ଭଦ୍ରକ, ୧/୧/୨୦୨୦ (ସନ୍ଧାନ ନିୟୁଜ) : ଅତ୍ୟଧିକ ଥଣ୍ଡା ସହ୍ୟ କରିନପାରି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣଙ୍କ ହେଲେ ରାଧାବଲ୍ଲଭପୁର ପଞ୍ଚାୟତ ଝାଟିଆ ସାହିର ସାରିଆ ଦାସ । ସୂଚନା ଅନୁଯାୟୀ ମୃତ ବୃଦ୍ଧା ଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ।
ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର କିଣି ପାରିନଥିବା ପରିବାର ଲୋକେ କହିଛନ୍ତି । ଅତ୍ୟଧିକ ଥଣ୍ଡା ଯୋଗୁଁ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି । ଲଗାତାର ଦୁଇ ଦିନ ମଧ୍ୟରେ ଧାମନଗର ବ୍ଲକରେ ଥଣ୍ଡାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଗତକାଲି ମଧ୍ୟ ଉତ୍ତେଇପୁରର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା ।
ଗୋଟିଏ ପଟେ ଲୋକେ ନବବର୍ଷ ଧୁମଧାମରେ ପାଳନ କରୁଛନ୍ତି । କନ୍ତୁ ଗୋଟିଏ ପଟେ ଲୋକେ ଗରିବୀ ଯୋଗୁଁ ଶୀତ ବସ୍ତ୍ର କିଣି ନପାରି ଅତ୍ୟଧିକ ଥଣ୍ଡାରେ ମୃତ୍ୟୁବରଣ କରୁଛନ୍ତି । ଶୀତ ଧନୀ କି ଗରିବ ଦେଖେନି । କିନ୍ତୁ ସରକାର ଏନେଇ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ବୋଲି ସାଧାରଣରେ ଦାବି ହୋଇଛି ।
ଗରୀବ ଲୋକମାନଙ୍କୁ ବିଭିନ୍ନ ସମାଜସେବୀ ସଂଗଠନ ଶୀତ ବସ୍ତ୍ର ଦାନ କରୁଛନ୍ତି । ତେବେ ସମସ୍ତ ଗରୀବ ଲୋକମାନଙ୍କ ପାଖରେ ପହଞ୍ଚିବା ସମ୍ଭବପର ହୋଇପାରୁ ନଥିବାରୁ ସରକାରଙ୍କ ସହାୟତା ମିଳିପାରିଲେ ଏହା ସମ୍ଭବ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।