ଅଭାବୀ ସଂସାରରେ କରୋନା ସାଜିଛି ଅକୁହା ବୋଝ!

Spread the love

ରାଉରକେଲା: କରୋନା ସମଗ୍ର ବିଶ୍ୱରେ ସଂକ୍ରମଣର ଭୟ ସୃଷ୍ଟି କରିବା ସହ ଅନେକ ଅଭାବୀ ସଂସାରରେ ଅକୁହା ବୋଝ ଲଦି ଦେଇଛି । ଘରୁ ବାହାରିଲେ ଭୂତାଣୁ ସଂକ୍ରମଣର ଭୟ, ଘରେ ବସି ରହିଲେ ପେଟ ପାଟଣାର ଚିନ୍ତା । ଏଭଳି ନିଷ୍ପତିର ଦୋ’ଛକିରେ ପଡ଼ିଛନ୍ତି ହଜାର ହଜାର ଅଭାବୀ ପରିବାର ।
ଲାଠିକଟା ବ୍ଲକରେ ଏଭଳି ଅନେକ ଗାଁ ରହିଛି ଯେଉଁଠି ଘରୁ ବାହାରିଲେ ଝାଳବୁହା ପରିଶ୍ରମ ପରେ ହିଁ ଘରେ ଚୁଲି ଜଳିଥାଏ । ଅନେକ ପରିବାର ଏପରି ଅଛନ୍ତି ଯାହା ଘରେ ଦୁଇବେଳା ଚୁଲି ମଧ୍ୟ ଜଳେ ନାହିଁ । ଗୋଟିଏ ବେଳା  ଖାଇଲେ ଆର ଓଳି ଖାଦ୍ୟ ସଙ୍କଟ । ଗରିବ ଓ ଅଭାବୀ ଦୂରିକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନା ସତ୍ୱେ, ଆଜିବି ମୁଠାଏ ଭାତ ପାଇଁ ଅନେକ ସ୍ଥାନରେ  ଶୁଭୁଛି  ଦାରିଦ୍ର‌୍ୟର କରୁଣ ସ୍ୱର! କେଉଁଠି ମାତ୍ର ଶହେ ଟଙ୍କା ପାଇଁ କାହାରି ଜୀବନ ଯାଉଛି, ଆଉ କେଉଁଠି ଦାରିଦ୍ର‌୍ୟର ତାଡ଼ନା ଭିତରେ ଜୀବନ ସହ ଅହରହ ଜୁଝୁଥିବା ଖଟିଖିଆଙ୍କୁ ଜୀବନ ହରାଇବାକୁ ପଡୁଛି । ଖାଦ୍ୟ ସଙ୍କଟରୁ ନହେଲେ ମଧ୍ୟ ଅଭାବ ଅନାଟନରେ ପେଷି ହୋଇ ସ୍ୱାସ୍ଥ୍ୟ ସେବା ଅଭାବରୁ ଅନେକ ପ୍ରାଣ ହରାଉଛନ୍ତି । ଏଭଳି ପରିସ୍ଥିତିରେ ଦିନେ କି ଦୁଇ ଦିନ ନୁହେଁ, ଆଜକୁ ପ୍ରାୟ ୭ ମାସରୁ  ଉର୍ଦ୍ଧ୍ୱ ସମୟ ବିତିଗଲାଣି । ଅଭାବୀ ସଂସାର ପାଇଁ କାଳ ହୋଇ ଛିଡ଼ା ହୋଇଛି କରୋନା । ରାମଯୋଡ଼ି ଗ୍ରାମପଂଚାୟତରେ  ବାସ  କରୁଥିବା  ମାଧବୀ ଲୋହାରଙ୍କ କହିବା ଅନୁଯାୟୀ, କରୋନା କାଳ ଆରମ୍ଭ ହେବା ଠାରୁ ସବୁ କିଛି ଯେପରି ଓଲଟପାଲଟ ହୋଇ ଯାଇଛି । ରାତି ପାହିଲେ ଖଲିଦନା ଭରା ଟୋକେଇ ମୁଣ୍ଡରେ ବୋଝେଇ ବେଶ ଭଲ ରୋଜଗାର ହେଉଥିଲା, ମାତ୍ର ବର୍ତମାନ ଏହି ବ୍ୟବସାୟ ମଧ୍ୟ ଏକ ପ୍ରକାର ମାନ୍ଦା ପଡ଼ିଯାଇଛି ।
