୍ମାଣର ଆବଶ୍ୟକତା ରହିଛି । ମନ୍ଦିର ଚତୁପାଶ୍ୱର୍ରେ ଏକ ବଗିଚା ବା ପାର୍କ ପ୍ରତିଷ୍ଠା କରାଗଲେ ଏହା ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ ଆହୁରି ଅକୃଷ୍ଟ କରିପାରିବ । ଏଣୁ ଏହାର ବିକାଶ ଲୋଡା ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Related Posts

About The Author

Add Comment