ଆଚ୍ରେକରଙ୍କୁ ସଚିନ୍‌ଙ୍କ ଅଶ୍ରୁଳ ବିଦାୟ

Spread the love

ମୁମ୍ବାଇ,୪/୧ (ସନ୍ଧାନ ନିୟୁଜ) : ଖ୍ୟାତନାମା କ୍ରିକେଟ୍‌ ପ୍ରଶିକ୍ଷକ ରମାକାନ୍ତ ଆଚ୍ରେକରଙ୍କ ନିଧନ ବୁଧବାର ହୋଇଥିଲା ବେଳେ ଗୁରୁବାର ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଛି। କ୍ରିକେଟ୍‌ ଦୁନିଆରେ ତାଙ୍କର ପରମ ଶିଷ୍ୟ ଭାବେ ପରିଚିତ ସଚିନ୍‌ ତେନ୍ଦୁଲକର ନିଜ ଗୁରୁଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି। ଗୁରୁବାର ଆଚ୍ରେକରଙ୍କ ମର ଶରୀର ତାଙ୍କ ବାସଭବନରେ ସାଧାରଣ ଲୋକଙ୍କ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ସେଠାରେ ତାଙ୍କର ସମସ୍ତ ଶିଷ୍ୟ ଶ୍ରଦ୍ଧା ସୁମନ ଜଣାଇଥିଲେ। ପରେ ବାସଭବନରୁ ନିକଟସ୍ଥ ଶ୍ମଶାନକୁ ଶବ ଶୋଭାଯାତ୍ରା ବେଳେ ସଚିନ୍‌ ଶବ ବାହକ ମଧ୍ୟ ସାଜିଥିଲେ। ନିଜ ପିଲା ଦିନର ପ୍ରଶିକ୍ଷକଙ୍କ ପରଲୋକରେ ତାଙ୍କ ଅଖିରେ ଲୋତକ ଭରିଯାଇଥିଲା। କେବଳ ସଚିନ୍‌ କାହିଁକି ଆଚ୍ରେକରଙ୍କ ଅନ୍ୟାନ୍ୟ ପ୍ରମୁଖ ଶିଷ୍ୟ ଭାବେ ପରିଗଣିତ ବିନୋଦ କାମ୍ବଲି, ବଲ୍‌ୱିନ୍ଦର ସିଂହ ସାନ୍ଧୁ ଓ ଚନ୍ଦ୍ରକାନ୍ତ ପଣ୍ଡିତ ମଧ୍ୟ ଶୋଭାଯାତ୍ରାରେ ସାମିଲ ରହି ନିଜ ବାଲ୍ୟକାଳର ଗୁରୁଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ। ସେହିପରି ଅତୁଲ ରାନାଦେ, ଅମୋଲ ମଜୁମ୍‌ଦାର, ରମେଶ ପା‌ୱାର, ପାରଶ ମହାମ୍ବ୍ରେ, ରଣଜୀ ପ୍ରଶିକ୍ଷକ ବିନାୟକ ସାମନ୍ତ, ନିଲେଶ କୁଲ୍‌କର୍ଣ୍ଣି, ବିନୋଦ ରାଘବନ୍‌ ଭଳି ମୁମ୍ବାଇ କ୍ରିକେଟର୍‌ମାନେ ସେମାନଙ୍କ ଆଦ୍ୟ ଗୁରୁଙ୍କ ଶେଷ ଦର୍ଶନ କରିବା ସହିତ ଶବ ଶୋଭାଯାତ୍ରାରେ ସାମିଲ ରହିଥିଲେ। ପୂବର୍ତନ ରାଜସ୍ଥାନ ପ୍ରଶିକ୍ଷକ ପ୍ରଦୀପ ସୁନ୍ଦରମ୍‌, ମୁମ୍ବାଇ କ୍ରିକେଟ୍‌ ସଂଘର କର୍ମକର୍ତା ତଥା ପୁରୁଖା କ୍ରିକେଟ୍‌ ପ୍ରଶାସକ ରତ୍ନାକର ସେଟ୍ଟୀ ପ୍ରମୁଖ ଆଚ୍ରେକରଙ୍କୁ ଶେଷ ସମ୍ମାନ ଜଣାଇଥି‌ଲେ। ରାଜନେତାଙ୍କ ମଧ୍ୟରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍‌ ଠାକରେ, ବିଧାୟକ ତଥା ବିଜେପି ନେତା ଆଶିଷ ସେଲାର, ମେୟର ବିଶ୍ବନାଥ ମହାଦେଶ୍ବର ମଧ୍ୟ ଏହି ମହାନ୍‌ କ୍ରିକେଟ୍‌ ଗୁରୁଙ୍କୁ ଶ୍ରଦ୍ଧା ସୁମନ ଜଣାଇଥିଲେ। ଆଚ୍ରେକରଙ୍କ ମର ଶରୀରରେ ଅଗ୍ନି ସଂଯୋଗ ହେବାମାତ୍ରେ ଏହି ସମସ୍ତ ଶିଷ୍ୟଗଣ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ଶ୍ମଶାନ ପରିବେଶ କ୍ରନ୍ଦନରୋଳରେ ପ୍ରକମ୍ପିତ ହୋଇଥିଲା। ଆଚ୍ରେକରଙ୍କ ମର ଶରୀର ଶିବାଜୀ ପାର୍କ ବାହାରକୁ ନିଆଯାଇଥିଲା ବେଳେ ସେଠାରେ ଅଭ୍ୟାସ କରୁଥିବା ଅଧିକାଂଶ ଯୁବ ଖେଳାଳି ଏହି ମହାନ୍‌ ଗୁରୁଙ୍କୁ ‘ଗାର୍ଡ ଅଫ୍ ଅନର’ ଦେଇଥିଲା ବେଳେ ‘ଆଚ୍ରେକର ଅମର ରହେ’ ଧ୍ବନିରେ ପରିବେଶ ପ୍ରକମ୍ପିତ ହୋଇଥିଲା।

Related Posts

About The Author

Add Comment