ଧର୍ମଶାଳା, ୧୫/୮ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଳକ ମଇଶରା ପଂଚାୟତ ରମ୍ପେଇ ଗ୍ରାମର ମୁଖ୍ୟ ରାସ୍ତା ଏବେ ବେହାଲ ଅବସ୍ଥାରେ ଅଛି । ଗ୍ରାମ ଭିତରକୁ ଯିବା ପାଇଁ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣ ଛିଡା ହେବୁ ହେତୁ ଗ୍ରାମ ଲୋକ ଯାତାୟତ କରବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ହେତୁ ପାହାଡରୁ ପାଣି ଆସି ରାସ୍ତା କଡରେ ଜମିବାରେ ଲାଗିଛି । ରାସ୍ତାର ଦୁଇ ପାର୍ଶ୍ୟରେ ଡ୍ରେନ୍ଜ ସୁବିଧା ନଥିବାରୁ ଗ୍ରାମର ମୁଖ୍ୟ ରାସ୍ତାରେ ପାଣି ଲହଡି ମାଡୁଛି । ଫଳରେ ଛୋଟ ଛୋଟ ପିଲାମାନେ ସ୍କୁଲକୁ ଯିବା ଆସିବା କରିବା ଠାରୁ ଆରମ୍ଭ କରି ଗାଇ ଗୋରୁ ଛେଳି ମେଣ୍ଡା ନେବା ଆଣିବାକୁ ଅନେକ ଅସୁବିଧା ହେଉଛି । ଅନ୍ୟ ପକ୍ଷରେ ଦୁଆର ମୁହଁରେ ପାଣି ଛିଡା ହେବା ହେତୁ ଘର ଭିତରକୁ ସାପ ବେଙ୍ଗ ପୋକ ପଶିଆସୁଛନ୍ତି । ଏହି ପାଣିରେ ଯିବା ଆସିବା କରିବା ଫଳରେ ନାନାଦି ରୋଗରେ ଗ୍ରାମବାସୀ ପିଡିତ ହେବାର ଆଶଙ୍କା ଦେଖାଦେଇଛି । ତୁରନ୍ତ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ସହିତ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ଏ ସମ୍ପର୍କରେ କଣ କୁହାନ୍ତି ଗ୍ରାମବାସୀ
ପ୍ରଦୀପ କୁମାର ନନ୍ଦ:- ଟୋପାଏ ବର୍ଷା ହେଲେ ଏଠାରେ ପାଣି ଜମି ରହୁଛି । ଏ ସମ୍ପର୍କରେ ସରକାରୀ ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଜଣାଇଛୁ । ହେଲେ କୌଣସି ପ୍ରତିକାର କରାଯାଇନାହିଁ । ଏହା ଏଠିକାର ନିତିଦିନଆ ସମସ୍ୟାରେ ହୋଇଗଲାଣି । ବର୍ଷା ଅସଳାଏ ହେଲେ ଗ୍ରାମର ସମସ୍ତ ଲୋକେ ବହୁତ ଅସୁବିଧା ଭୋଗ କରୁଛନ୍ତି ।
ଦୈତାରୀ ସେଠୀ:- ଅଳ୍ପ ବର୍ଷା ହେଲେ ଆମ ଘର ମାନଙ୍କରେ ପାଣି ପଶି ଯାଉଛି । ଯାହାକୁ ଯେତେ ଅଭିଯୋଗ କଲେ ସୁଧା କେହି ଶୁଣୁନାହାନ୍ତି । କହି କହି ଥୋବରା ହେଲୁଣୁ ଆଉ କାହାକୁ କହିବାକୁ ଇଚ୍ଛା ହେଉନି । ନିର୍ବାଚନ ସମୟରେ ଦଉଡି ଆସୁଛନ୍ତି । ହେଲେ କାମ କରୁନାହାନ୍ତି କିଛି ।
ପର୍ଶୁରାମ ନନ୍ଦ:- ଏଇଟା ଗ୍ରାମର ମୁଖ୍ୟ ବାଟ । ଏଠି ପାଣିଥିଲେବି ଗ୍ରାମବାସୀ ମାନେ ଯିବା ଆସିବା କରିବା ପାଇଁ ବାଧ୍ୟ ହୁଅନ୍ତି । ବିଗତ ଦିନରେ ଏହି ବର୍ଷା ସମୟରେ ଧର୍ମଶାଳା ବିଧାୟକଙ୍କ ଗାଡି ମଧ୍ୟ ପଶି ରହିଥିଲା । ସେ ସମୟରେ ସେ ଏହାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା ମଧ୍ୟରେ ଦୁଇବର୍ଷ ବିତିଯାଇଥିଲେ ବି ରାସ୍ତାତ ହେବା ଦୂରର କଥା କହାର ଦେଖାଦର୍ଶନ ନାହିଁ ।