ନୂଆଦିଲ୍ଲୀ, ୧୮/୮ (ସନ୍ଧନ ନିଉଜ) : ଜାପାନର ଟୋକିଓ ସହରରେ ଶନିବାରଠୁ ଆରମ୍ଭ ହୋଇଛି ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ୍। ଏହି ହକି ପ୍ରତିଯୋଗିତାରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମେ ମହିଳା ଦଳ ୨-୧ ଗୋଲ୍ରେ ଆୟୋଜକ ଜାପାନକୁ ପରାସ୍ତ କରିଥିଲା ବେଳେ ପରେ ପୁରୁଷ ଦଳ ୬-୦ ଗୋଲ୍ରେ ମାଲେସିଆକୁ ମାତ୍ ଦେଇଥିଲା। ମହିଳା ଦଳରୁ ଗୁର୍ଜିତ୍ କୌର ଏବଂ ପୁରୁଷ ଦଳରୁ ମନ୍ଦୀପ୍ ସିଂହ ଓ ଗୁର୍ସାହିବଜିତ୍ ସିଂହଙ୍କ ୨ଟି ଲେଖାଏଁ ଗୋଲ୍ ଉଲ୍ଲେଖନୀୟ ଥିଲା।
ଭାରତୀୟ ମହିଳା ଦଳରେ ୧୭ ବର୍ଷ ବୟସ୍କା ଶର୍ମିଳା ଦେବୀ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ଭାରତୀୟ ଦଳ ମଧ୍ୟ ପୂରା ଦମ୍ରେ ଏହି ମ୍ୟାଚ୍କୁ ଓହ୍ଲାଇଥିଲା। ପେନାଲ୍ଟି କର୍ନର ବିଶେଷଜ୍ଞ ଗୁର୍ଜିତ୍ କୌର ହିଁ ଭାରତକୁ ଅଗ୍ରଣୀ ଦେଇଥିଲେ। ମ୍ୟାଚ୍ର ନବମ ମିନିଟ୍ରେ ଏହି ପେନାଲ୍ଟି କର୍ନରରୁ ଗୋଲ୍ କରି ଜାପାନ ଉପରେ ଚାପ ପ୍ରୟୋଗ କରିଥିଲେ। ତେବେ ୧୬ ମିନିଟ୍ରେ ଆକି ମିସୁହାସୀଙ୍କ ଏକ ଫିଲ୍ଡ ଗୋଲ୍ ସ୍ଥିତି ୧-୧ କରିଦେଇଥିଲା। ଏହାପରେ ମ୍ୟାଚ୍ରେ ଉତ୍କଣ୍ଠା ଭରିଯାଇଥିଲା। ହେଲେ ଗୁର୍ଜିତ୍ ୩୫ ମିନିଟ୍ରେ ଆଉ ଏକ ପେନାଲ୍ଟି କର୍ନର ଗୋଲ୍ କରି ଭାରତକୁ ପୁନର୍ବାର ଆଗେଇ ନେଇଥିଲେ। ଶେଷରେ ଏହି ଗୋଲ୍ ହିଁ ନିର୍ଣ୍ଣାୟକ ହୋଇଥିଲା। ପ୍ରଥମ ୩ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍ ହୋଇଥିଲା ବେଳେ ଚତୁର୍ଥ ତଥା ଶେଷ କ୍ବାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ନିର୍ଧାରିତ ସମୟ ସୁଦ୍ଧା ଆଉ କୌଣସି ଗୋଲ୍ ନହେବାରୁ ବିଶ୍ବ ମାନ୍ୟତାର ଦଶମ ଭାରତ ୨-୧ରେ ମ୍ୟାଚ୍ ଜିତି ପଏଣ୍ଟ୍ କରାୟତ କରିନେଲା। ବିଶ୍ବ ମାନ୍ୟତାର ଚତୁର୍ଦଶ ତଥା ଆୟୋଜକ ଜାପାନଙ୍କୁ ନିରାଶ ହେବାକୁ ପଡ଼ିଲା। ଭାରତୀୟ ମହିଳା ଦଳ ଆସନ୍ତାକାଲି (ରବିବାର) ନିଜର ଦ୍ବିତୀୟ ମ୍ୟାଚ୍ ବିଶ୍ବ ମାନ୍ୟତାର ଦ୍ବିତୀୟ ଅଷ୍ଟ୍ରେଲିଆ ସହ ଖେଳିବ। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୧୦ ମୁକାବିଲାରୁ ଭାରତ ମାତ୍ର ଗୋଟିଏ ବିଜୟ ପାଇଥିବାରୁ ରବିବାର ମୁକାବିଲା ପ୍ରତିଶୋଧ ନେବାର ସୁଯୋଗ ରଖିବ।
ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାର ପଞ୍ଚମ ଭାରତୀୟ ପୁରୁଷ ଦଳ ଏକପାଖିଆ ତଥା ଅତି ସହଜ ବିଜୟରୁ ଅଭିଯାନ ଆରମ୍ଭ କଲା। ମାଲେସିଆ ବିପକ୍ଷରେ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିବା ଭାରତ ପକ୍ଷରୁ ମ୍ୟାଚ୍ର ପ୍ରଥମ ୧୦ ମିନିଟ୍ ମଧ୍ୟରେ ଅଭିଜ୍ଞ ଏସ୍ଭି ସୁନିଲ, ମନ୍ଦୀପ୍ ସିଂହ ଓ ଗୁରସାହିବଜିତ୍ ସିଂହ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ। ବିଶେଷକରି ଅଷ୍ଟମ ମିନିଟ୍ରେ ଭାରତ ପାଇଥିବା ପ୍ରଥମ ପେନାଲ୍ଟି କର୍ନରକୁ ଗୋଲ୍ରେ ରୁପାନ୍ତରିତ କରି ଗୁରିନ୍ଦର ସିଂହ ଦଳକୁ ଅଗ୍ରଣୀ ଦେଇଥିଲେ। ଏହାପରେ ପଦାର୍ପଣ କରିଥିବା ଓଡ଼ିଆ ତାରକା ଆଶିଷ କୁମାର ଟପ୍ନୋ ଓ ନିଲମ ସଞ୍ଜୀବ ଖେସ୍ଙ୍କ ସାଙ୍ଗକୁ ବିବକେ କୁମାର ପ୍ରସାଦ ମଧ୍ୟ ଭାରତ ପାଇଁ ପେନାଲ୍ଟି କର୍ନର ସୃଷ୍ଟି କରିଥିଲେ। ତଥାପି ପ୍ରଥମ କ୍ବାର୍ଟରରେ ଭାରତକୁ ଗୋଟିଏ ଗୋଲ୍ ମିଳିଥିଲା। ଦ୍ବିତୀୟ କ୍ବାର୍ଟରରେ ଫରୱାର୍ଡ ଗୁରସାହିବଜିତ୍ ସିଂହ (୧୮ ମିନିଟ୍)ଙ୍କ ଗୋଲ୍ ବଳରେ ଭାରତ ୨-୦ରେ ଆଗେଇ ଯାଇଥିଲା। ଏହାପରେ ତୃତୀୟ କ୍ବାର୍ଟରରେ ଉପଅଧିନାୟକ ମନ୍ଦୀପ୍ ସିଂହ (୩୩ ଓ ୪୬ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ି ଅଗ୍ରଣୀ ବ୍ୟବଧାନକୁ ୪-୦ରେ ପହଞ୍ଚାଇ ଦେଇଥିଲା। ଶେଷ ତଥା ଚତୁର୍ଥ କ୍ବାର୍ଟରରେ ଗୁରସାହିବଜିତ୍ (୫୬ ମିନିଟ୍) ବ୍ୟକ୍ତିଗତ ଦ୍ବିତୀୟ ଏବଂ ଏସ୍ ଭି ସୁନିଲ (୬୦ ମିନିଟ୍) ନିଜର ପ୍ରଥମ ଗୋଲ୍ ଦେବାରିୁ ଭାରତ ୬-୦ର ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତି ନେଇଥିଲା। ପ୍ରଥମ ମ୍ୟାଚ୍ରୁ ପଏଣ୍ଟ୍ ଅକ୍ତିଆର କରି ନେଇଥିବା ଭାରତ ରବିବାର (ଆସନ୍ତାକାଲି) ଦ୍ବିତୀୟ ମୁକାବିଲାରେ ବିଶ୍ବ ମାନ୍ୟତାର ଅଷ୍ଟମ ନ୍ୟୁଜିଲାଣ୍ଡକୁ ଭେଟିବ।