ଅବକାରୀ ଚଢ଼ାଉ: ମହିଳାଙ୍କ ସମେତ ୨ ଗିରଫ, ୪୦ଲିଟର ମଦ ଜବତ

Spread the love

ଚଣ୍ଡିଖୋଲ,୧୪/୫(ସନ୍ଧାନ ନିୟୁଜ):: ଯାଜପୁର ଜିଲା ଧର୍ମଶାଳା ଅବକାରୀ ବିଭାଗ ପକ୍ଷରୁ ଗତକାଲି ରାତ୍ରିରେ ବଡଚଣା ଅଞ୍ଚଳର ୫ଟି ସ୍ଥାନରେ ଚଢାଉ କରାଯାଇଛି । ଯାଜପୁର ଅତିରିକ୍ତ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଶାଳା ଏସଆଇ ବନ୍ଦନା ପଟ୍ଟନାୟକଙ୍କ ନେତୃତ୍ୱରେ ବଡଚଣାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ଚଢାଉରେ ସଂପୃକ୍ତ ଥିବା ବଡଚଣା ଥାନା ବଡଘୁମୁରି ପଂଚାୟତ ପାଇକରାପୁର ଗ୍ରାମର ପ୍ରତାପ ସାହୁଙ୍କ ପତ୍ନୀ ଚନ୍ଦ୍ରକଳା ସାହୁ(୪୫)ଙ୍କ ଘରୁ ୨୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ତାର ପୁଅ କୌଶଳକ୍ରମେ ଚମ୍ପଟ ମାରିଥିଲା । ଅବକାରୀ ପୁଲିସ ମଦ ବିକୁଥିବା ଚନ୍ଦ୍ରକଳାକୁ ଗିରଫ କରିଥିଲେ । ପରେ ବିଭାଗ ପକ୍ଷରୁ ସନ୍ଦେହରେ ୧୬ ନମ୍ବର ଜାତୀୟ ରାଜପଥ ବଡଚଣା ଛକ ନିକଟରେ ଥିବା ହୋଟେଲ ସର୍ବେଶ୍ୱର ଉପରେ ଚଢ଼ାଉ କରାଯାଇଥିଲା । ସେଠାରେ ଅଧିକାରୀଙ୍କୁ କେବଳ ଖାଲି ଦେଶୀ ଓ ବିଦେଶୀ ମଦ ବୋତଲ ହିଁ ମିଳିଥିଲା । ସେହିପରି ଛତିଆ ନିକଟରେ ଥିବା ଏକ ଦୋକାନ ଉପରେ ଚଢ଼ାଉ କରିଥିଲେ ମଧ୍ୟ କୌଣସି ସାମଗ୍ରୀ ନପାଇ ଫେରିଆସିଥିଲେ । ପରେ ଏହି ଟିମ ସେଠାରୁ ଆସି ଧାନମଣ୍ଡଳ ନିକଟରେ ଥିବା ଶାସନପୁରୁଷୋତ୍ତମପୁର ଗ୍ରାମର ସଚ୍ଚିଦାନନ୍ଦ ପଣ୍ଡା ଓ ଭିମସେନ ପଣ୍ଡା(୪୨)ଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା ସଚ୍ଚିଙ୍କ ଠାରୁ କୌଣସି ମଦ ବାହାରିନଥିବା ବେଳେ ଭିମସେନଙ୍କ ନିକଟରୁ ୨୦ ଲିଟର ଦେଶୀ ମଦ ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଥିଲା । ସମୁଦାୟ ୪୦ ଲିଟର ମଦ ଜବତ କରିବା ସହ ଅବକାରୀ ପୁଲିସ ୨ଜଣଙ୍କୁ ଗିରଫ କରିଛି । ଏହି ଚଢ଼ାଉରେ ଏସଆଇ ବନ୍ଦନା ପଟ୍ଟନାୟକ, ଏଏସଆଇ ସତ୍ୟାନନ୍ଦ ପ୍ରଧାନ, ସଂଗ୍ରାମ କେଶରୀ କୁଅଁର, ଗୟାଧର ସେଠୀ, ଶିଶିର ପ୍ରଧାନ, ସୁଚିତ୍ରା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବଡଚଣା ଅଞ୍ଚଳରେ ଅନେକ ଦିନଧରି ଧାନମଣ୍ଡଳ ଦର୍ପଣ ତହସିଲ ଅଫିସ ନିକଟ,ବାଉଁଶପୁଟ,ଦର୍ପଣୀ,ମହାଖଳା,ବନ୍ଦାଳୋ,ଶାଳପଡା,କପାଷ୍ଟିକିରୀ,ବୁଢାକେନ୍ଦୁଆ, ବାଉଁଶମୂଳି,ବାଲିଚନ୍ଦ୍ରପୁର ଆଦି ଅନେକ ସ୍ଥାନରେ ବେଆଇନ ଭାବେ ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ବିଭାଗ ପକ୍ଷରୁ ଏହି ପଦକ୍ଷେପ ନେଇଥିବାରୁ ସାଧାରଣରେ ଏହାକୁ ସ୍ୱାଗତ କରାଯାଇଛି ।

Related Posts

About The Author

Add Comment