ଅଦିନିଆ ବର୍ଷା ସାଙ୍ଗକୁ ଲକ ଡ଼ାଉନ୍ ସାଜୁଛି ଦାଉ; ଚାଷୀକୁଳକୁ ଘାରିଛି ପେଟ ଏବଂ ଋଣ ପରିଶୋଧ ଚିନ୍ତା

Spread the love
ଯାଜପୁର/ଜେନାପୁର, ୨୮/୦୪ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ)  ମହାମାରୀ ଯୋଗୁ ସାରାଦେଶରେ ଲକଡାଉନ। ମାସେ ହେଲା ଲୋକେ ଘରୁ ବାହାରୁନଥିବା ବେଳେ ଏବେ ଅଦିନିଆ ଝଡବର୍ଷା ସାଙ୍ଗକୁ ସାପ୍ତାହିକ ହାଟ ବନ୍ଦ, ଯାହାକି ଚାଷୀକୂଳ ଉପରେ ଦାଉ ସାଧିଛି। ଅଦିନିଆ ଝଡବର୍ଷାରେ ଉଜୁଡି ଯାଇଛି ଶହଶହ ଏକର ପନିପରିବା ଫସଲ। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତ ମାଳ ଓ କଲାଣ୍ଡ ଗ୍ରାମରେ , ଅଦିନିଆ ବର୍ଷାରେ କିପରି ନଷ୍ଟ ହେଉଛି ଚାଷୀର ଆହାର ପନୀପରିବା ଫସଲ।
 
