ଜେନାପୁର/ ୧୨/୮/ସନ୍ଧାନ ନିୟୁଜ/ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅନ୍ଧବିଶ୍ୱାସ ର ଶିକାର ହୋଇ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। କାଳିସି,ପୂଜା ପାଠ,ହୁକୁମ ମାଧ୍ୟମରେ ଦୂରାରୋଗକୁ ପୂଜାର୍ଚ୍ଚନା ମାଧ୍ୟମରେ ଭଲ କରିଦେବାକୁ ନେଇ ଏହି ଘଟଣା ଘଟିଛି। ଚିକିତ୍ସିତ ହେଉଥିବା ଦୁଇ ଭଉଣୀଙ୍କ ମଧ୍ୟରେ ଜଣେ ନାବାଳିକା ରହିଥିବା ଜଣାପଡିଛି। ଯାହାକୁ ନେଇ ଜେନାପୁର ଥାନା ରେ ୪ ଜଣ ଅଟକ ରହିଥିବା ସୂଚନା ମିଳିଛି। ଅଟକ ଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ରହିଛନ୍ତି।ପ୍ରାପ୍ତ ଖବର ଅନୁସାରେ ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୁପୁର ପଞ୍ଚାୟତ ଅଧିନ ପନ୍ତୁରୀ ଗ୍ରାମରେ ଦୀର୍ଘ ପ୍ରାୟ ୧୦ ବର୍ଷ ହେଲା ମଣୀ ତାରିଣୀ ପୀଠ ନାମରେ ଉକ୍ତ ଗ୍ରାମର ଜଣେ ଲୋକ ଠାକୁରାଣୀଙ୍କ ନିକଟରେ ପୂଜା ପାଠ କରି ସ୍ୱାସ୍ଥ୍ୟ ସମସ୍ୟା, ଧନ ବୃଦ୍ଧି, ଜମିବାଡ଼ି ସମ୍ପର୍କିତ ମାମଲା, ବିବାହ ଆଦି ବିଭିନ୍ନ ସମସ୍ୟାର ସମାଧାନ କରିଆସୁଥିବା ଜଣାପଡିଛି। ସେହି ଗ୍ରାମର ପ୍ରଶାନ୍ତ କୁମାର ଲେଙ୍କା ଝିଅ ଜ୍ୟୋତି ଲେଙ୍କା (୨୧) ଗତ ୮/୧୦ ଦିନ ଧରି ଅସୁସ୍ଥ ଥିଲା। ଚିକିତ୍ସା ପାଇଁ ପ୍ରଶାନ୍ତ ନିଜ ଝିଅ କୁ କଟକ ବଡ଼ ମେଡ଼ିକାଲ କୁ ନେଇ ବିଭିନ୍ନ ଡାକ୍ତରୀ ପରୀକ୍ଷା ନିରୀକ୍ଷା କରିବା ପରେ ମଧ୍ୟ କୌଣସି ରୋଗ ନ ଥିବା ଡାକ୍ତର ପ୍ରକାଶ କରିଥିଲେ। ଏହା ପରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ ହଠାତ ବିଚଳିତ ହୋଇ ଚିତ୍କାର କରିଥିଲେ। ପରିବାର ଲୋକେ ବ୍ୟସ୍ତ ହୋଇ ସକାଳୁ ପୁନର୍ବାର ଚିକିତ୍ସା ପାଇଁ ମେଡ଼ିକାଲ ନେଇ ଯିବାକୁ ବାହାରିଥିବା ସମୟରେ ମଣୀତାରିଣୀ ପୀଠ ର ପୂଜକ ସେହି ଗ୍ରାମର ସ୍ବର୍ଗତ ପରୀ ଦେହୁରୀଙ୍କ ପୁଅ ବାବା ନାମରେ ପରିଚିତ ସୁଦାମ ଦେହୁରୀ ପୂଜାପାଠ ଏବଂ ତନ୍ତ୍ରମନ୍ତ୍ର ବଳରେ ଭଲ କରି ଦେବାର ପ୍ରତିଶ୍ରୁତି ଦେଇ ସେହି ଠାକୁରାଣୀ ପୀଠକୁ ନେଇଥିଲେ। ଜ୍ୟୋତି ଜଣେ ଝିଅ ହୋଇଥିବାରୁ ତାଙ୍କ ସହିତ ତାଙ୍କ ନାବାଳିକା ସାନ ଭଉଣୀ ଜ୍ୟୋସ୍ନା ମଧ୍ୟ ସାଥିରେ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ବାବା ସୁଦାମ,ତାଙ୍କ ପତ୍ନୀ,ଝିଆରୀ ଏବଂ ସେହି ପୀଠ କୁ ଭକ୍ତ ଭାବରେ ପୂଜା କରିବାକୁ ଆସିଥିବା କୁଆଖିଆ ଥାନା ଅନ୍ତର୍ଗତ ଆଦମପୁର ଅଞ୍ଚଳର ଜଣେ ମହିଳା ପୂଜା ପାଠ କରି ଜ୍ୟୋତି କୁ ଗୁଣି କରାଯାଇଥିବା କହିଥିଲେ ଏବଂ ଏହାର ପ୍ରତିକାର ପାଇଁ ଏକ ସ୍ୱତନ୍ତ୍ର ପୂଜା ଆରମ୍ଭ କରିଥିଲେ। ପୂଜା ପାଠ ଚାଲୁଥିବା ସମୟରେ ଭୂତ ଛଡାଇବା କହି ତା ଦେହରୁ ବସ୍ତ୍ର ଖୋଲି ଉଲଗ୍ନ ଅବସ୍ଥାରେ ବେତ ପାହାର ଦେଇଥିଲେ। ଅତ୍ୟଧିକ ବେତ ମାଡ଼ କାରଣରୁ ଜ୍ୟୋତି ର ଦେହ ରକ୍ତାକ୍ତ ହୋଇଥିଲା। ପୂଜା ପାଠ କରୁଥିବା ବ୍ୟକ୍ତି ମାନେ ମାଡ଼ି ବସି ତା ପାଟି ଭିତରେ ବେତ ପୁରାଇ ଦେଇଥିଲେ। ତାଙ୍କୁ ଉଲଗ୍ନ ଅବସ୍ଥାରେ ଗାଁ ଦାଣ୍ଡରେ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଚଲାଇ ଚଲାଇ ନେଇଥିଲେ।ଏହାକୁ ସହ୍ୟ କରି ନ ପାରି ଜ୍ୟୋତି ସେଠାରୁ ଖସି ବାକୁ ଚେଷ୍ଟା କରି ବାରୁ ସେମାନେ ଇଟା ରେ ଆକ୍ରମଣ କରିଥିଲେ। ଅତ୍ୟଧିକ ମାଡ଼ ସହି ନପାରି ଜ୍ୟୋତି ଜୀବନ ବଞ୍ଚେଇବାକୁ ଜୋରରେ ଚିତ୍କାର କରିଥିଲେ। ଏହା ସହିତ ଜ୍ୟୋତିଙ୍କ ସାଙ୍ଗରେ ଯାଇଥିବା ତାଙ୍କ ସାନ ଭଉଣୀ ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଅସହ୍ୟ ହେବାରୁ ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ମାନେ ପ୍ରତିବାଦ କରିଥିଲେ। ଏଭଳି ଅମାନବୀୟ କାର୍ଯ୍ୟ କୁ ବିରୋଧ କରି ଗ୍ରାମବାସୀ ମାନେ ପୂଜା କରୁଥିବା ବାବା ଓ ତାର ସହଯୋଗୀ ମାନଙ୍କୁ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ। ଜ୍ୟୋତି ଏବଂ ତାଙ୍କ ସାନ ଭଉଣୀ ଜ୍ୟୋସ୍ନାଙ୍କୁ ଗ୍ରାମବାସୀଙ୍କ ସାହାଯ୍ୟରେ ପରିବାର ଲୋକେ ଧର୍ମଶାଳା ମେଡ଼ିକାଲକୁ ନେଇଥିଲେ। ଜ୍ୟୋତି ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରିଥିଲେ। ଏହି ଘଟଣାରେ ଜ୍ୟୋତିର ବାପା ଜେନାପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅନ୍ଧବିଶ୍ୱାସର ଶିକାର ହୋଇ ୨ ଗୁରୁତର, ୪ ଜଣଙ୍କୁ ଅଟକ ରଖିଛି ଜେନାପୁର ପୋଲିସ।
|
August 13, 2025 |



