ଅପରାଧ ସମୀକ୍ଷା

Spread the love

ବାରିପଦା, ୨୭/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା)-ମୟୂରଭଞ୍ଜ ଜିଲାର ଅଧିବାସୀଙ୍କ ସରଳତାର ସୁଯୋଗରେ ସାଇବର ଠକେଇ, ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଏବଂ ବିଶେଷ କରି ନବଜାତ ଶିଶୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଫୋପାଡି ଦିଆଯାଉଥିବା ଘଟଣାମାନ ବୃଦ୍ଧି ପାରିବାରେ ଲାଗିଛି । ଏହି‌ ଘଟଣାଗୁଡିକରେ ପୁଲିସ କେତେକ କ୍ଷେତ୍ରରେ ଅପରାଧୀଙ୍କୁ ଧରିବାରେ ସଫଳ ହେଉଥିବା ବେଳେ ସାଇବର ଅପରାଧୀଙ୍କୁ ଧରିବାରେ ସକ୍ଷମ‌ହୋଇ ପାରୁ ନାହିଁ । ଏଣୁ ଜିଲାରେ ଏକ ସାଇବର ଥାନା ପ୍ରତିଷ୍ଠା କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହେଉଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଆକାଉଣ୍ଟଧାରୀ ଖାନୁଆ ଗ୍ରାମର ସୁନୀଲ କୁମାର ସାହୁଙ୍କ ଅଭିଯୋଗକ୍ରମେ ବାରିପଦା ଟାଉନ ଥାନାରେ ଗତ ମଙ୍ଗଳବାର ଦିନ ୯୩୪/୨୦ ନମ୍ବରର ରୁଜୁ ମାମଲା ଅନୁଯାୟୀ ଆକାଉଣ୍ଟଧାରୀଙ୍କ କ୍ରେଡ଼ିଟ କାର୍ଡ ଜରିଆରେ ତିନୋଟି ପର୍ଯ୍ୟାୟରେ ମୋଟ ୯୭ ହଜାର ୫ ଶହ ଟଙ୍କା ସାଇବର କ୍ରାଇମରେ ଉଠାଣ ହୋଇଛି । ବାରିପଦା ସହର ରଘୁନାଥପୁର ଅଂଚଳର ମିଥୁନ‌ କୁମାର ସିଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ୟୁଆଇଡିଏଆଇ ଆଧାର ପ୍ରୋଜେକ୍ଟ କରାଇ ଦେବାର ପ୍ରତିଶ୍ରୁତି ଦେଇ ୮୦ ହଜାର ଟଙ୍କା ଠକି‌ ନେଇଥିବା ନେଇ ଗତ ବୁଧବାର ବାରିପଦା ଟାଉନ ଥାନାରେ ୯୩୯/୨୦ ନମ୍ବରର ଏକ ମାମଲା ରୁଜୁ ହୋଇଛି । ବାରିପଦାର ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର ତିନି ଜଣ ପୂର୍ବତନ କର୍ମଚାରୀ ରଣ ଗ୍ରହୀତାଙ୍କଠାରୁ ମୋଟ ୭୭ ହଜାର ୪ ଶହ ଟଙ୍କା ଆଦାୟ କରି ଆତ୍ମସାତ କରିଥିବା ନେଇ ବାରିପଦା ଟାଉନ ଥାନାରେ ଗୁରୁବାର ଦିନ  ୯୪୧/୨୦ ନମ୍ବରର ଏକ ମାମଲା ରୁଜୁ ହୋଇଛି । ବାରିପଦା ମୁଖ୍ୟ ଅ ଡାକଘର ସମ୍ମୁଖରେ ଥିବା ଫଳଦୋକାନରୁ ଗତ ସୋମବାର ରାତିରେ ୨୦ ହଜାର ଟଙ୍କା ନଗଦ ସହିତ ୧୭ ହଜାର ଟଙ୍କାର ଫଳ ଆଦି ଚୋରି ହୋଇଥିବା ନେଇ ବାରିପଦା ଟାଉନ ଥାନାରେ ୯୩୧/୨୦ ନମ୍ବରର ଏକ ମାମଲା ରୁଜୁ ହୋଇଛି । ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ରଣ କରାଇ ଦେବା କହି ୧୨୫ଜଣଙ୍କଠାରୁ ଲକ୍ଷାଧୁକ ଟଙ୍କା ଠକେଇ କରାଯାଇଥିବା ଅଭିଯୋଗରେ ରୁକୁ ୬୭/୨୦ ନମ୍ବରର ମାମଲାରେ ପୁଲିସ ଗତ ଗୁରୁବାର ଦିନ ଏହାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଖଗେନ୍ଦ୍ର ମହାନ୍ତଙ୍କୁ ଗି ୮ ଗିରଫ କରିଥିବା ବେଳେ ଏହା ପୂର୍ବରୁ ଫାଇନାନ୍ସ କମ୍ପାନୀର