ଯାଜପୁର ଜିଲ୍ଲା ଏଣ୍ଡଳବା  ପଞ୍ଚାୟତ  ମାଳ ଓ କଲାଣ୍ଡ ଗ୍ରାମ । ବ୍ରହ୍ମଣୀ ନଦୀ  କୂଳରେ ଅବସ୍ଥିତ ଏହି ଅଞ୍ଚଳର ଲୋକମାନେ ମୂଖ୍ୟତଃ ଧାନ,ଓ ପନିପରିବା ଚାଷ କରି ଜୀବିକା ନିର୍ବାହ କରନ୍ତି। ଏହି ଅଞ୍ଚଳ ପନୀପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଚଳିତ ବର୍ଷ ପନିପରିବା ହସିଫୁଲି ଉଠିଥିଲା। ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ ପନିପରିବା ଚାଷ କରିଥିଲେ, ଚଳିତବର୍ଷ  ହେକ୍ଟର ହେକ୍ଟର ପନୀପରିବା ଚାଷ କରାଯାଇଥିଲା,ଭଲ ଫଳ ମଧ୍ୟ ଫଳିଥିଲା, ହେଲେ ପନୀପରିବା ତୋଳିବା ବେଳକୁ ମାର୍ଚ୍ଚମାସ ଶେଷ ଠାରୁ  କୋରୋନା ମହାମାରୀ ବ୍ୟାପିଲା, ସାରାଦେଶରେ ଲକଡାଉନ ଯୋଗୁଁ କେହି ଘରୁ ବାହାରକୁ ବାହାରିଲେନାହିଁ, ମାସେ ଘରେ ରହିଲା ପରେ ଏପ୍ରିଲ ୨୦ତାରିଖ ଠାରୁ ଲକଡାଉନ କୋହଳ ହୋଇଥିବା ବେଳେ ୨୨ତାରିଖ ଠାରୁ ଅଦିନିଆ ଲଗାଣ ଝଡବର୍ଷା ବେଡି ଉପରେ କୋରଡା ମାଡ ପରି ପନିପରିବା ଫସଲକୁ ଉଜାଡି ଦେଇଛି।ପନୀପରିବା ବର୍ଷା ଜଳରେ ବୁଡିରହି ପଚି ନଷ୍ଟ ହୋଇଛି।ବର୍ଷକର ଆହାର ଅଦିନିଆ ବର୍ଷା ଯୋଗୁ  ଚାଷ ଜମିରେ ଉଜୁଡି ଯାଇଥିବା ବେଳେ ଯାହା କିଛି ପନିପରିବା ଥିଲା ତାହା ଏବେ ଚାରି ଚାରିଟା  ସାପ୍ତାହିକ ହାଟ  ମାଳ ହାଟ , ପିଙ୍ଗୁଆ ହାଟ ,କବାଟ ବନ୍ଧ ହାଟ, ଓ ବରକଣା ହାଟ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯିବା ପରେ ପନିପରିବା ପଚି ନଷ୍ଟ ହେଉଛି । ଯାହାକୁ ନେଇ ପରିବା ଚାଷୀ ଏବେ ହତାଶ ହୋଇଛି।
ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତରେ ପ୍ରାୟ ୯୦ ପ୍ରତିଶତ ଲୋକେ ଏହି ପନିପରିବା ଚାଷ ଉପରେ ନିର୍ଭର କରି ଚଳିଥାନ୍ତି | ଏଠାରୁ ବାରବାଟୀ, ଯାଜପୁର ରୋଡ, ଚଣ୍ଡିଖୋଲ, କଟକ, କେନ୍ଦ୍ରାପଡା ଓ ଭୂବନେଶ୍ୱର ଆଦି ଅଞ୍ଚଳକୁ  ପନୀପରିବା ବିକ୍ରି ପାଇଁ ଯାଇଥାଏ।  ତେବେ ଚଳିତବର୍ଷ ଭେଣ୍ଡି, ବାଇଗଣ, ଜହ୍ନି, କଖାରୁ ,ଲଙ୍କା,ବିମ୍, ଟମାଟୋ ଓ କାକୁଡି ଭଳି ବିଭିନ୍ନ ପନିପରିବା ଚାଷ କରା ଯାଇଥିଲା। ତେବେ ଏହି ପଞ୍ଚାୟତରେ ଶହଶହ ଏକର ପନୀପରିବା ଚାଷ ସହିତ  ଚିନା ବାଦାମ ଚାଷ ମଧ୍ୟ କରାଯାଇଥିବା ବେଳେ  ପଞ୍ଚାୟତରେ ହେକ୍ଟର ହେକ୍ଟର ପନିପରିବା ଫସଲ ଅଦିନିଆ ଲଗାଣ ବର୍ଷାରେ ଉଜୁଡି ଯିବା ଓ ଅନ୍ୟପଟେ ସାପ୍ତାହିକ ହାଟ ବନ୍ଦ ହେବା ଚାଷୀମାନଙ୍କର ମେରୁଦଣ୍ଡ ଏବେ ଭାଙ୍ଗି ପଡିଛି ବୋଲି  ଚାଷୀମାନେ ଅଭିଯୋଗ କରିଛନ୍ତି । ପନିପରିବା ବର୍ଷାଜଳରେ ବୁଡି ପଚିସଢି ଯାଇଥିବା ବେଳେ କଖାରୁ ପଚିଯିବା ସହିତ ଲଙ୍କା ପଚିକି ବିଲରେ ଝଡ଼ି ପଡି ନଷ୍ଟ ହୋଇଛି। ଧାର କରଜ,ବ୍ୟାଙ୍କଋଣ କରି ପରୀବା ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି। ଧାର କରଜ ଓ ବ୍ୟାଙ୍କଋଣ ଶୁଝିବା ଚିନ୍ତାରେ ଏବେ ଚାଷୀ। କ୍ଷତିପୂରଣ ସହ ବ୍ୟାଙ୍କ କୃଷିଋଣ ଛାଡ କରିବାକୁ ମାଳ ଗ୍ରାମର ସରୋଜ କୁମାର ମିଶ୍ର ,ବେଣୁଧର ମିଶ୍ର, ମାଧବାନନ୍ଦ ମିଶ୍ର, ପୀତବାସ ପରିଡା, ରାମଚନ୍ଦ୍ର ପରିଡ଼ା,ଲକ୍ଷ୍ମୀଧର ପରିଡ଼ା,ବ୍ରଜବନ୍ଧୁ ସାହୁ ,ମୁଖ ଦାବି କରିଥିବା ବେଳେ  ସରକାର ଏହାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

Related Posts

About The Author

Add Comment