ଆଇରନ ବୋଝେଇ ଟ୍ରକଙ୍କ କବ୍ଜାରେ ଜାତୀୟ ରାଜପଥ, ଯାତାୟତରେ ଅଚଳାବସ୍ଥା, ଯାଜପୁର ପ୍ରଶାସନ ଚୁପ
ଆଇରନ ବୋଝେଇ ଟ୍ରକଙ୍କ କବ୍ଜାରେ ଜାତୀୟ ରାଜପଥ, ଯାତାୟତରେ ଅଚଳାବସ୍ଥା, ଯାଜପୁର ପ୍ରଶାସନ ଚୁପ
Manas Kumar Rout |
August 11, 2019 |
ଯାଜପୁର, ୧୧/୮ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଦେଇ ଯାଇଥିବା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ଦୀର୍ଘ ୧୫ ଦିନ ହେବ ଅଚଳ ହୋଇପଡିଛି । ଲୋକେ ଯୋଉ ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ନଦେଖିଲା ଲୋକ ବିଶ୍ୱାସ କରିପାରିବ ନାହିଁ । ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ସାଧାରଣ ମଣିଷଟେ ଜାତୀୟ ରାଜପଥରେ ଶାନ୍ତରେ ଯିବା ତ ଦୂରର କଥା ଅଣନିଶ୍ୱାସୀ ହୋଇପଡୁଛି । ଆମ୍ବୁଲାନ୍ସରେ ଆସୁଥିବା ରୋଗୀଟି ରାସ୍ତାରେ ଠିଆ ହୋଇ ରହି ମୃତ୍ୟୁକୁ ନିକଟକୁ ଦେଖି ମରଣ ଯନ୍ତ୍ରଣା ସହ ସଂଘର୍ଷ କରୁଥିଲେ ବି ନା ଆଗକୁ ଯାଇ ପାରୁଛି ନା ପଛକୁ ଯାଇପାରୁଛି ।
ଯାଜପୁର ଜିଲ୍ଲାରେ ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ ଦେଶର ପ୍ରମୁଖ ଶିଳ୍ପକେନ୍ଦ୍ର କଳିଙ୍ଗନଗର ଓ ପାରାଦ୍ୱୀପ ବନ୍ଦରକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତାରେ ଏବେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି । ଚଣ୍ଡୀଖୋଲରୁ ଡୁବୁରୀ ଅଭିମୁଖେ ମାତ୍ର ୪ କିଲୋମିଟର ଭିତରେ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମହାବିନାୟକ ପୀଠ, ଚଣ୍ଡୀ ମନ୍ଦିର, ବାବା ଭୈରବାନନ୍ଦ ମହାବିଦ୍ୟାଳୟ, ବାଣୀବିହାର ବିଶ୍ୱବିଦ୍ୟାଳୟର ଦ୍ୱୀତୀୟ କ୍ୟାମ୍ପସ, ବହୁ ଶିକ୍ଷାନୁଷ୍ଠାନ ଓ କୋର୍ଟ ଆଦି ଅବସ୍ଥିତ । ହେଲେ ଜାତୀୟ ରାଜପଥର ଏହି ଅଂଶରେ ଦୀର୍ଘଦିନ ହେବ ଖଣିଜ ପଦାର୍ଥ ବୋଝେଇ ଟ୍ରକ ଗୁଡିକ ଠିଆ ହୋଇ ରହିବା ଫଳରେ ରାସ୍ତାରେ ମୋଟର ଯାନ ଯାତାୟତ ସମ୍ବବ ହେଉନାହିଁ । ରାସ୍ତାରେ ଏକପ୍ରକାର ଅଚଳାବସ୍ଥା ଫଳରେ ଏହି ରାସ୍ତାରେ ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀ ତ ଯାହା ଅବସ୍ଥା ଭୋଗୁଛନ୍ତି ହେଲେ ଏହି ୪ କିଲୋମିଟର ଭିତରେ ଥିବା ଶିକ୍ଷାନୁଷ୍ଠାନକୁ ଯାତାୟତ କରୁଥିବା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତୀଙ୍କ ଦୂରାବସ୍ଥା କେହି ନଦେଖିଲେ ବିଶ୍ୱାସ କରିପାରିବ ନାହିଁ । ଜାତୀୟ ରାଜପଥରେ ଏଭଳି ଟ୍ରକ ଗୁଡିକୁ ପାର୍କିଂ ନକରି ଅନ୍ତତ ବିଭିନ୍ନ ଶାଖା ରାସ୍ତା କିମ୍ବା ପଡିଆରେ ପାର୍କିିଂ କରାଯାଇ ପାରନ୍ତା ବୋଲି ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ଦାବି କରିଛନ୍ତି ।
