ଆଉ ହନ୍ତସନ୍ତ ହେବେନି ରୋଗୀ, ଏମ୍‌ସ କୁ ହେବ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡର

Spread the love

 ଭୁବନେଶ୍ୱର  ୧୮/୧୨/୨୫ (ସନ୍ଧାନ ନ୍ୟୁଜ )  : ଏଣିକି ଏମ୍‌ସ ଯାଉଥିବା ଆମ୍ବୁଲାନ୍ସ ଆଉ ବାଟରେ ଅଟକିବନି କି ଟ୍ରାଫିକରେ ଫସିବନି। ଗୋଲ୍ଡେନ ଆୱାରରେ ରୋଗୀଙ୍କୁ ଖୁବ୍ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବାକୁ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ଆରମ୍ଭ କରିବାକୁ ଯାଉଛନ୍ତି । ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର । ସର୍ଭିସ୍ ରୋଡକୁ ଆହୁରି ଚଉଡା କରାଯିବ । ଯେଉଁଠି ଆବଶ୍ୟକ ପଡିବ, ଡ୍ରେନ୍ ଘୁଞ୍ଚିବ ଓ ଜମି ଅଧିଗ୍ରହଣ ବି ହେବ । ଏପରି ଯୋଜନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏନେଇ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।  ଜାତୀୟ ରାଜପଥ ପ୍ରାଧିକରଣ (NHI) ଏନେଇ ପ୍ରାଥମିକ ସର୍ଭେ ବି କରିସାରିଛି । ଖୁବଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ ହେବ । ଏବେ ଖଣ୍ଡଗିରି ଛକରୁ ଏମ୍‌ସ ଯାଏ କିଛି ସ୍ଥାନରେ ରାସ୍ତା ତିନିଲେନ୍ ବିଶିଷ୍ଟ ରହିଛି । ଆଉ କିଛି ସ୍ଥାନରେ ରାସ୍ତା ସଙ୍କୁଚିତ ହୋଇ ଦୁଇ-ଲେନ୍ ଅଛି । ଏଇ ପୂରା ରାସ୍ତାକୁ ତିନି-ଲେନ୍‌ରେ ପରିଣତ କରାଯିବ । ଏଥିରୁ ଗୋଟିଏ ଲେନ୍ ସମ୍ପୂର୍ଣ୍ଣ ଭାବେ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ । ଏହି କରିଡରକୁ ହଳଦିଆ ରଙ୍ଗରେ ଚିହ୍ନଟ କରାଯିବ । ଏଥିରେ ଯେଉଁଭଳି ଅନ୍ୟ କୌଣସି ଗାଡି ଚଳାଚଳ ନ କରେ, ସେଥିପାଇଁ କିଛି ସୁରକ୍ଷାକର୍ମୀ ବି ନିୟୋଜିତ ରହିବେ କିଛି ସ୍ଥାନରେ ସିସିଟିଭି କ୍ୟାମେରା ବି ଲାଗିବ । ଅନ୍ୟଗାଡି ଅମାନିଆ ହୋଇ ଏହି କରିଡରରେ ପଶିଲେ ଜରିମାନା ଆଦାୟ ହେବ ।  ବୁଧବାର ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଏକାମ୍ର(ଭୁବନେଶ୍ୱର) ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଏମ୍‌ସର ଚାରିପାଖର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଶେଷକରି ଏହି ଜାତୀୟସ୍ତରୀୟ ସ୍ୱାସ୍ଥ୍ୟାନୁଷ୍ଠାନ ଭିତରେ ଥିବା ସ୍ୱେରେଜ୍ ବ୍ୟବସ୍ଥା, ଭିତର ଓ ଚାରିପାଖର ରାସ୍ତାର ପୁନଃନିର୍ମାଣ, ଆଲୋକୀକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଏମ୍‌ସକୁ ଆସୁଥିବା ରୋଗୀ ଓ ସାଧାରଣ ଲୋକଙ୍କ ସୁବିଧା ଗମନାଗମନ ପାଇଁ ଟ୍ରାଫିକ୍ ବ୍ୟବସ୍ଥା ସଜାଡିବା ଓ ଅପରାଧ ରୋକିବା ପାଇଁ ସିସିଟିଭି ଲଗାଇବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଖଣ୍ଡଗିରି ଫ୍ଲାଏଓଭର ଠାରୁ ଡୁମ୍‌ଡୁମା ଅଣ୍ଡର ପାସ ପର୍ଯ୍ୟନ୍ତ ସର୍ଭିସ ରୋଡ୍‌ର ପ୍ରଶସ୍ତିକରଣ, ଆଇଗିଣିଆ ଆଳୁ ଗଦି ଜଙ୍କସନରୁ ଏମ୍‌ସ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ, ଭେଣ୍ଡିଂ ଜୋନ୍ ନିର୍ମାଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଏନଏଚଏଆଇ ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂ, ଏମସ୍ ସୁପରିଟେଣ୍ଡେଣ୍ଟ ଡା ଦିଲୀପ ପରିଡ଼ା, ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, ବିଏମସି ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସତ୍ୟବ୍ରତ ବେହେରା, ମୁଖ୍ୟଯନ୍ତ୍ରୀ ଧ୍ୟାନଚାନ୍ଦ ନାୟକ, ଅଧୀକ୍ଷଣ ଯନ୍ତ୍ରୀ ସଚିନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment