ଆଜିଠାରୁ ଘରକୁ ଯାଇପାରିବେ ନାହିଁ ବଜେଟ୍‌ ଟିମ୍‌

Spread the love

ନୂଆଦିଲ୍ଲୀ, ୨୨/ ୬ (ସନ୍ଧାନ ନିୟୁଜ) : ଆଗାମୀ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ବଜେଟ୍‌ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ବଜେଟ୍‌ ଦସ୍ତାବିଜକୁ ମୁଦ୍ରଣ ଲାଗି ପଠାଯାଇଛି। ଏହି ଅବସରରେ ଆଜି ଅର୍ଥ ମନ୍ତ୍ରାଳୟରେ ଅନୁଷ୍ଠିତ ହୋଇଛି ‘ହାଲଓ୍ଵା ଉତ୍ସବ’। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ୍‌ ଦସ୍ତାବିଜର ଛାପା କାର୍ଯ୍ୟ ଆରମ୍ଭ ହେବା ଦିନ ହାଲଓ୍ଵା ପ୍ରସ୍ତୁତ କରାଯାଇ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅବସରରେ ମନ୍ତ୍ରାଳୟର ତଳ ମହଲାରେ ଏକ ବଡ଼ କଡ଼େଇରେ ପ୍ରସ୍ତୁତ ହାଲଓ୍ଵାକୁ ବଜେଟ୍‌ ପ୍ରସ୍ତୁତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଅଂଶଗ୍ରହଣ କରିଛନ୍ତି।

ତେବେ ଏହି ହାଲଓ୍ଵା ଉତ୍ସବର ଆଉ ଏକ ଗୁରୁତ୍ୱ ହେଲା ମନ୍ତ୍ରାଳୟର କର୍ମଚାରୀ ଓ ଅଧିକାରୀଙ୍କୁ ହାଲଓ୍ଵା ଦିଆଯିବା ସହ ଏହା ସୂଚିତ କରିଦିଆଯାଏ କି ବଜେଟ୍‌ ପ୍ରସ୍ତୁତି ସହ ଜଡ଼ିତ କର୍ମଚାରୀ ଆଉ ଘରକୁ ଯାଇ ପାରିବେ ନାହିଁ କିମ୍ବା କାହା ସହ କୌଣସି ଯୋଗାଯୋଗରେ ରହିପାରିବେ ନାହିଁ। ବଜେଟ୍‌ ଲୋକସଭାରେ ଉପସ୍ଥାପିତ ହେବା ପରେ ହିଁ ସେମାନେ ପରିବାରକୁ ଫେରିବା ସହ ବନ୍ଧୁବାନ୍ଧବଙ୍କ ସହ ସଂପର୍କରେ ଆସିପାରିବେ। ବଜେଟ୍‌ ସଂମ୍ବନ୍ଧିତ ସମସ୍ତ ତଥ୍ୟକୁ ଗୁପ୍ତ ରଖିବା ଲାଗି ଏହି ବ୍ୟବସ୍ଥା ପ୍ରତିବର୍ଷ ଗ୍ରହଣ କରାଯାଇଥାଏ।

ଆଜି ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି କି, ବଜେଟ୍‌କୁ ଗୁପ୍ତ ରଖିବା ଲାଗି ଏହାର ପ୍ରସ୍ତୁତିରେ କାର୍ଯ୍ୟ କରିଥିବା କର୍ମଚାରୀ ଓ ଅଧିକାରୀ,ଆଜିଠାରୁ ମନ୍ତ୍ରାଳୟ ବାହାରକୁ ଯାଇପାରିବେ ନାହିଁ କିମ୍ବା କାହା ସହ ଯୋଗାଯୋଗ କରିପାରିବେ ନାହିଁ।

Related Posts

About The Author

Add Comment