ଭୁବନେଶ୍ବର, ୯/୨(ସନ୍ଧାନ ନିୟୁଜ) : କଳିଙ୍ଗ ଷ୍ଟାଡିୟମରେ ଶନିବାରଠୁ ପ୍ରଥମ ଥର ଲାଗି ଗୋଲ୍ଡ କପ୍ ଚତୁଃରାଷ୍ଟ୍ରୀୟ ମହିଳା ଫୁଟ୍ବଲ୍ ପ୍ରତିଯୋଗିତା ଆରମ୍ଭ ହେବ। ୯, ୧୧ ଏବଂ ୧୩ ତାରିଖରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବାକୁ ଥିଲା ବେଳେ ୧୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଆୟୋଜକ ଭାରତ ସହ ମିଆଁମାର, ଇରାନ ଓ ନେପାଳ ଏହି ପ୍ରତିଯୋଗିତାରେ ଭାଗ ନେବେ। ଏହି ଚାରି ଦଳ ପରସ୍ପର ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ଶୀର୍ଷ ଦୁଇ ଦଳ ଫାଇନାଲକୁ ଯୋଗ୍ୟତା ଅଜର୍ନ କରିବେ। ଅଲିମ୍ପିକ୍ସ ଯୋଗ୍ୟତା ଦ୍ବିତୀୟ ପର୍ଯ୍ୟାୟ ଖେଳିବା ଲାଗି ଏହା ମଧ୍ୟରୁ ୩ ଦଳ (ମିଆଁମାର, ଇରାନ, ଭାରତ) ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଅଧିକ ଅଭ୍ୟାସ ପାଇଁ ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ଏହି ପ୍ରତିଯୋଗିତାର ଆୟୋଜନ କରିଛି। ଏଆଇଏଫ୍ଏଫ୍ ସହ ଓଡ଼ିଶା ସରକାର ଓ ଓଡ଼ିଶା ଫୁଟ୍ବଲ୍ ସଂଘର ମିଳିତ ଉଦ୍ୟମରେ ଏହା ଆୟୋଜିତ ହେଉଛି। ପ୍ରତିଯୋଗିତାର ବିଜେତା ଦଳ ଲାଗି ୭ ଲକ୍ଷ ଓ ଉପବିଜେତା ଦଳ ଲାଗି ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ଏହି ପ୍ରତିଯୋଗିତାର ଦିନକ ପୂର୍ବରୁ ଶୁକ୍ରବାର ଟ୍ରଫି ଉନ୍ମୋଚିତ ହୋଇଛି। ଟ୍ରଫି ଉନ୍ମୋଚନ ଉତ୍ସବରେ ଚାରି ଦଳର ଅଧିନାୟକଙ୍କ ସହ ଏଆଇଏଫ୍ଏଫ୍ ମହାସଚିବ କୁଶାଲ ଦାସ, ବୈଷୟିକ ଅଧିକାରୀ ଅଭିଷେକ ଯାଦବ, ଓଡ଼ିଶା କ୍ରୀଡ଼ା ସଚିବ ବିଶାଲ ଦେବ ଏବଂ ଓଡ଼ିଶା ଫୁଟ୍ବଲ୍ ସଂଘର ସଭାପତି ଦେବାଶିଷ ସାମନ୍ତରାୟ ଉପସ୍ଥିତ ରହି ଏହାକୁ ଉନ୍ମୋଚନ କରିଥିଲେ।
ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ-୨ ପୂର୍ବରୁ ଆମ ଦଳକୁ ଅଧିକ ଶାଣିତ କରିବା ଲାଗି ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଆମ ପିଲାମାନେ ବଡ଼ ମ୍ୟାଚ୍ ପୂର୍ବରୁ ଅନ୍ୟ ଦେଶ ସହ ଖେଳିବାର ସୁଯୋଗ ମଧ୍ୟ ପାଇଲେ। ଏଥି ସହ ଫୁଟ୍ବଲ୍ ପ୍ରତି ଝିଅମାନଙ୍କର ଅଗ୍ରହ ମଧ୍ୟ ବଢ଼ିବ ବୋଲି ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମହାସଚିବ କୁଶାଲ ଦାସ। ଏଥିସହ ଆୟୋଜନରେ ସହଯୋଗ କରିଥିବାରୁ ଓଡ଼ିଶା ସରକାର ଓ ସାଇକୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀ କରିବା ଲାଗି ଚାହୁଁଛନ୍ତି। ଏହି ଦିଗରେ ଆମେ ବଡ଼ ଆକାରରେ ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜନ କରିଛୁ। ଗତ ବର୍ଷ ଆମେ ସଫଳତାର ସହ ସୁପର କପ୍ ଆୟୋଜନ କରିଥିଲୁ। ସଂପ୍ରତି ଆଇ ଲିଗ୍ ଚାଲିଛି। ଏହାକୁ ଦେଖି ଏଆଇଏଫ୍ଏଫ୍ ଚତୁଃରାଷ୍ଟ୍ରୀୟ ଗୋଲ୍ଡ କପ୍ ଫୁଟ୍ବଲ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଅଧିକାର ଦେଇଥିଲା ବୋଲି କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି। ଏହି ଅବସରରେ ପୁଣି ସେ କହିଥିଲେ, ଏଆଇଏଫ୍ଏଫ୍ ସହଯୋଗରେ ଓଡ଼ିଶା ଏବେ ଯୁବ ଫୁଟ୍ବଲ୍ ହବ୍ରେ ପରିଣତ ହେବାକୁ ଯାଉଛି। ୧୫ ଓ ୧୯ ବର୍ଷରୁ କମ୍ ଦଳର ଘରୋଇ ପଡ଼ିଆ ଓଡ଼ିଶା ହୋଇଛି। ଆମେ ମଧ୍ୟ ମହିଳା ଫୁଟ୍ବଲ୍କୁ ଆଗକୁ ବଢ଼ାଇବା ଲାଗି ଗୋଲ୍ଡ କପ୍ ଆୟୋଜନ କରିବା ଲାଗି ସବୁପ୍ରକାର ସହଯୋଗ କରୁଛୁ। ପ୍ରତିଯୋଗିତାର ବିଜେତା ଓ ଉପବିଜେତା ଦଳ ପାଇଁ ଯଥାକ୍ରମେ ୭ ଲକ୍ଷ ଓ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି। ମ୍ୟାଚ୍ ଦେଖିବା ଲାଗି ମାଗଣା ବ୍ୟବସ୍ଥା ରହିଛି। ଓଡ଼ିଶାର ଫୁଟ୍ବଲ୍ ପ୍ରେମୀ ଏହାର ମଜା ନେଇପାରିବେ ବୋଲି ଶ୍ରୀ ଦେବ ସୂଚନା ଦେଇଛନ୍ତି। ଫୁଟ୍ବଲ୍ପ୍ରେମୀମାନେ ୩ ନମ୍ବର ଗେଟ୍ ଦେଇ ଷ୍ଟାଡିୟମରେ ପ୍ରବେଶ କରିବା ସହ ବ୍ଲକ୍ ବି’ ଓ ସି’ରେ ଖେଳ ଉପଭୋଗ କରିପାରିବେ।