ଆଜି ପୀଠେ ମହାଷ୍ଟମୀ,ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

Spread the love
ରାଉରକେଲା,୨୩/୧୦/୨୦ (ସନ୍ଧାନ ନିଉଜ) : ଆଜି ଠାରୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ସମସ୍ତ ପୂଜା ପେଣ୍ଡାଲରେ ଜଗତଜନନୀ, ଦୁର୍ଗତନାଶୀନୀ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜାର ଶୁଭାରମ୍ଭ ହୋଇଛି । ପୂଜା ପେଣ୍ଡାଲରେ ମହାସପ୍ତମୀ ପୂଜା କରାଯାଉଥିବା ବେଳେ, ବିଭିନ୍ନ ଶକ୍ତି ପୀଠ ଓ  ଶତାଧିକ ଦେବୀ ମନ୍ଦିର ଗୁଡ଼ିକରେ ମହାଷ୍ଟମୀ ପୂଜାର ଆୟୋଜନ କରାଯାଇଥିବା ଜଣାପଡ଼ିଛି । କରୋନା ଯୋଗୁ ସବୁଠି ଛାଇଯାଇଛି ନୀରବତା । ହଜି ଯାଇଛି ପାର୍ବଣର ମହକ ।  ପ୍ରାୟ ସବୁଠି ପରିବେଶ ଫିକା ପଡ଼ି ଯାଇଥିବା ଦେଖିବାକୁ ମିଳିଛି । ରାଉରକେଲାର ସମସ୍ତ ପୂଜା ପେଣ୍ଡାଲରେ ବିନା ତୋରଣ, ରଙ୍ଗୀନ ଆଲୋକ ସଜ୍ଜା, ବାଜା ସାଉଣ୍ଡ ବିନା ମା’ ଆବାହନ କରାଯାଉଛି । ପୂଜା ମଣ୍ଡପର ତିନି ପଟକୁ ଆବଦ୍ଧ କରାଯାଇଥିବା ବେଳେ, ସାମନାପଟକୁ ସ୍କ୍ରିନ ମାଧ୍ୟମରେ ବନ୍ଦ କରାଯିବାର ବ୍ୟବସ୍ଥା ରହିଛି । କୋଭିଡ଼ କଟକଣା ଅନୁଯାୟୀ, ଶ୍ରଦ୍ଧାଳୁଙ୍କୁ ପୂଜା ପେଣ୍ଡାଲକୁ ଆସିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିବା ବେଳେ, ଏଥର ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରାଯିବ ନାହିଁ । କେବଳ ଷଷ୍ଠୀ ଠାରୁ ମହାଦଶମୀ ଯାଏ ବିଧି ଅନୁଯାୟୀ ପୂଜା କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ସୂଚନା ମିଳିଛି । ରାଉରକେଲାର ଟେଲିଫୋନ ଭବନ, ସେକ୍ଟର-୧, ୨, ୩, ୪, ବାସନ୍ତୀ କଲୋନୀ, ନୟାବଜାର, କୋଏଲ ନଗର ସମେତ ସାରନଗରୀ, ଦେଓଗାଁ, ବାଲିଯୋଡ଼ି, ଆଇଡ଼ିଏଲ, ତରକେରା ଓ ଜଲଦାରେ ମା’ ଦୁର୍ଗାଙ୍କ ୪ ଫୁଟର ମୁଣ୍ମୟୀ ମୂର୍ତି ଅବା ଫଟୋ, ଘଟ ରଖି ପେଣ୍ଡାଲ ମାନଙ୍କରେ ପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କ ଆବାହନ ମହାଷଷ୍ଠୀ ଠାରୁ ମହାଦଶମୀ ଯାଏ କୋଭିଡ଼ ନିୟମାନୁଯାୟୀ ଅନୁଷ୍ଠିତ ହେବ । ଚଳିତ ବର୍ଷର ଦୁର୍ଗାପୂଜା ଭସାଣ ପୂଜାକମିଟି ମାନଙ୍କ ପକ୍ଷରୁ କରାଯିବା ଉପରେ ଅଙ୍କୁଶ ଲାଗାଯାଇଛି ।  ପ୍ରଶାସନ ପକ୍ଷରୁ ନିରାଡମ୍ବର ଭାବେ ମା’ଙ୍କ ମୁଣ୍ମୟୀ ମୂର୍ତିକୁ ବିସର୍ଜନ କରାଯିବ । ଅପରପକ୍ଷରେ ରାଉରକେଲାରେ  ଥିବା ଗାୟତ୍ରୀ ପ୍ରଜ୍ଞା ପୀଠ, ମା’ ମଙ୍ଗଳା ମନ୍ଦିର, ମା’ ତାରିଣୀ ମନ୍ଦିରରେ କୋଭିଡ଼ ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା ।  ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦର୍ଶନ କରି ତାଙ୍କା ଅଶେଷ କରୁଣା ଲାଭ କରିଥିଲେ ।

2 Attachments

Related Posts

About The Author

Add Comment