ନୂଆଦିଲ୍ଲୀ,୨୭ /୨ (ସନ୍ଧାନ ନିଉଜ) : ପୁଣିଥରେ ହେବାକୁ ଯାଉଛି ଇତିହାସର ପୁନରାବୃତ୍ତି। କୁଖ୍ୟାତ ଆତଙ୍କବାଦୀ ତଥା ଆମେରିକାର ମୋଷ୍ଟ ଓ୍ଵାଣ୍ଟେଡ୍ ଓସାମା ବିନ୍ ଲାଦେନ୍ କ୍ଷେତ୍ରରେ ଯାହା ଘଟିଥିଲା ଏବେ ସେଇ ଘଟଣାର ପୁନରାବୃତ୍ତି ଘଟିବାକୁ ଯାଉଛି ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ତଥା ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍ ପାଲଟିଥିବା ମାସୁଦ୍ ଆଝାର କ୍ଷେତ୍ରରେ।
ପାକିସ୍ତାନ ମାଟିରେ କାୟା ବିସ୍ତାର କରିଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦ (ଜେଇଏମ୍)ର ମୁଖିଆ ମାସୁଦ୍ ଆଝାରର ନିର୍ଦ୍ଦେଶରେ ଗତ ଫେବ୍ରୁଆରି ୧୪ରେ ପୁଲଓ୍ଵାମାରେ ଯେପରି ଆତ୍ମଘାତୀ ବିସ୍ଫୋରଣ ଜରିଆରେ ୪୦ ଜଣ ସିଆରପିଏଫ୍ ଯବାନଙ୍କୁ ଶହୀଦ୍ କରି ଦିଆଗଲା, ତାହାକୁ ବିଶ୍ୱ ସମୁଦାୟ ବରଦାସ୍ତ କରିପାରି ନାହିଁ।
ଅପରପକ୍ଷରେ, ପୁଲଓ୍ଵାମା ଆତଙ୍କବାଦୀ ହାମ୍ଲାର ପ୍ରତିଶୋଧ ନେବା ପାଇଁ ଭାରତର ବାୟୁସେନା ଯେଉଁପରି ଢ଼ଙ୍ଗରେ ମଙ୍ଗଳବାର ପ୍ରତ୍ୟୁଷରେ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ସଂଗଠନ ଜେଇଏମ୍ର ଟ୍ରେନିଂକ୍ୟାମ୍ପକୁ ମାଟିରେ ମିଶାଇଦେବା ସହ ୩୦୦ରୁ ଉର୍ଦ୍ଧ୍ୱ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ନିପାତ କଲା; ତା’କୁ ଦେଖିବା ପରେ ସମଗ୍ର ବିଶ୍ୱ ଏବେ ତଟସ୍ଥ ହୋଇ ରହି ଯାଇଛି।
ଏଥିସହ ଭାରତର ଏ ପ୍ରତିଶୋଧମୁଖୀ ଉଗ୍ର ରୂପ ଦେଖିବା ପରେ ଖୋଦ୍ ପାକିସ୍ତାନ ମଧ୍ୟ ସଂପୂର୍ଣ୍ଣ ରୂପେ ଛାନିଆ ଓ ଭୟଭୀତ ହୋଇପଡ଼ିଛି। ଏ ପରିସ୍ଥିତିରେ ନିଜର ତଥା ନିଜ ଦେଶର ସ୍ଥିତି ରକ୍ଷା ବିଶ୍ୱ ସମୁଦାୟଙ୍କ ନିକଟରେ ‘ରକ୍ଷାକର’, ‘ରକ୍ଷାକର’ ନାରା ଦେଇ ଦ୍ୱାରସ୍ଥ ହୋଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ହେଲେ, ଆମେରିକା ଠାରୁ ଆରମ୍ଭ କରି ଫ୍ରାନ୍ସ, ଅଷ୍ଟ୍ରେଲିଆ ଓ ଇସ୍ରାଏଲ ପରି ରାଷ୍ଟ୍ର ଏପ୍ରସଙ୍ଗରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କୁ ଚେତାବନୀ ଶୁଣାଇ କହିଛନ୍ତି, ‘ତୁମେ ପ୍ରଥମେ ତୁମ ମାଟିରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀମାନଙ୍କୁ ସମୂଳେ ବିନାଶ କର; ତା’ପରେ ଯାଇ ଆମେ ତୁମ ଅନୁରୋଧ ଉପରେ ବିଚାର କରିବୁ।’ ପାକିସ୍ତାନ ପ୍ରତି ଆମେରିକା, ଫ୍ରାନ୍ସ, ଅଷ୍ଟ୍ରେଲିଆ ଓ ଇସ୍ରାଏଲର ଏ ଆଭିମୁଖ୍ୟ ଦେଖି, ଏକ ସମୟରେ ନିଜକୁ ପାକିସ୍ତାନର ପରମ ବନ୍ଧୁ ବୋଲି କହୁଥିବା ଚୀନ୍ ମଧ୍ୟ ପାକିସ୍ତାନ୍ ଠାରୁ ନିଜ ବନ୍ଧୁତାର ହାତକୁ ଖସାଇ ଆଣିଛି। ଖାଲି ଏତିକି ନୁହେଁ ଇରାନ୍, ଇରାକ୍ ପରି ଇସ୍ଲାମିକ୍ ରାଷ୍ଟ୍ର ମଧ୍ୟ ଏପ୍ରସଙ୍ଗରେ କୌଣସି ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି। ଏ ପରିସ୍ଥିତିରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ଅବସ୍ଥା ଏବେ, ‘ଧଇଲେ ମଲି: ଛାଡ଼ିଲେ ମଲି ସଦୃଶ ହୋଇଛି।’