ସେ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଆମେ ଲୋକାଭିମୁଖୀ ସରକାର ଏବଂ ଉତରଦାୟୀ ପ୍ରଶାସନର କଥା ଖାଲି କହୁନେ ବରଂ ଏଥିନେଇ ସଚେତନ ଅଛେ ବୋଲି ବାରମ୍ବାର ପ୍ରଶାସନିକ ସମୀକ୍ଷା କରି ସମ୍ବାଦପତ୍ରରେ ପ୍ରଶସ୍ତ ଜାଗା ନେଉଛେ । ହେଲେ ଏ କ୍ଷେତ୍ରରେ ଯେମିତି କେହି ବି କହିବାକୁ ନାହିଁ । କାହିଁ ଏଥିନେଇ ଚଣ୍ଡୀଖୋଲ, ଧର୍ମଶାଳା, ଚଢେଇଧରା ଆଦି ସ୍ଥାନରେ କିମ୍ବା ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ହେଲେ ସମୀକ୍ଷା ବୈଠକ କରାଯାଇ ସମସ୍ୟାର ନିରାକରଣ ପାଇଁ ଉଦ୍ୟମ ହେଉନି । ଟ୍ରକ ମାଲିକ ଭଢା ପାଇବେ, ଟ୍ରାନ୍ସପୋର୍ଟର ମୋଟା ଅଙ୍କର ଲାଭ ପାଇବେ ହେଲେ ଲୋକେ ରାସ୍ତାରେ ଯନ୍ତା ଭିତରେ ରହିବେ । ଏଥିନେଇ ଯଦି ସରକାରୀ କଳ ଚୁପ ରହୁଥାଏ, ତେବେ ଏହି ପରିବହନ ବ୍ୟବସାୟରୁ ପୋଲିସ ଓ ପ୍ରଶାସନ ମୋଟା ଅଙ୍କର ଚାନ୍ଦା ପାଇ ଚେଇଁ ଶୋଇଥିବାର ଯାହା ସାଧାରଣରେ ଲୋକେ କହି ସରକାରକୁ ଗାଳି କରୁଛନ୍ତି, ତାହାକୁ ସତ୍ୟ ବୋଲି ଭାବିବାକୁ ହେବ ନା ନାହିଁ ? ଅପର ପକ୍ଷରେ ଟ୍ରକ ମାଲିକ ମାନଙ୍କ ସୁବିଧା ପାଇଁ ପାରାଦ୍ୱୀପରୁ ଗାଡି ଅଲୋଡିଂ ସରିଲେ ପୁଣି ଖଣି ଅଂଚଳରୁ ଟ୍ରକ ଲୋଡିଂ କରି ଛଡାଯିବା ବ୍ୟବସ୍ଥା କରାଗଲେ ଅସୁବିଧାଟା କେଉଁଠି? ଟ୍ରକ ଡ୍ରାଇଭରମାନେ ଯେଭଳି ଖାଇବାକୁ ପିଇବାକୁ ନପାଇ ରାସ୍ତାରେ ଅନିଶ୍ଚିତ ଭବିଷ୍ୟତ ନେଇ ବଂଚୁଛନ୍ତି ସେଥିରେ କାହାକୁ ଆନନ୍ଦ ମିଳୁଛି । ଲୋକଙ୍କ ପାଇଁ କ୍ଷମତାରେ ଥିବା ଜନପ୍ରତିନିଧି ବି ଚୁପ । ଏ ପ୍ରସଙ୍ଗରେ ଲୋକଙ୍କ ପାଇଁ କ୍ଷମତାରେ ଥିବା ଜନପ୍ରତିନିଧି ବି ଚୁପ । ଆମେ ଦିନେ ବି ଏଭଳି ଅଚଳାବସ୍ଥା ଏବଂ ଗୁରୁତର ସମସ୍ୟା ନେଇ ଜାତୀୟ ରାଜପଥରେ ଆମ ଜିଲ୍ଲାର ଉଚ୍ଚ ପଦବୀରେ ଥିବା ପୋଲିସ ଓ ପ୍ରଶାସକଙ୍କୁ ଦେଖିଲୁ ନାହିଁ । ଆମ ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଜନସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ବେଳେ ପ୍ରଶାସନିକ ଇଛାଶକ୍ତିର ଅଭାବ ଓ ସମନ୍ୱୟର ଅଭାବ ପାଇଁ ରାସ୍ତାରେ ଜଙ୍ଗଳରାଜ ଓ ଲୋକଙ୍କ ଏଭଳି ଦୁର୍ଦ୍ଦଶା ନେଇ ଆମେ ଚୁପ ରହିବା ଉଚିତ ନୁହେଁ ।
Report- Manas Rout
Related Posts
About The Author