ଅଲିଭ ରିଡ୍‌ଲେ୍‌ କଇଁଛ ମାନଙ୍କ ନୂଆ ବାସସ୍ଥାନ ବାହୁଦା ମୁହାଣ

Spread the love
ବ୍ରହ୍ମପୁର, ୨୯/୧୨ (ସନ୍ଧାନ ନିୟୁଜ) ଅଲିଭ୍‌ ରିଡ୍‌ଲେଙ୍କ ଆଗମନ ପାଇଁ ଗଞ୍ଜାମ ଜିଲା  ଋଷିକୁଲ୍ୟା ମୁହାଣ କେବଳ ଓଡ଼ିଶା ନୁହେଁ, ଭାରତ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରତି ବର୍ଷ ବହୁ ଲକ୍ଷ ଅଲିଭ୍‌ ରିଡ୍‌ଲେ କଇଁଛ ମୁହାଣକୁ ଅଣ୍ଡା ଦେବାକୁ ଆସିଥାନ୍ତି। ଦେଢ଼ମାସ ପରେ ସେହି ଅଣ୍ଡାରୁ ବାହାରିଥିବ ଛୁଆଙ୍କ କୁନି ପାଦ ପଡ଼ିବା ପରେ ଋଷିକୁଲ୍ୟା ମୁହାଣ ହୋଇପଡ଼େ ଉତ୍ସବମୁଖର। ତେବେ ଋଷିକୁଲ୍ୟା ବ୍ୟତୀତ ଚଳିତ ବର୍ଷ ବାହୁଦା ମୁହାଣ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ନୂଆ ଠିକଣା ହେବାକୁ ଯାଉଛି। ବହୁ ସଂଖ୍ୟାରେ ଏହି ବିଦେଶୀ ଅତିଥି ଅଣ୍ଡା ଦେବା ପାଇଁ ବାହୁଦା ମୁହାଣକୁ ଆସିବାର ସମ୍ଭାବନା ରହିଛି। ଏହାକୁ ନେଇ ବେଶ୍‌ ତପତ୍ର ହୋଇପଡ଼ିଛି ବନ ବିଭାଗ । କଇଁଛଙ୍କ ସୁରକ୍ଷା ଏବଂ ଉପକୂଳରେ ଅନୁକୂଳ ପରିବେଶ ସୃଷ୍ଟିକରିବା ପାଇଁ ବିଭାଗ ତରଫରୁ ଯୋଜନା ପ୍ରସ୍ତୁତ ଚାଲିଛି ।

ବ୍ରହ୍ମପୁର ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ତିନି କି.ମି. ଯାଏ ବାହୁଦା ମୁହାଣର ସୋନପୁରରୁ ଅନନ୍ତପୁର ଯାଏ ସମୁଦ୍ର ଉପକୂଳ ଲମ୍ବିଛି ।

ଏହି ଅଞ୍ଚଳକୁ ଅଣ୍ଡଦାନ ସ୍ଥାନ ଭାବେ ଚିହ୍ନଟ କରାଯାଇଛି । ଋଷିକୁଲ୍ୟା ମୁହାଣରୁ ବାହୁଦା ମୁହାଣର ଦୂରତା ପ୍ରାୟ ୨୦କି.ମି. ।

ଗତ ଅନେକ ବର୍ଷ ହେଲା ଋଷିକୁଲ୍ୟା ମୁହାଣକୁ ବିଦେଶୀ ଅଲିଭ୍‌ ରିଡଲେ କଇଁଛମାନେ ଅଣ୍ଡାଦାନ ପାଇଁ ପସନ୍ଦ କରିଥାନ୍ତି । ଏପରିକି ଓଡ଼ିଶାର ଅନ୍ୟ ଅଞ୍ଚଳ ଅପେକ୍ଷା ଗତ ବର୍ଷ ଋଷିକୁଲ୍ୟା ମୁହାଣକୁ ଅଲିଭ୍‌ ରିଡ୍‌ଲେଙ୍କ ଆଗମନ ବହୁ ସଂଖ୍ୟାରେ ଅଧିକ ରହିଥିଲା। କିନ୍ତୁ ନୂତନ ଠିକଣା ଭାବେ ଗତ ବର୍ଷ ଅଲିଭ ରିଡ୍‌ଲେ୍‌ କଇଁଛମାନେ ବାହୁଦା ମୁହାଣକୁ ବାଛିଥିଲେ ।

କେତେକ କଇଁଛ ବାହୁଦା ମୁହାଣରେ ଅଣ୍ଡାଦାନ କରିଥିଲେ । ଏହା ବନ ବିଭାଗ ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳରେ ଖୁସି ଖେଳାଇ ଦେଇଥିଲା। ସେମାନଙ୍କ ସୁରକ୍ଷା ପାଇଁ ନାନା ପଦକ୍ଷେପ ନିଆଯାଇଥିଲା। ହେଲେ ଚଳିତ ବର୍ଷ ମଧ୍ୟ ବାହୁଦା ମୁହାଣକୁ ଅଲିଭ୍‌ ରିଡ୍‌ଲେମାନେ ଅଣ୍ଡାଦାନ ପାଇଁ ଆସିବାର ସମ୍ଭାବନା ଥିବା ବନ ବିଭାଗ ତରଫରୁ କୁହାଯାଇଛି। ବାହୁଦା ମୁହାଣକୁ ଅଲିଭ୍‌ ରିଡ୍‌ଲେ୍‌ଙ୍କ ଆଗମନର ସମ୍ଭାବନା ରହିଥିବା ଯୋଗୁ ବିଭାଗ ତରଫରୁ ଏହାକୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି।

ମୁହାଣ ଅଞ୍ଚଳରେ ପଡ଼ିଥିବା ଆବର୍ଜନା ଏବଂ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌କୁ ସଫା କରାଯାଇଛି। ତଥାପି ଆସନ୍ତା ଫେବୃୟାରୀରେ ଅଣ୍ଡଦାନ ସମୟରେ ପୁଣି ଥରେ ସଫା କରାଯିବ। ସେହିଭଳି ମୁହାଣର ୨ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ତାର ଜାଲି ଭିଡ଼ାଯିବ । ଫଳରେ ଅଣ୍ଡା ଏବଂ ସେଥିରୁ ବାହାରିବାକୁ ଥିବା ଛୁଆଗୁଡ଼ିକ ସୁରକ୍ଷିତ ରହିପାରିବେ । ଏପରିକି କୌଣସି ଆଗମନକାରୀ ଆକ୍ରମଣ କରିପାରିବେ ନାହିଁ। ବାହୁଦା ମୁହାଣ ଅଲିଭ୍‌ ରିଡ୍‌ଲେଙ୍କ ନୂଆ ଠିକଣା ହେବାକୁ ଯାଉଥିବା ଯୋଗୁ ଏହା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ।
  ସୂଚନାଯୋଗ୍ୟ, ଗତ ଥର ବହୁ ସଂଖ୍ୟାରେ ଅଲିଭ ରିଡଲେ୍‌ କଇଁଛ ବାହୁଦା ମୁହାଣରେ ଅଣ୍ଡାଦାନ କରିଥିଲେ ।
ଚଳିତ ଥର କେତେକ ଅଲିଭ୍‌ ରିଡ୍‌ଲେ ସମୁଦ୍ର ଭିତରେ ମିଳନରେ ଥିବା ଦେଖିବାକୁ ମିଳିଥିଲା। ଏଣୁ ନିକଟସ୍ଥ ମୁହାଣକୁ ଅଣ୍ଡାଦାନ କରିବାକୁ ଆସିବେ ବୋଲି ବନ ବିଭାଗ ଆଶା ରଖିଛି । ଆଖାପାଖ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରେ ମାଛ ମାରିବା ବେଳେ ପ୍ଲାଷ୍ଟିକ୍‌ ଜାଲ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ଏଦିଗରେ ଅଞ୍ଚଳବାସୀଙ୍କ ସହଯୋଗ ନିଆଯାଉଛି । ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ବାହୁଦା ମୁହାଣକୁ ଅଲିଭ୍‌ ରିଡ୍‌ଲେ୍‌ କଇଁଛମାନେ ଅଣ୍ଡାଦାନ ପାଇଁ ଆସୁଥିଲେ ।
କାଳକ୍ରମେ ବିଭିନ୍ନ କାରଣରୁ ଏହା ବନ୍ଦ ହୋଇଯାଇଥିଲା। ଚଳିତ ଥର ପୁଣି ଥରେ କଇଁଛଙ୍କ ଆଗମନ ସମ୍ଭାବନା ଥିବା ଯୋଗୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି। ପିକ୍‌ନିକ୍‌ କରିବାକୁ ଆସୁଥିବା ଲୋକମାନଙ୍କୁ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଆଯାଉଛି। କେବଳ ବନ ବିଭାଗ କିମ୍ବା ସ୍ଥାନୀୟ ଅଞ୍ଚଳବାସୀ ନୁହଁ, ଦୀର୍ଘ ବର୍ଷ ପରେ ଅଲିଭ୍‌ ରିଡଲେ୍‌ଙ୍କ ଆଗମନକୁ ଅନାଇ ରହିଛି ବାହୁଦା ମୁହାଣ ।

Related Posts

About The Author

Add Comment