ରାଇରଙ୍ଗପୁର, ୭/୧୦(ସନ୍ଧାନ ନ୍ୟୁଜ୍/ପରେଶ ଷଡ଼ଙ୍ଗୀ):- ରାଇରଙ୍ଗପୁର ସହରତଳି ଓ୍ବାର୍ଡ ନଂ -୧୩ ରେଳଷ୍ଟେସନ ସନ୍ନିକଟ ଏକ ଭଙ୍ଗାଦଦରା ଝୁମୁଡିଘର । ୨୦୧୫ ମସିହା କଥା; ସେତେବେଳେ ଆଦିବାସୀ କୁଲି କୁନା ନାଏକଙ୍କ ସାନଝିଅ ସୂର୍ଯ୍ୟକୁମାରୀର । ବୟସ ପ୍ରାୟ ୧୨ ଏବଂ ବଡ଼ଝିଅ ପୁନମକୁମାରୀର ପାଖାପାଖୁ ୧୪ବର୍ଷ । ପିତା କୁନା ନାଏକ ରାଇରଙ୍ଗପୁର ଷ୍ଟେସନରେ କୁଲି କାମକରି ଛୋଟିଆ ପରିବାରର ଗୁଜୁରାଣ ମେଟାଉ ଥିଲେ । ଦଇବ ସହିଲା ନାହିଁ’ ମାଆ ଫୁଲମଣି ଦୁଇଟି କୁନି ଝିଅଙ୍କୁ ଛାଡି ଆରପାରିକୁ ଚାଲିଗଲେ । ସେମାନଙ୍କ ପାଠ ପଠାରେ ଡୋରି ବନ୍ଧାହେଲା । ବାଧ୍ୟହୋଇ ମାତୃହୀନା ଦୁଇ ଭଉଣୀ ଲୋକଙ୍କ ଘରେ କାମକରି ପେଟ ପୋଷିଲେ । ଇତିମଧ୍ୟରେ ବାପା ପୁଣିଥରେ ବିବାହ କଲେ । ଅଧାରୁ ପାଠ ଛାଡିଥିବା ମାତୃହୀନା ଦୁଇ ଭଉଣୀଙ୍କୁ ୨୦୧୫ରେ ‘ମୁଁବି ପଢିବି’ କାର୍ଯ୍ୟକ୍ରମରେ ସାମିଲ କରାଗଲା । ୬ରୁ ୧୪ ବର୍ଷ ବୟସର ହୋଟେଲ, ଢାବା, ଗ୍ୟାରେଜ, ଲୋକଙ୍କ ଘରେ ପାଇଟି କରୁଥିବା ବହୁ କୋମଳମତି ପୁଅଝିଅଙ୍କୁ ଖୋଜିଖୋଜି ବାହାରକରି ସେମାନଙ୍କୁ ବିଭିନ୍ନ ଶୈକ୍ଷିକ ଅନୁଷ୍ଠାନରେ ନାମ ଲେଖାଇ ଉତ୍ତମ ମାନର ପାଠ ପଢାର ଶ୍ରୀଗଣେଶ କରାଗଲା । ୨୦୧୪-୨୦୧୫ରେ ‘ମୁଁବି ପଢିବି’ କାର୍ଯ୍ୟକ୍ରମର ଜିଲା ଟିମ ରାଇରଙ୍ଗପୁର ଉପଖଣ୍ଡରେ ସେତେବେଳର ଭାରପ୍ରାପ୍ତ ବିଆରସିସି ସୁରଥ ପଟ୍ଟନାୟକଙ୍କ ନେତୃତ୍ଵରେ ସିଆରସିସି ବିଖ୍ୟାତ ଗିରି, ଉର୍ମିଳା ପାଣି, ଦେବେନ୍ଦ୍ର ସାହୁ, ସ୍ଵରୂପ ମହାନ୍ତ, ରୁଦ୍ର ବିହାରୀ ଗିରି, ଅଜୟ ବେହେରା, ଗୌତମ ମଣ୍ଡଳ ଓ ଅଭୟ ଗିରିଙ୍କ ଏକ ଟିମ ଏଅଂଚଳରେ ୬ରୁ ୧୪ବର୍ଷ ବୟସର ପ୍ରାୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରାଇବାରେ ସଫଳ ହୋଇଥିଲେ । ସୂର୍ଯ୍ୟକୁମାରୀ ଓ ପୁନମକୁମାରୀକୁ ଗୋରୁମହିଷାଣୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଭର୍ତ୍ତି