କରୋନା ବିଶ୍ୱରେ ପାଦ ଦେବା ପରେ ଅନେକ ଅଭାବୀ କାମଧନ୍ଦା ହରାଇ ସାରିଲେଣି । ଆଉ ଅନେକ ସ୍ୱଳ୍ପ ଅର୍ଥରେ ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି । କରୋନା କଟକଣା ଭିତରେ ସରକାରଙ୍କ ପକ୍ଷରୁ ମିଳିଥିବା ଅନୁଦାନରେ କିଛି ଦିନ ଗୁଜୁରାଣ ମେଂଟାଇବା ପରେ ଏବେ ପିଲା ଓ ପରିବାର ମୁହଁରେ ଦାନା ଯୋଗାଇବା ପାଇଁ ଏହି ଅଭାବୀ ପରିବାର ଅଂଟା ଭିଡ଼ିଛନ୍ତି । କରୋନା ବାଡ ଡେଇଁଲେ ଜୀବନ ପ୍ରତି ବିପଦ, ନହେଲେ ଜୀବିକା ବୁଡ଼ିଯିବାର ଭୟ । ଏସବୁ ଭିତରେ ତଥାପି ଘରୁ ଗୋଡ଼ କାଢିଛନ୍ତି ଅନେକ ବୃଦ୍ଧ, ବୃଦ୍ଧା । କାହା ପରିବାରରେ ବାପା, ପୁଅ ଅଲଗା ରହୁଛନ୍ତି, ଆଉ କାହାର ପୁଅ ଝିଅ ପଚାରୁ ନାହାନ୍ତି । ଏପରି ଅନେକ ବୃଦ୍ଧବୃଦ୍ଧା ଜୀବନ ବଂଚାଇବା ପାଇଁ ଜୀବିକାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ।  ଜିଲାର କୋଣ ଅନୁକୋଣରେ ଏପରି ଅନେକ ବୃଦ୍ଧବୃଦ୍ଧାଙ୍କୁ ଦେଖିବାକୁ ମିଳିଛି । ଦିନରେ ପରିଶ୍ରମ କରି ମାତ୍ର କେଇ ପଇସା ରୋଜଗାର କରି ଏମାନେ ଘରକୁ ଫେରନ୍ତି । ଅଂଟିରେ ଯେଉଁ ଦୁଇ ପଇସା ଆଣିଥାନ୍ତି, ଫେରିବା ପୂର୍ବରୁ ସେଥିରୁ ଅର୍ଦ୍ଧାଧିକ ସରିଯାଏ ଘର ପାଇଁ ସଉଦା ଓ ଚାଉଳ କିଣିବାରେ । ଗଳିକନ୍ଦିରେ କିଏ ଝାଲମୁଡ଼ି ବିକୁଛି ତ, ପୁଣି କିଏ ମାଛ, ଶୁଖୁଆ ବିକ୍ରି କରି ନିଜ ପରିବାରର ଗୁଜୁରାଣ ମେଂଟାଉଛି । ଘରେ ଅଭାବର ଅକୁହା ଛାତରେ ଛଟପଟ ହୋଇ ବାହାରୁ ଚାଲି ଆସୁଥିବା ଏସବୁ ଅସହାୟ ମଣିଷ ନିଜ ଜୀବନ ଜୀବିକାକୁ ଆଶଙ୍କା ମଧ୍ୟକୁ ଠେଲି ଦେଇ ଜୀବିକାକୁ ସାଥୀରେ ଧରି ଆଗକୁ ବଢୁଛନ୍ତି । ଏସବୁ ସତ୍ୱେ କିଛି ସରକାରୀ ଯୋଜନା ଓ ସ୍ୱଳ୍ପ ରୋଜଗାର ଏମାନଙ୍କୁ ବଂଚାଇ ରଖିଛି । କରୋନା ଯୋଗୁ ଏଭଳି ଅନେକ ପରିବାର ଉପରେ ଏବେ ଦୁଃଖର ପାହାଡ଼ ଲଦି ହୋଇ ଯାଇଛି, ଆଉ ଏଥିରେ ପେଶି ହୋଇ ଯାଉଛନ୍ତି ଅନେକ ଅଭାବୀ ପରିବାର ।

Related Posts

About The Author

Add Comment