ଭୁବନେଶ୍ୱର,୨୧/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) : ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କରୋନା ସତର୍କତା ସ୍ୱରୂପ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସେହିପରି କରୋନା ବ୍ୟତୀତ ଅନ୍ୟ କୌଣସି ବୈଠକ ହେବନାହିଁ। ଜୟନ୍ତୀ ପାଳନ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଥିବା ବେଳେ ରବିବାର ଦିନ ସବୁ ଲୋକ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।କେବଳ ସେତିକି ନୁହେଁ କରୋନା ମୁକାବିଲା ନେଇ ରାଜ୍ୟ ସରକାର କଟକଣାକୁ ଆହୁରି ବଢ଼ାଇ ଦେଇଛନ୍ତି। ରେଷ୍ଟୁରାଣ୍ଟ, ବାର୍, କଫି ସପ୍ ଓ କ୍ୟାଣ୍ଟିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଟ୍ୟାକ୍ସି ଓ ଅଟୋ ଦିନେ ଛାଡ଼ି ଦିନେ ପରିବର୍ତ୍ତିତ ଭାବେ ଚାଲିବ। ସବୁ ସପିଂ କଂପଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରିହେବ। ଗ୍ରୋସେରୀ, ପରିବା, ମାଛ, ମାଂସ ଓ ଅନ୍ୟାନ୍ୟ ଦରକାରୀ ସାମଗ୍ରୀ ବିକ୍ରି କରିପାରିବେ। ସେହିଭଳି କରୋନା ସଂପର୍କିତ ମିଟିଂ ବ୍ୟତୀତ ସବୁ ସରକାରୀ ବୈଠକ ବାତିଲ୍ କରାଯାଇଛି। ବୈଠକରେ ୨ ମିଟର ଦୂରତ୍ୱ ବଜାୟ ରଖାଯିବାକୁ ନିର୍ଦ୍ଦେଶ ରହିଛି। କ୍ୟାବିନେଟ, ମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନଫରେନସିଂରେ ହେବ ବୋଲି ନିଷ୍ପତ୍ତି ହୋଇଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି କେତେକ ପଦକ୍ଷେପ। ରାଜ୍ୟସରକାରଙ୍କ ପକ୍ଷରୁ ଆୟୋଜିତ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଅତି ଜରୁରୀ ହେଲେ ଯୋଗଦେବାକୁ ସାମ୍ବାଦିକମାନଙ୍କୁ ପରାମର୍ଶ ଦିଆଯାଇଛି। ଏସବୁ ସମ୍ମିଳନୀର ସିଧାପ୍ରସାରଣର କମନଫିଡ୍ ଚ୍ୟାନେଲ ମାନଙ୍କୁ ଦିଆଯାଉଛି। ୟୁବ୍ୟୁବ, ଫେସବୁକ ଓ ଟ୍ଵିଟରରେ ଲାଇଭ ଷ୍ଟ୍ରିମ କରାଯାଉଛି। ଏହାଛଡ଼ା ଫଟୋ ଓ ପ୍ରେସ ବିଜ୍ଞପ୍ତି ଇ-ମେଲ ମାଧ୍ୟମରେ ପଠାଯାଉଛି।
|
|
୭ରୁ ଅଧିକ ଲୋକ ଏକାଠି ହେବା ମନା
|
March 21, 2020 |



