ଆଇପିଏଲ୍‌: ଡିଭିଲିୟର୍ସଙ୍କ ୮୨ ରନ, କିଙ୍ଗସ୍‌କୁ ୨୦୩ ରନ୍‌ ଟାର୍ଗେଟ ଦେଲା ରୟାଲସ୍‌

Spread the love

ବେଙ୍ଗାଲୁରୁ, ୨୪/୪(ସନ୍ଧାନ ନିୟୁଜ) : ଏବି ଡିଭିଲିୟର୍ସଙ୍କ ଅପରାଜିତ ଅର୍ଦ୍ଧଶତକ (ଅପରାଜିତ ୮୨ ରନ) ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ଆଇପିଏଲ୍‌ର ୪୨ତମ ମ୍ୟାଚରେ ୨୦୨ ରନ୍‌ କରିଛି। ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ପଂଜାବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା। ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୨୦୨ ରନ୍‌ ହାସଲ କରିବା ପରେ ପଂଜାବକୁ ୨୦୩ ରନ୍‌ ଟାର୍ଗେଟ ମିଳିଛି। ଡିଭିଲିୟର୍ସ ୪୪ଟି ବଲ ଖେଳି ୩ଟି ଚୌକା ଓ ୭ ଛକା ମାରିଥିଲେ। ମାର୍କସ ଷ୍ଟୋଇନିସ ୩୪ଟି ବଲ ଖେଳି ଅପରାଜିତ ୪୬ ରନ୍‌ କରିଥିଲେ। ଏଥିରେ ୨ଟି ଚୌକା ଓ ୩ଟି ଛକା ସାମିଲ ଥିଲା।

ଓପନର ପାର୍ଥିବ ପଟେଲ ୨୪ଟି ବଲ ଖେଳି ୪୩ ରନ କରିଥିଲେ। ମୁରୁଗାନ ଅଶ୍ୱିନଙ୍କ ବଲରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା କ୍ୟାଚ ହେବା ପୂର୍ବରୁ ସେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ। ଅଧିନାୟକ ବିରାଟ କୋହଲି ୮ଟି ବଲ ଖେଳି ୧୩ ରନ୍‌ ଯୋଡ଼ିଥିଲେ। ଏଥିରେ ୨ଟି ଚୌକା ସାମିଲ ଥିଲା। ମୋଇନ ଅଲି ୪ ରନ କରିଥିବା ବେଳେ ଅକ୍ଷଦୀପ ୩ ରନ କରିଥିଲେ।

ବେଙ୍ଗାଲୁରୁ ୩୫ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବେ ବିରାଟ କୋହଲିଙ୍କୁ ହରାଇଥିଲା। ସ୍କୋର ୭୧ ରନରେ ପଟେଲ ଆଉଟ ହୋଇଥିଲେ। ସେହିପରି ପଂଜାବର ୩ୟ ଶିକାର ୭୬ ରନରେ ମୋଇନ ଓ ୮୧ ରନରେ ଅକ୍ଷଦୀପ ଆଉଟ ହୋଇଥିଲେ। ପଂଜାବର ମହମ୍ମଦ ସାମି, ମୁରୁଗାନ ଅଶ୍ୱିନ, ରବିଚନ୍ଦ୍ରନ ଅଶ୍ୱିନ ଓ ହାର୍ଦୁଶ ଭିଲଜୋନ ୧-୧ ଓ୍ଵିକେଟ ନେଇଥିଲେ।

Related Posts

About The Author

Add Comment