କରାଗଲା । ଦୁଇ ଭଉଣୀ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ସେଠାରେ ପଢିଲେ। ପାଠସହ ନାଚ, ଗୀତ ଓ ଚିତ୍ରାଙ୍କନରେ ମଧ୍ୟ ଦୁହେଁ ପାରଙ୍ଗମ ହୋଇଗଲେ । ୨୦୧୭ ରେ ସୂର୍ଯ୍ୟ, ରାଜ୍ୟସ୍ତରୀୟ ସୁରଭି ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଇରଙ୍ଗପୁର ପାଇଁ ପ୍ରଶଂସା ସାଉଁଟି ଆଣିଲା। ଏଥିରେ ନୃତ୍ୟଗୁରୁ ସୁନୀଲ କୁମାର, – ପ୍ରଧାନଶିକ୍ଷକ ସୁରଥ ସାର, ପ୍ରଧାନଶିକ୍ଷୟିତ୍ରୀ ନମିତା ସେଠୀ ଏବଂ ସିଆରସିସି ଉର୍ମିଳା ପାଣିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତେବେ ତା’ ପ୍ରଗତିର ରଥଚକ ସେଇଠି ଅଟକିଗଲା ନାହିଁ । ସୂର୍ଯ୍ୟ ନବମ ଏବଂ ଦଶମ ଶ୍ରେଣୀ ଗୋରୁମହିଷାଣୀ ସରକାରୀ ବିଦ୍ୟାଳୟରେ ଆବାସିକ ଛାତ୍ରୀ ଭାବେ ମନୋନୀତ ହୋଇ ପାଠ ପଢି ଚଳିତ ଦଶମ ବୋର୍ଡ ପରୀକ୍ଷାରେ କୃତିତ୍ବର ସହ ସଫଳତା ହାସଲ କରିଛି । ଦିନେ ଲୋକଙ୍କ ଘରେ ପାଇଟି କରୁଥିବା ଅନ୍ଧାରୀ ମୂଲକର ସୂର୍ଯ୍ୟ, ଆଜି ତାର ନିଜସ୍ୱ ଆଲୋକରେ ନିଜେ ଆଲୋକିତ ହେବା ସହ ଅନ୍ଧାରୀ ମୂଲକର ଅନ୍ୟ ବହୁ ଗରୀବ, ପିତୃମାତୃହୀନ ବାଳକବାଳିକାମାନଙ୍କ ପାଇଁ ଉଦାହରଣ ପାଲଟିଛି । ଏବେ ଆସିଛି ଘଡିସନ୍ଧି ମୁହୁର୍ତ୍ତ ପୁନର୍ବାର ପାଠପଢା ଛାଡି ଅଳ୍ପ ବୟସରେ ବାହା ହୋଇ ଶାଶୁ ଘରକୁ ଚାଲିଗଲାଣି । ସୂର୍ଯ୍ୟର ଆଗାମୀ କାଲି ବା ଭବିଷ୍ୟତ କଣ ହେବ ? ଏବେ ସେ କରିବ କ’ଣ? କିଏ ନେବ ଏ ଘଡିସନ୍ଧି ସମୟରେ ତାର ଉଚ୍ଚଶିକ୍ଷାର ଦାୟିତ୍ଵ? ପ୍ରଥମରୁ ଗୁରୁଦାୟିତ୍ବ ବହନ କରିଥ୍ୟ ଗୁରୁ ସୁରଥ ପଟ୍ଟନାୟକ ତାଙ୍କ ସହଯୋଗୀଙ୍କ ସହିତ ସୂର୍ଯ୍ୟର ଭବିଷ୍ୟତ ଦାୟିତ୍ବ ନେବାକୁ ଅଂଟା ଭିଡ଼ିଥିବା ‘ ସନ୍ଧାନ ‘କୁ ସୂଚନା ମିଳିଛି ।
ଅନ୍ଧାରୀ ମୂଲକରେ ବିଚ୍ଛୁରିତ କିରଣ ସୂର୍ଯ୍ୟକୁମାରୀ
|
October 7, 2020 |
