ବୈପାରିଗୁଡା,୨୬/୭ (ସନ୍ଧାନ ନିୟୁଜ ) – ସରକାର ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟର ଆଦର୍ଶ ଡିଣ୍ଡିମ ପିଟୁଥିବା ବେଳେ କୋରାପୁଟ ଜିଲ୍ଲାର ବୈପାରିଗୁଡା ର ସଦର ମହକୁମା ସ୍ଥିତ ୭୯ ବର୍ଷର ପୁରୁଣା ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥା ଓ ପରିଚାଳନା ସୁରକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡିଛି।ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଦେବା ସହ ସେମାନଙ୍କ ଗୁଣାତ୍ମକମାନ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଗୁଡିକ ସ୍ଥାପନ କରିଛନ୍ତି କିନ୍ତୁ ସରକାରଙ୍କ ଆନ୍ତରିକତା ଅଭାବ ଓ ପ୍ରଶାସନ ର ଖାମଖିଆଲି ମନୋଭାବକୁ ନେଇ ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲୁଛି।ସରକାରଙ୍କ ନିୟମ ଅନୁଯାୟୀ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଭିତ୍ତିଭୂମି ପାରିପାର୍ଶ୍ବିକ, ରାସ୍ତା, ଘାଟ, ଖେଳ ପଡିଆ, ସୁରକ୍ଷା ନିମନ୍ତେ ପାଚେରୀ ରାସ୍ତା, ପାଣି, ଆଲୋକି କରଣ, ବାସଗୃହ, ହଷ୍ଟେଲ ଆଦି ନିର୍ମାଣ ।ହେଲେ ଦୁଃଖ ପରିତାପର ବିଷୟ, ଯେଉଁ ଲକ୍ଷ ନେଇ ଏଠାରେ ବିଦ୍ୟାଳୟ ସ୍ଥାପିତ କରାଯାଇଛି, ତାହା ବିଭାଗୀୟ ପ୍ରଶାସନ ର ଚରମ ଅବହେଳା ପାଇଁ ସାଧିତ ହୋଇ ପାରିନାହିଁ ।ଖବର ଅନୁଯାୟୀ ଗତ କିଛି ମାସ ପୂର୍ବରୁ ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁ ଗୁଜୁରାଟର ସୁରଟରେ ଭୟଭଅ ଅଗ୍ନିକାଣ୍ଡ ଘଟି ୨୦ରୁ ଉର୍ଦ୍ଧ୍ଵ ଜୀବନ ହାନୀ ହୋଇଥିଲା ।ଏବେ ପୁଣି ବୈପାରିଗୁଡା ସ୍ଥିତ ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ସୁରକ୍ଷା ଓ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଯାହାର ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସଦର ମହକୁମା ସ୍ଥିତ ରହିଥିବା ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ଏବେ ଏହି ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ଘେରରେ ଗତି କରୁଥିବା ସହ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଥିଲେ ମଧ୍ୟ ବିଦ୍ୟାଳୟ ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉନାହିଁ ।ଆଉ ଏକ ଦୁଃଖ ର ବିଷୟ ଉକ୍ତ ବିଦ୍ୟାଳୟ ଟି ବୈପାରିଗୁଡା ବ୍ଳକ ର ସବୁଠାରୁ ପୁରାତନ ବିଦ୍ୟାଳୟ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଦ୍ୟାଳୟ ର ନିଜସ୍ଵ କୋଠା ମଧ୍ୟ ନ ଥିବା ଜଣାପଡ଼ିଛି ।ଛାତ୍ରଛାତ୍ରୀ ମାନେ ବହୁ କଷ୍ଟରେ ପାଠ ପଢ଼ୁଥିବା ବେଳେ ମଧ୍ୟାହ୍ନ ଭୋଜନ ରୋଷେଇ କରିବାକୁ ଗୃହ ଟିଏ ମଧ୍ୟ ନ ଥିବା ଦେଖିବାକୁ ମିଳିଛି ଯାହା ଦ୍ୱାରା କି ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଠିଆ ହୋଇ ଖାଉଥିବା ଦେଖିବାକୁ ମିଳିଛି ।ଏହି ବିଷୟରେ ବିଦ୍ୟାଳୟ ପରିଚାଳନା କମିଟି,ଛାତ୍ରଛାତ୍ରୀ ଙ୍କ ଅଭିଭାବକ, ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ୨୦୧୭ ମସିହାରୁ ବାରମ୍ବାର ଅଭିଯୋଗ କଲାପରେ ଶେଷରେ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ବିଦ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ପ୍ରାୟ ୭୯ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟ ର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି କରିଛି ।ବର୍ଷା ଦିନରେ ଛାତ୍ରଛାତ୍ରୀ ଙ୍କ ପାଇଁ ଆବଶ୍ୟକ ଗୃହ ନ ଥିବା ଯୋଗୁଁ ବୈପାରିଗୁଡା ଠାରୁ ପ୍ରାୟ ୨କିମି ଦୂରରେ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ଷ୍ଟ, ୭ମ ଏବଂ ୮ମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଦୈନିକ ବର୍ଷାରେ ଭିଜିଭିଜି ପାଠ ପଢିବା ପାଇଁ ଯାଉଥିବା ଦେଖିବାକୁ ମିଳିଛି ।ଘଟଣାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।ଯାହା ଫଳରେ ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ବାଜି ଲଗାଇ ଦୂରଦୂରାନ୍ତରୁ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟାଳୟକୁ ଯାତାୟାତ କରିଥାନ୍ତି ।ଏହିଭଳି ବିଦ୍ୟାଳୟରେ ଅନେକ ସମସ୍ୟା ରହିଥିବା ବେଳେ ପ୍ରତେକ ମୁହୂର୍ତ୍ତରେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି । ସାଧାରଣତଃ ବିଦ୍ୟାଳୟରେ ପାଠ ପଢୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ବର୍ତ୍ତମାନ ପର୍ଯ୍ୟନ୍ତ ଆବଶ୍ୟକ ଅନୁସାରେ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ ।ଯାହା ଫଳରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଗାମୀ ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ଜଣାପଡୁଛି ।ଏଥିପାଇଁ ଏଠାରେ ପାଢୁଥିବା ୨୮୮ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ସୁରକ୍ଷାକୁ ନେଇ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ଏହିଭଳି ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଜନସାଧାରଣଙ୍କ ମହଲରେ ମଧ୍ୟ ତ୍ରୀବ୍ର ଅସନ୍ତୋଷ ଦେଖାଦେଇଛି ।ତେବେ ଛାତ୍ରଛାତ୍ର ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଶିକ୍ଷା ବିଭାଗର ନିଦ ଭାଙ୍ଗିବ କେବେ ? ଏଥିସହ ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିଥିବା ସମସ୍ୟାର ସମାଧାନ ହେବ କେବେ ?ତାହାକୁ ନେଇ ବୁଦ୍ଧିଜୀବି ମହଲରେ ବିଭିନ୍ନ ପ୍ରକାର ପ୍ରଶ୍ନ ସୃଷ୍ଟି କରିଛି ।ଏଥିପ୍ରତି ଜିଲ୍ଲାପାଳ ଓ ରାଜ୍ୟ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଅତିଶୀଘ୍ର ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ଦୃଢ଼ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।