ଫିଲ୍ମ ଅଫିସର ଭାବେ ମିଥ୍ୟା ପରିଚୟ ଦେଇ  ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ୧୩୭୨୦ ନମ୍ବର ରୁଜୁ ହୋଇଥିବା ଚୋରି ମାମଲାରେ ପୁଲିସ ଗତ ମଙ୍ଗଳବାର ଦିନ ଅଭିଯୁକ୍ତ ଝାଡଖଣ୍ଡ ମଝିଗାଁ ଅଂଚଳର ମୁହମ୍ମଦ ଇଜାଉଦ୍ଦିନଙ୍କୁ ଗିରଫ କରିବା ସହ ଚୋରି ଟଙ୍କା ଓ ସାମଗ୍ରୀ ଜବତ କରିଛି। ଉଦଳା ଥାନାରେ ସର୍ବପୁରାତନ ଗୌଡିୟ ମଠର ରୋଷେୟା ଭାବରେ ଦୀର୍ଘ ୧୦ ବର୍ଷ ଧରି କାର୍ଯ୍ୟ କରୁଥିବା ବ୍ରହ୍ମଚାରୀ ଅଶୋକ ସେଙ୍କର ଆତ୍ମହତ୍ୟା ନେଇ ରବିବାର ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଶରତ ଥାନା ଇଲାକାର ଏକ ଗ୍ରାମରେ ବାପଛେଉଣ୍ଡ ଜଣେ ନାବାଳିକା (୧୧) ଙ୍କର ତାଙ୍କ ଘରେ ମାଙ୍କ ଅନୁପସ୍ଥିତିରେ ସନ୍ଦେହଜନକ ମୃତ୍ୟୁ ନେଇ ମାଙ୍କ ଅଭିଯୋଗକ୍ରମେ ୬୩/୨୦ ନମ୍ବରର ଏକ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । କରଂଜିଆ ଥାନା ଅଧୀନ ଏକ ଗ୍ରାମର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ନେଇ ଗତ ମଙ୍ଗଳବାର ରୁଜୁ ୨୬୩/୨୦ ନମ୍ବର ମାମଲାରେ ପୁଲିସ ଅଭିଯୁକ୍ତକୁ ବିଶୋଇ ଥାନା ଅଧୀନ ମଣଦା ଫାଣ୍ଡିର ଅସନା ଅଂଚଳରୁ ଗିରଫ କରି ତଦନ୍ତ ଚଲାଇଛି । କରଂଜିଆ ଥାନା ଇଲାକାର ଅନ୍ୟ ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ଗର୍ଭବତୀ ସହ ପ୍ରତାରଣା ଓ‌ ହତ୍ୟା ଧମକ ଅଭିଯୋଗରେ ଗତ ମଙ୍ଗଳବାର ରୁଜୁ ହୋଇ ୨୬୨/୨୦ ନମ୍ବରର ଏକ ମାମଲା ପୁଲିସ ଅଭିଯୁକ୍ତ ତପନ ମାଝିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ । ଗୋରୁମହିଷାଣୀ ଥାନା ଅଧୀନ ଲକ୍ଷ୍ମଣଛତ୍ର ଗ୍ରାମରେ  ଘରଜୋଇଁ ଭାବେ ରହୁଥିବା ନାଗାଇ ହେମ୍ବମ ତାଙ୍କ ପତ୍ନୀ ଛିତାକୁ ପଥରରେ ଛିଟି ହତ୍ୟା କରିଥିବା ଅଭିଯୋଗ ନେଇ ମଙ୍ଗଳବାର ରୁକୁ ହୋଇଥିବା ୯୧/୨୦ ନମ୍ବରର ଏକ ମାମଲାରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାକୁ ସକ୍ଷମ ହୋଇଛି । ମୋରଡା ଥାନା ଅଂଚଳର ମୋରଡା ଷ୍ଟାଡିୟମ ନିକଟ ବାଉଁଶ ବୁଦାମୂଳରୁ ଗତ ରବିବାର ସକାଳୁ ଏକ ସଦଜାତ ଜୀବନ୍ତ ଶିଶୁପୁତ୍ରକୁ ପୁଲିସ ଦ୍ବାରା ଉଦ୍ଧାର କରାଯାଇଥିବା ବେଳେ କପ୍ତିପଦା ପୁଲିସ ଦ୍ବାରା ବଡବିଶାଳ ଫଚାୟତର ସୋନ ନଦୀ କୂଳରୁ ଗତ ମଙ୍ଗଳବାର ଦିନ ଏକ ମୃତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ତଦନ୍ତ ଚାଲିଛି । ଜିଲ୍ଲାର ବିଭିନ୍ନ ଅଂଚଳରେ ନବଜାତ ଶିଶୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଫୋପାଡି ଦିଆଯାଉଥିବା ଘଟଣାମାନ ବୃଦ୍ଧି ପାଉଥିବା ନେଇ ବିଶେଷ ଉଦ୍‌ବେଗ ପ୍ରକାଶ ପାଇଛି ।

 

Related Posts

About The Author

Add Comment