ଅକ୍ଟୋବରରୁ ଶସ୍ତା ହେବ ଗାଡ଼ି

Spread the love

ନୂଆଦିଲ୍ଲୀ, ୨୩/୯ (ସନ୍ଧାନ ନିଉଜ) : ଗୋଆଠାରେ ଗତକାଲି ଅନୁଷ୍ଠିତ ଜିଏସଟି ପରିଷଦର ବୈଠକରେ କେତେ ଗୁଡ଼ିକ ସାମଗ୍ରୀ ଏବଂ ସେବାର ଟିକସକୁ ପରିବର୍ତ୍ତନ କରାଯାଇଛି। ତେବେ ଅତ୍ୟଧିକ ଚାପରେ ଥିବା ଅଟୋମୋବାଇଲ ଶିଳ୍ପକୁ ସରକାର ରିହାତି ଦେବେ ବୋଲି ଆଶା ରଖାଯାଇଥିଲା। ଅଗଷ୍ଟ ମାସରେ ଦେଶରେ ଗାଡ଼ି ବିକ୍ରି ୨୩.୫୫% ହ୍ରାସ ଘଟିଥିବାବ‌େଳେ ଜୁଲାଇରେ ୧୮.୭୧%, ଜୁନରେ ୧୨.୩୪%, ମେ’ରେ ୮.୬୨% ଏବଂ ଏପ୍ରିଲରେ ୧୫.୯୩% ବିକ୍ରି ହ୍ରାସ ଘଟିଛି। ଏଥିପାଇଁ କାର୍ ଓ ଅନ୍ୟାନ୍ୟ ଯାନ ଉପରେ ଲାଗୁ ହେଉଥିବା ୨୮% ଜିଏସଟିକୁ ୧୮%କୁ କମାଇବା ପାଇଁ ଅଟୋମୋବାଇଲ କମ୍ପାନି ଓ ସଂଘ ଦାବି କରି ଆସୁଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଜିଏସଟି ପରିଷଦ ବୈଠକରେ ଅଟୋମୋବାଇଲ ଶିଳ୍ପ ଉପରେ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ କହିଥିଲେ। ଏହି ଦୃଷ୍ଟିରୁ ଅଟୋମୋବାଇଲ ଶିଳ୍ପକୁ ବଡ଼ ଧରଣର ଟିକସ ରିହାତି ମିଳିବ ବୋଲି ଆଶା ରଖାଯାଇଥିଲା। ତେବେ ପରିଷଦର ନିଷ୍ପତ୍ତି ଅନୁଯାୟୀ, ୧୫୦୦ ସିସି ଡିଜେଲ ଇଞ୍ଜିନ ବିଶିଷ୍ଟ ଯାତ୍ରୀବାହୀ ଯାନ ଯାହାର ସିଟ୍ କ୍ଷମତା ୧୦ରୁ ୧୩ ସେଗୁଡ଼ିକ ଉପରୁ ଜିଏସଟି କ୍ଷତିପୂରଣ ସେସ୍‌କୁ ୩%କୁ କମାଇ ଦିଆଯାଇଛି। ସେହିଭଳି ୧୫୦୦ ସିସି ‌ପେଟ୍ରୋଲ ଇଞ୍ଜିନ ବିଶିଷ୍ଟ ଯାତ୍ରୀବାହୀ ଯାନ ଯାହାର ସିଟ୍ କ୍ଷମତା ୧୦ରୁ ୧୩ ତାହା ଉପରୁ ଜିଏସଟି କ୍ଷତିପୂରଣ ସେସ୍‌କୁ ୧%କୁ କମାଇ ଦିଆଯାଇଛି। ଏହି ଉଭୟ ଗାଡ଼ିର ଲମ୍ବ ୪ ମିଟର ଭିତରେ ହୋଇଥିବା ଆବଶ୍ୟକ। ଏବେ ଏହି ଗାଡ଼ି ଗୁଡ଼ିକ ଉପରୁ ୧୫% ଜିଏସଟି କ୍ଷତିପୂରଣ ସେସ୍ ଆଦାୟ କରାଯାଉଛି। ଜିଏସଟି ପରିଷଦରେ ନିଆଯାଇଥିବା ଟିକସ ହ୍ରାସ ନିଷ୍ପତ୍ତିକୁ ଆସନ୍ତା ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ କରାଯିବ। ତେରୁ ଅ‌େକ୍ଟାବର ପହିଲାରୁ ଏହି ଗାଡ଼ି ଶସ୍ତା ହେବ। କାର୍ କିମ୍ବା ଅନ୍ୟ କୌଣସି ଗାଡ଼ି ଉପରୁ ଟିକସ ହ୍ରାସ କରାଯାଇ ନାହିଁ। ତେଣୁ ଉପରୋକ୍ତ ନିର୍ଦ୍ଦିଷ୍ଟ ବର୍ଗର ଯାତ୍ରୀବାହୀ ଗାଡ଼ିକୁ ବାଦ୍ ଦେଲେ କାର୍ ଏବଂ ବାଇକ୍‌ ଆଦିର ଜିଏସଟି ଜନିତ ମୂଲ୍ୟ କମିବ ନାହିଁ। ଏହି ପରିପ୍ରେକ୍ଷୀରେ ଭାରତୀୟ ଅଟୋମୋବାଇଲ ଶିଳ୍ପ ସଂଘର ସଭାପତି ରାଜନ ୱାଧେରା କହିଛନ୍ତି, ଜିଏସଟି ହ୍ରାସ ନେଇ ଅଟୋମୋବାଇଲ ଶିଳ୍ପ ଯଥେଷ୍ଟ ଆଶାବାଦୀ ରହିଥିଲା। ଗାଡ଼ି ଗୁଡ଼ିକ ଉପରୁ ଜିଏସଟି ହ୍ରାସ ୨୮%ରୁ ୧୮%କୁ କମାଗଲା ନାହିଁ। ତେବେ ୧୦ରୁ ୧୩ ଆସନ ବିଶିଷ୍ଟ ଏବଂ ୪ ମିଟରରୁ କମ୍ ଲମ୍ବ ବିଶିଷ୍ଟ ଯାତ୍ରୀବାହୀ ଯାନ ଉପରୁ ଜିଏସଟି କ୍ଷତିପୂରଣ ସେସ୍‌ ହ୍ରାସ କରାଯିବା ଏକ ଅନୁକୂଳ ପଦକ୍ଷେପ। ସିଆମ୍ ଏହି ବର୍ଗର ଗାଡ଼ି ଉପରୁ କ୍ଷତିପୂରଣ ସେସ୍‌କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଦାବି କରିଥିବାବେଳେ ପରିଷଦ ଉକ୍ତ ଦାବିକୁ ଆଂଶିକ ପୂରଣ କରିଛି ବୋଲି ଶ୍ରୀ ‌ୱାଧେରା କହିଛନ୍ତି। ତେବେ ନିକଟ ଅତୀତରେ ଅଟୋମୋବାଇଲ ଶିଳ୍ପ ପାଇଁ ଅର୍ଥମନ୍ତ୍ରୀ ଘୋଷଣା କରିଥିବା କେତେକ ପଦକ୍ଷେପ ଅଟୋ ଶିଳ୍ପର ବିକ୍ରି ବୃଦ୍ଧିରେ ସହାୟକ ହେବା ନେଇ ସିଆମ୍ ଆଶା ରଖିଛି। ରାଜସ୍ବ ବୃଦ୍ଧି ଘଟିଲେ ଗାଡ଼ି ଉପରୁ ଜିଏସଟି କମିବା ଆଶା ରହିଛି ବୋଲି ଶ୍ରୀ ୱାଧେରା କହିଛନ୍ତି।

Related Posts

About The Author

Add Comment